Latest Odisha News

BREAKING NEWS

‘Muslim’ Gajapati: ଜଣେ ‘ମୁସଲମାନ’ ଗଜପତି, କାଳିଆ ପାଇଁ ତ୍ୟାଗ କରିଥିଲେ ସବୁ କିଛି…ତାଙ୍କ ପାଇଁ ଆଜି ମିଳୁଛି ପତିତପାବନଙ୍କ ଦର୍ଶନ!

ପୁରୀ: ଭାବର ଠାକୁର ସିଏ ଭାବବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କ ପାଇଁ ଛାଡି ଆସେ ନିଜ ରତ୍ନ ସିଂହାସନ। ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ଦୟା ଓ କରୁଣାର କାହାଣୀ ଅନେକ ରହିଛି। କିନ୍ତୁ ସେହି ସବୁ କାହାଣୀ ମଧ୍ୟରୁ ସବୁଠାରୁ ଅଧିକ ଭାବବିହ୍ୱଳ କରୁଥିବା କାହାଣୀ ହେଉଛି ଖୋର୍ଦ୍ଧାର ଗଜପତି ରାମଚନ୍ଦ୍ର ଦେବ ଦ୍ୱିତୀୟଙ୍କ କାହାଣୀ। ଓଡ଼ିଶାର ଲୋକକଥାରେ ସେ ‘ମୁସଲମାନ ଗଜପତି’ ନାମରେ ପରିଚିତ। କୁହାଯାଏ, ମହାପ୍ରଭୁ ଓ ଶ୍ରୀମନ୍ଦିରକୁ ବଞ୍ଚାଇବା ପାଇଁ ସେ ନିଜର ରାଜ୍ୟ, ସମ୍ମାନ, ପରିବାର, ଏପରିକି ନିଜ ଧର୍ମକୁ ମଧ୍ୟ ତ୍ୟାଗ କରିଥିଲେ।

୧୭୨୭ ମସିହାରେ ରାମଚନ୍ଦ୍ର ଦେବ ଦ୍ୱିତୀୟ ଖୋର୍ଦ୍ଧା ସିଂହାସନରେ ବସିଥିଲେ। ସେତେବେଳେ ମୋଗଲ ଶାସନର ପ୍ରଭାବ ଓଡ଼ିଶାରେ ବଢ଼ି ଚାଲିଥିଲା। କଟକର ମୋଗଲ ସୁବେଦାର ତକ୍କି ଖାନ ବାରମ୍ବାର ଖୋର୍ଦ୍ଧା ଓ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରୁଥିଲେ। ଗଜପତି ସାହସର ସହ ମୁକାବିଲା କରିଥିଲେ, କିନ୍ତୁ ଶେଷରେ ପରାଜିତ ହୋଇ କଟକ ବାରବାଟୀ ଦୁର୍ଗରେ ବନ୍ଦୀ ହୋଇଥିଲେ। ବନ୍ଦୀ ଅବସ୍ଥାରେ ମଧ୍ୟ ରାଜାଙ୍କ ମନରେ ନିଜ ଜୀବନଠାରୁ ବଡ଼ ଚିନ୍ତା ଥିଲା ମହାପ୍ରଭୁଙ୍କ ସୁରକ୍ଷା। ଏହି ସମୟରେ ତକ୍କି ଖାନଙ୍କ ଭଉଣୀ ରାଜିଆ ବିବି ରାଜାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ତକ୍କି ଖାନ ଏକ ସର୍ତ୍ତ ରଖିଥିଲେ, ଯଦି ରାଜା ଇସଲାମ ଧର୍ମ ଗ୍ରହଣ କରି ତାଙ୍କ ଭଉଣୀଙ୍କୁ ବିବାହ କରିବେ, ତେବେ ତାଙ୍କୁ ମୁକ୍ତ କରାଯିବ ଓ ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ ହେବ ନାହିଁ।

ଲୋକପରମ୍ପରା ଅନୁସାରେ, ମହାପ୍ରଭୁଙ୍କୁ ବଞ୍ଚାଇବା ପାଇଁ ରାମଚନ୍ଦ୍ର ଦେବ ସେଦିନ ସେ ସର୍ତ୍ତ ମାନିନେଇଥିଲେ। ସେ ଇସଲାମ ଗ୍ରହଣ କରି ‘ହାଫିଜ କାଦିର ବେଗ’ ନାମ ଧାରଣ କରି ରାଜିଆ ବିବିଙ୍କୁ ବିବାହ କରିଥିଲେ। ଏହାର ପରିଣାମରେ ଶ୍ରୀମନ୍ଦିର ଉପରେ ଆକ୍ରମଣ କମିଥିଲା ବୋଲି ଲୋକକଥା କହେ।

କିନ୍ତୁ ଏହାର ମୂଲ୍ୟ ଥିଲା ଅତ୍ୟନ୍ତ କଠିନ। ଖୋର୍ଦ୍ଧାକୁ ଫେରିବା ପରେ ନିଜ ସମାଜ ତାଙ୍କୁ ଗ୍ରହଣ କରିନଥିଲା। ଶ୍ରୀମନ୍ଦିରରେ ପ୍ରବେଶ ଉପରେ ତାଙ୍କ ପାଇଁ ନିଷେଧାଦେଶ ଜାରି ହୋଇଥିଲା। ରଥଯାତ୍ରାର ଛେରା ପହଁରା ପରି ପବିତ୍ର ରାଜକୀୟ ସେବା କରିବାର ଅଧିକାର ମଧ୍ୟ ତାଙ୍କଠାରୁ କାଢ଼ି ନିଆଯାଇଥିଲା। ଏପରିକି ପରିବାର ମଧ୍ୟ ତାଙ୍କଠାରୁ ଦୂରେଇ ଯାଇଥିଲେ। ତଥାପି ମହାପ୍ରଭୁଙ୍କ ପ୍ରତି ତାଙ୍କ ଭକ୍ତି କେବେ କମିନଥିଲା। ଲୋକକଥା କହେ, ସେ ରାତି ଅଧରେ ଖୋର୍ଦ୍ଧାରୁ ପୁରୀ ଆସି ସିଂହଦ୍ୱାର ବାହାରେ ଠିଆ ହୋଇ ଆଖିରେ ଲୁହ ନେଇ ହାତ ଯୋଡ଼ି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ। ମନ୍ଦିର ଭିତରକୁ ଯିବାର ଅଧିକାର ନଥିଲା, କିନ୍ତୁ ଭକ୍ତିରେ ଟିକିଏ ବି ଊଣା ନଥିଲା।

କୁହାଯାଏ, ରାଜାଙ୍କ ଏହି ଅସୀମ ପ୍ରେମରେ ମହାପ୍ରଭୁ ନିଜେ ବିଗଳିତ ହୋଇଯାଇଥିଲେ। ସେ ଜଣେ ସେବକଙ୍କ ସ୍ୱପ୍ନରେ ଆସି ସିଂହଦ୍ୱାର ନିକଟରେ ନିଜର ଏକ ବିଗ୍ରହ ସ୍ଥାପନ କରିବାକୁ ଆଦେଶ ଦେଇଥିଲେ, ଯାହାଦ୍ୱାରା ଯେଉଁମାନେ ମନ୍ଦିରକୁ ପ୍ରବେଶ କରିପାରୁନାହାନ୍ତି, ସେମାନେ ମଧ୍ୟ ତାଙ୍କ ଦର୍ଶନ ପାଇପାରିବେ। ଆଉ ସେହି ବିଗ୍ରହ ହେଉଛନ୍ତି ପତିତପାବନ ଜଗନ୍ନାଥ। ଆଉ ଜଗାର ସେ ଆଦ୍ୟ ସେବକଙ୍କ ଭକ୍ତି ପ୍ରେମର, ଆଶିର୍ବାଦ ସଦୃଶ, ଆଜି ପ୍ରତିଟି ଅଣହିନ୍ଦୁ ପତିତପାବନ ବେଶରେ ମହାପ୍ରଭୁଙ୍କ ଦିବ୍ୟ ରୂପର ଦର୍ଶନର ସୌଭାଗ୍ୟ ଅର୍ଜନ କରୁଛନ୍ତି ।

ଖାଲି ସେତିକି ନୁହେଁ, କୁହାଯାଏ ସେତେବେଳେ ପ୍ରତିରାତି ମହାପ୍ରଭୁ ନିଜେ ମନ୍ଦିରରୁ ବାହାରି ସିଂହଦ୍ୱାରରେ ଅପେକ୍ଷା କରିଥିବା ତାଙ୍କ ପ୍ରିୟ ଭକ୍ତ ରାଜାଙ୍କୁ ଦର୍ଶନ ଦେଉଥିଲେ। ସକାଳେ ସେବକମାନେ ମହାପ୍ରଭୁଙ୍କ ବସ୍ତ୍ର ଅସଜଡ଼ା ଓ ଫୁଲ ଛିନ୍ନଭିନ୍ନ ଦେଖି ଏହାକୁ ତାଙ୍କ ରାତ୍ରି ବିହାରର ପ୍ରମାଣ ବୋଲି ବିଶ୍ୱାସ କରୁଥିଲେ।

ଇତିହାସବିଦ୍ମାନେ ଏହି ଘଟଣାର କିଛି ଅଂଶ ନେଇ ଭିନ୍ନ ମତ ରଖିଥିଲେ ମଧ୍ୟ, ଓଡ଼ିଶାର ଲୋକପରମ୍ପରାରେ ଏହି କାହାଣୀ ଆଜି ମଧ୍ୟ ଜୀବନ୍ତ। ଏହା କେବଳ ଜଣେ ରାଜାଙ୍କ କାହାଣୀ ନୁହେଁ, ବରଂ ଏମିତି ଜଣେ ଭକ୍ତଙ୍କ କାହାଣୀ, ଯିଏ ମହାପ୍ରଭୁଙ୍କୁ ବଞ୍ଚାଇବା ପାଇଁ ସବୁକିଛି ହରାଇଥିଲେ, କିନ୍ତୁ ଭକ୍ତିକୁ କେବେ ହରାଇନଥିଲେ।

Leave A Reply

Your email address will not be published.