ଦେଶ ସ୍ବାଧୀନତା ସଂଗ୍ରାମର ଅଶ୍ରୁଳ କାହାଣୀ ଯେପରି ବେଦନାଦାୟକ ସେପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ। ଆମ ସ୍ବାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ସେ ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ତ୍ୟାଗର ଇତିହାସ ପ୍ରାୟ ବିସ୍ମୃତ। ଭାରତବର୍ଷର ମୁକ୍ତି ସଂଗ୍ରାମରେ ସେ ସମୟର ବହୁ ଉଚ୍ଚ ଶିକ୍ଷିତ ଓ ଛାତ୍ର ନିଜ ସୁଖମୟ ଭବିଷ୍ୟତ କଥା ବିନ୍ଦୁଏ ନଭାବି କିମ୍ବା ନିଜ ପରିବାରର ଦାରିଦ୍ର୍ୟ, ପୀଡ଼ନ ଓ ଅସହାୟତା କଥା ସାମାନ୍ୟତମ ଚିନ୍ତା ନକରି ଅହିଂସ୍ର ସମରରେ ନିଜକୁ ଝାସ ଦେଇଥିଲେ। ସେ ସମସ୍ତଙ୍କର ତ୍ୟାଗପୂତ ଜୀବନକୁ ଆମେ ଆଜି ସ୍ମରଣ କରିବାକୁ ଆମପାଖରେ ଥିବା ସ୍ମାରକୀ ଯଥେଷ୍ଟ ନୁହେଁ ତଥାପି ସେତିକି ହିଁ ଆମର ଗାଥାଓ ଗୌରବ ରୂପେ ରହିଆସିଛି ଓ ରହିଥିବ।
ମୁକ୍ତି ସଂଗ୍ରାମ ପଥରେ ଏକ ବିରଳ ବ୍ୟକ୍ତିତ୍ବ ଥିଲେ ଓଡ଼ିଶାର ଜାତୀୟ କବି ବୀରକିଶୋର(୧୮୯୬-୧୯୭୩)। ସେ ଥିଲେ ଜଣେ ଅପ୍ରତିଦ୍ବନ୍ଦୀ କବି,ଯେ କି ତାଙ୍କ ସରଳ ଭାଷା ଓ ଛନ୍ଦରେ ଅଗ୍ନିଗର୍ଭୀ ଲେଖାରେ ଦେଶର ସ୍ବାଧୀନତା ସଂଗ୍ରାମ ପଥରେ ଏକ ମୌଳିକ ମନ୍ଦ୍ରିତ ଧ୍ବନି ସୃଷ୍ଟି କରିପାରିଥିଲେ। ଯଦିଓ ତାଙ୍କର ଅଧିକାଂଶ ସୃଜନ ସ୍ବାଧୀନତା ପ୍ରାପ୍ତିର ବହବର୍ଷ ପରେ ସୂର୍ଯୋଦୟ ଦେଖିଛି। ଅନେକ ମଧ୍ୟ ରହିଯାଇଛି ଲୋକ ଲୋଚନର ଆଢୁଆଳରେ। ସେହି ମହାନ ମୁକ୍ତି ସଂଗ୍ରାମୀ ,ଶାଶ୍ବତସ୍ରଷ୍ଟା ବୀରକିଶୋରଙ୍କର ଉନ୍ମାଦନାମୟ ସଙ୍ଗୀତର ଛନ୍ଦ ଓ ସ୍ଫୁଲିଙ୍ଗ,, ଯାହାକି ତାଙ୍କ ନିଜ ସଂଗ୍ରାମୀ ଜୀବନର ପ୍ରତ୍ୟକ୍ଷ ଅନୁଭୂତିକୁ ନେଇ ରଚିତ ଥିଲା ତାହା ତାଙ୍କ ସାଥି ସଂଗ୍ରାମୀମାନଙ୍କ ଭିତରେ ବହୁତ ଆଗ୍ରହ ଓ ଉନ୍ମାଦନା ସୃଷ୍ଟି କରିଥିଲା। ସଂଗ୍ରାମୀ ମାନଙ୍କ ଥକ୍କାପଣ ,ବିବଶତା ଓ ଅସହାୟତା ପଣକୁ ଏଡ଼ାଇବା ପାଇଁ ତାଙ୍କ କବିପ୍ରାଣ ଗାଇ ଉଠୁଥିଲା:
“ଭାଇ ମରିବା ଦିନେ ତ ମରିବା
ଛେଳି ମେଣ୍ଢା ପରି ପାଞ୍ଚଣକୁ ଡ଼ରି
ଏଠି ଘୁସୁରି ପରି କି ଚରିବ ?
ଭାଇ ମରିବା ତ ଦିନେ ମରିବ ।
ମରଣକୁ ଯେବେ ବରଣ କରିବା
ଡ଼ର ତେବେ ଆଉ କେବେ କାହାକୁ ??”
ସୁପ୍ତ ଓଡ଼ିଆଙ୍କ ପ୍ରାଣରେ ମହାସଂଗ୍ରାମର ଉତ୍ତେଜନା ଭରି ଦେଇଥିବା ଉଗ୍ର ଜାତୀୟ ଚେତନାର ଅଲିଭା ସଳିତା ଥିଲେ ଜାତୀୟ କବି ବୀରକିଶୋର। ସେ ସମୟର କଲେଜ ପଢୁଆ ଛାତ୍ର ଙ୍କୁ ସ୍ବାଧୀନତା ସଂଗ୍ରାମ ବିଷୟରେ ମନରେ ଉନ୍ମାଦନା ଭରିଦେବା ପାଇଁ ସେ ଲେଖିଥିଲେ :
” ରଣ ସମୟରେ ବହି ଘୋଷିବାକୁ
ଆଉ ତୁମେ ବଳାନା
ଛାତି ର ରକତ ତାତି ଉଠେ ମୋର
ବାଜିବାରୁ ଯୁଦ୍ଧ ବାଜଣା।
କି ବହି ଘୋଷିବି ପଢିବି କି ପାଠ
କି ଅଙ୍କ କଷିବି ହୋଇ ଗବକାଠ
ଯୁବକ ହୋଇ କି ବକ ହୋଇବି ମୁଁ
ବିବେକକୁ କରି ବଞ୍ଚନା !
ଟଙ୍କା ନୁହେଁ ମୋର ଜୀବନର ଲକ୍ଷ୍ୟ
ଶଙ୍କା ନୁହଁଇ ତ ଯୁବକ ପୋଷାକ
ଆଖିରେ ଲଗାଇ ଅନ୍ଧପୁଟୁଳିକୁ
ଦେଖୁଥିବି ଦେଶ ଯାତନା !!”
ଆଜନ୍ମରୁ କବି ଥିଲେ ବୀରକିଶୋର। ତାଙ୍କ ପ୍ରଚଣ୍ଡ କବି ପ୍ରତିଭାର ପରିଚୟ ମିଳିଥିଲା ତାଙ୍କ ପ୍ରାଥମିକ ଶିକ୍ଷା ସମୟରୁ ଭକ୍ତକବି ମଧୁସୂଦନ ରାଓ ତାଙ୍କ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ସମୟରେ ,ବୀରକିଶୋର କୌଣସି ଏକ ଇଂରାଜୀ କବିତା ର ପଙ୍କ୍ତିଟିଏ ଅନୁବାଦ କରି ତାଙ୍କୁ ଦେଖାଇଥିଲେ । ପଙ୍କ୍ତିଟି ଥିଲା :
“ଟୋପି ଟୋପି ପାଣି ମିଶି ସାଗର
ଟିକି ଟିକି ବାଲି ମିଶି ଭୂଧର “।
ହାଇସ୍କୁଲ ଶିକ୍ଷା ସମାପ୍ତ ପରେ ରେଭେନ୍ସା କଲେଜରେ ନା ଲଖାଇବା ପରେ ପାଠପଢା ରେ ତାଙ୍କର ମନ ଲାଗିନଥିଲା। ସ୍ବାଧୀନତା ସଂଗ୍ରାମ ପାଇଁ ମହାତ୍ମାଗାନ୍ଧୀଙ୍କ ଆହ୍ବାନ ତାଙ୍କୁ ପ୍ରଭାବିତ କରିଥିଲା। ତେଣୁ ପାଠପଢା ଛାଡ଼ି ତତ୍କାଳୀନ ସରକାରଙ୍କ ପୂର୍ତ୍ତ ବିଭାଗରେ କିଛି ଦିନ ଚାକିରୀ କରିଥିଲେ । ତାଙ୍କ ରଚିତ “ମୋହନ ବଂଶୀ ” ଜାତୀୟ ସଂଗୀତ ପୁସ୍ତକ(୧୯୨୨) ସମସ୍ତଙ୍କୁ ଉଚ୍ଚାଟ କରି ରଖିଥିଲା। ଏହି ଏକ ଛଦ୍ମ ନାମରେ ସେ ପ୍ରକାଶିତ କରିଥିଲେ। ଏହା ବହୁ ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଥିଲା। ସେ ସମୟର ସରକାର ବୀରକିଶୋରଙ୍କ ଏହି ପୁସ୍ତକକୁ ବ୍ୟାଜ୍ୟାପ୍ତ କରିଦେଲେ ମଧ୍ୟ ତାଙ୍କ ପ୍ରତି କୌଣସି ଶାସ୍ତି ବିଧାନ କରି ପାରିଲେନି କାରଣ ବହିଟି ଛଦ୍ମନାମରେ ପ୍ରକାଶିତ ହୋଇଥିଲା। ମୋହନ ବଂଶୀ ବହିଟି ଦେଖି ଉତ୍କଳମଣି ଗୋପବନ୍ଧୁ ଦାସ ବିସ୍ମୟ ପ୍ରକାଶ କରିଥିଲେ ଯେ ଜଣେ ସରକାରୀ କର୍ମଚାରୀ ଏଭଳି ଦେଶ ପ୍ରୀତିର ପରିଚୟ ଦେଇପାରନ୍ତି ! ତେଣୁ କବି ବୀରକିଶୋରଙ୍କୁ ଡ଼କାଇ ମୋହନ ବଂଶୀ ର ସେହି “ଉତ୍କଳ ଜନନୀ ” ସଙ୍ଗୀତଟି ଅତ୍ୟନ୍ତ ଆଗ୍ରହର ସହ ତାଙ୍କ କଣ୍ଠ ରୁ ଶୁଣିଥିଲେ।ଏହାପରେ ବୀରକିଶୋର ,ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରେରଣାରେ ଅନୁପ୍ରେରିତ ହୋଇ ସେହି ବର୍ଷ ୧୯୨୨ରେ ଚାକିରୀରୁ ଇସ୍ତଫା ଦେଇ ସ୍ବାଧୀନତା ସଂଗ୍ରାମରେ ପୁରା ଝାସ ଦେଲେ। ସେ ସମୟରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଆଦୌ ଭଲ ନଥିଲା।କିଛି ଆଗ ପଛ ନଭାବି ସେ ଏପରି ନିଷ୍ପତ୍ତି ନେବାନେଇ ସେ ଲେଖିଥିଲେ :
“ଏ ଜୀବନ ଦାନ କରି ଦେଶ ଲାଗି ଭାଇ
ଆଗ ପଛ କଥା କିଛି ବାରେ ଚିନ୍ତି ନାହିଁ “।
ଏହାପରେ ତାଙ୍କ ସଂଗ୍ରାମୀ ଜୀବନ ଯଜ୍ଞକୁ ନିଜ କବିତା ର ଯୂପରେ ଦିପ୍ତୀମାନ , ଦ୍ୟୁତି ସମ୍ପନ୍ନ କରାଇ ସେ ବହୁବାର ଅପରାଧୀଭାବେ କାରାବରଣ କରିଛନ୍ତି।ଦାରିଦ୍ର୍ୟର ଚରମଭୋଗରେ ଆଉଟୁ ପାଉଟୁ ହୋଇ ମଧ୍ୟ ନିଜ ପ୍ରଚେଷ୍ଟାରେ ସେ ପ୍ରକାଶ କରିଥିଲେ ତାଙ୍କ କବିତା ସଙ୍କଳନ।ଦେଶର ପ୍ରଥମ ସ୍ବାଧୀନତା ଦିବସ ପାଳନ ଅବସରରେ ତାଙ୍କ ଲେଖନୀ ଲେଖିଥିଲା :
“ଆମେ ମରିନାହୁଁ, କେବେ ନଯିବୁ ମରି
ଆମେ ଡ଼ରିନାହୁଁ କେବେ ନଯିବୁ ଡ଼ରି।
କେତେ ଝଡ଼ ଝଞ୍ଜା ସହିଛୁ ଜୀବନେ
କେତେ ଦୁଃଖ ନିଶି କାଟିଛୁ ସ୍ବପନେ
କେତେ ରକ୍ତ ନଦୀ ଆସିଛୁ ସନ୍ତରି
ଭେଟି ବାଟ ଘାଟେ କାଳ ଭଉଁରୀ।
ଆତ୍ମୀୟ ସ୍ବଜନ କାତର କ୍ରନ୍ଦନ
ଟାଳିପାରି ନାହିଁ ଆମ ଟାଣ ମନ
ହିମାଳୟ ତୁଲେ ଅଟଳ ରହିଛୁ
ଲାଗେ ସବୁ କଥା କାଲିକା ପରି ।”
ବାସ୍ତବିକ ଜାତୀୟ କବି ବୀରକିଶୋରଙ୍କ ଜୀବନଯାତ୍ରା ଥିଲା ଅତ୍ୟନ୍ତ କଠୋର ଓ ଶାଣିତ। ସେ ତାଙ୍କ ରଚନା ଓ ସଙ୍ଗୀତ ମାଧ୍ୟମରେ ମୁକ୍ତି ସଂଗ୍ରାମର ବାର୍ତ୍ତା ପ୍ରଚାର କରି ବହୁ ସଂଗ୍ରାମୀଙ୍କୁ ପ୍ରେରଣା ଓ ପ୍ରାଣ ସ୍ପନ୍ଦନ ଦେଇ ନିଜେ ବାରମ୍ବାର କାରାବରଣ କରିଥିଲେ।
Comments are closed.