Latest Odisha News

BREAKING NEWS

ପ୍ରଭାବିତ କଲା ଦ କଶ୍ମୀର ଫାଇଲ୍ସ ଫିଲ୍ମ, ରକ୍ତ ବୁହାଇ ଆଙ୍କିଦେଲେ ଛବି

ଫିଲ୍ମ ଦ କଶ୍ମୀର ଫାଇଲ୍ସ ପୋଷ୍ଟରଟିକୁ ଆଙ୍କିବା ପାଇଁ ଚିତ୍ରଶିଳ୍ପୀ ମଂଜୁ ନିଜ ଦେହରୁ ପାଖାପାଖି ୧୦ ମିଲିଲିଟର ରକ୍ତ ବାହାର କରିଥିଲେ

ଭୁବନେଶ୍ୱର: ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଦେଖିବା ଲାଗି ଦିନକୁ ଦିନ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ବଢିବାରେ ଲାଗିଛି । ୧୯୯୦ରେ କଶ୍ମୀରରେ ରହୁଥିବା ପଣ୍ଡିତଙ୍କ ଉପରେ ଅକଥନୀୟ ନିର୍ଯାତନା ଉପରେ ଫିଲ୍ମଟି ଆଧାରିତ । ଫିଲ୍ମକୁ ନେଇ ନାନା ବିବାଦ ମୁଣ୍ଡ ଟେକିଥିଲେ ବି ଅନେକଙ୍କୁ ଏହାର ସତ୍ୟ ତଥା ମର୍ମଭେଦି କାହାଣୀ ମନକୁ ଛୁଇଁପାରିଛି ।

ଏହି ଫିଲ୍ମକୁ ଦେଖିବା ପରେ ଜଣେ ମହିଳା ଚିତ୍ରଶିଳ୍ପୀଙ୍କୁ ଏହାର କାହାଣୀ ଗଭୀର ମାତ୍ରାରେ ପ୍ରଭାବିତ କରିଥିଲା । ଫଳରେ ସେ ନିଜ ଦେହରୁ ରକ୍ତ ବୁହାଇ ଏକ ପୋଷ୍ଟର ଆଙ୍କିବାକୁ ପଛାଇନଥିଲେ । ଖୋଦ ଫିଲ୍ମ ନିର୍ମାତା ବିବେକ ଅଗ୍ନୀହୋତ୍ରୀ ଏହି ଘଟଣାକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ତେବେ ଏପରି ଘଟଣାର ପୁନରାବୃତ୍ତି ନକରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ସୋସିଆଲ୍ ମିଡିଆ ପୋଷ୍ଟରେ ଥିବା ପୋଷ୍ଟରଟିକୁ ବିଦିଶାର ଚିତ୍ରଶିଳ୍ପୀ ମଂଜୁ ସୋନୀ ଖୋଦ ନିଜ ରକ୍ତରେ ଆଙ୍କିଛନ୍ତି । ସତରେ ଯେମିତି ପୋଷ୍ଟରରେ ଥିବା ସମସ୍ତ ଚରିତ୍ର ନିଜନିଜ କାହାଣୀ ବଖାଣିଛନ୍ତି । ପୋଷ୍ଟରକୁ ନେଇ ଚିତ୍ରଶିଳ୍ପୀ ମଂଜୁ କହିଛନ୍ତି, “ମୁଁ ଯେତେବେଳେ ଫିଲ୍ମଟି ଦେଖିଲି, ସେତେବେଳେ ମୋ ଭିତରେ ଗଭୀର ପରିବର୍ତ୍ତନ ଆସିଥିଲା । ମୋ ପାଖରେ ହଜାରହଜାର ପେଣ୍ଟିଂ ରହିଛି । ହେଲେ ଫିଲ୍ମଟି ମୋତେ କିଛି ଭିନ୍ନ ଆଙ୍କିବାକୁ ପ୍ରେରଣା ଯୋଗାଇଥିଲା”

ଏହି ପୋଷ୍ଟରଟିକୁ ଆଙ୍କିବା ପାଇଁ ଚିତ୍ରଶିଳ୍ପୀ ମଂଜୁ ନିଜ ଦେହରୁ ପାଖାପାଖି ୧୦ ମିଲିଲିଟର ରକ୍ତ ବାହାର କରିଥିଲେ । ଯେଉଁଥିରେ ସେ ଫିଲ୍ମର ସାତଟି ମୁଖ୍ୟ ଚରିତ୍ରଙ୍କୁ କାନଭାସ୍ ଉପରେ ସଜାଇବାରେ ସଫଳ ମଧ୍ୟ ହୋଇଥିଲେ ।

Leave A Reply

Your email address will not be published.