ମୁମ୍ବାଇ: ଲୋକପ୍ରିୟ ଟିଭି ଅଭିନେତ୍ରୀ ଶ୍ୱେତା କୱାତ୍ରା ନିକଟରେ ନିଜ ସ୍ୱାସ୍ଥ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି, ଯାହା ଏବେ ମହିଳା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ୱେତାଙ୍କ କହିବା ଅନୁଯାୟୀ, ମାତ୍ର ୪୦ ବର୍ଷ ବୟସରେ ସେ ‘ମେନୋପଜ୍’ ବା ମାସିକ ଋତୁସ୍ରାବ ସ୍ଥାୟୀ ଭାବେ ବନ୍ଦ ହେବାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୀର୍ଘ ବର୍ଷର ବ୍ୟବଧାନ ପରେ ତାଙ୍କର ମାସିକ ଋତୁସ୍ରାବ ପୁଣି ଥରେ ଫେରିଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, କ’ଣ ସତରେ ମେନୋପଜ୍ ପ୍ରକ୍ରିୟା ଓଲଟି ପାରେ?
ସାଧାରଣତଃ ମହିଳାମାନଙ୍କ କ୍ଷେତ୍ରରେ ୪୫ ରୁ ୫୫ ବର୍ଷ ବୟସ ମଧ୍ୟରେ ମେନୋପଜ୍ ହୋଇଥାଏ। କିନ୍ତୁ ଶ୍ୱେତାଙ୍କ କ୍ଷେତ୍ରରେ ଏହା ବହୁତ ଶୀଘ୍ର, ଅର୍ଥାତ୍ ୪୦ ବର୍ଷ ବୟସରେ ଆସିଯାଇଥିଲା। ଏହି ସମୟରେ ତାଙ୍କୁ ଓଜନ ବୃଦ୍ଧି, ବ୍ରେନ୍ ଫଗ୍ (ମାନସିକ ଦ୍ୱନ୍ଦ୍ୱ) ଏବଂ ଶରୀରରେ ଯନ୍ତ୍ରଣା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ତେବେ କିଛି ବର୍ଷ ପରେ ହଠାତ୍ ତାଙ୍କର ଋତୁସ୍ରାବ ପୁଣି ଥରେ ଆରମ୍ଭ ହେବା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହି ଘଟଣାକୁ ନେଇ ସେ ସୋସିଆଲ୍ ମିଡିଆରେ ନିଜର ଅନୁଭୂତି ବାଣ୍ଟିବା ସହ ଅନ୍ୟ ମହିଳାମାନଙ୍କୁ ସଚେତନ କରିବାକୁ ପ୍ରୟାସ କରିଛନ୍ତି।
ଶ୍ୱେତାଙ୍କ ଏହି ଖୁଲାସା ପରେ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ, ପ୍ରକୃତ ମେନୋପଜ୍ (ଯେଉଁଥିରେ ଲଗାତାର ୧୨ ମାସ ଧରି ଋତୁସ୍ରାବ ବନ୍ଦ ରହିଥାଏ) କେବେ ବି ଓଲଟି ନଥାଏ ବା ଫେରି ନଥାଏ। ତେବେ ୪୦ ବର୍ଷ ବା ତା’ଠାରୁ କମ୍ ବୟସରେ ଯଦି ଏଭଳି ଲକ୍ଷଣ ଦେଖାଦିଏ, ତେବେ ତାହାକୁ ଡାକ୍ତରୀ ଭାଷାରେ ‘ପ୍ରିମାଚ୍ୟୁର୍ ଓଭାରିଆନ୍ ଇନ୍ସଫିସିଏନ୍ସି’ କୁହାଯାଏ। ଏହି ସ୍ଥିତିରେ ଅଣ୍ଡାଶୟ ଠିକ୍ ଭାବେ କାମ କରିବା ବନ୍ଦ କରିଦିଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ସ୍ଥାୟୀ ନୁହେଁ। POI ଥିବା ମହିଳାମାନଙ୍କ କ୍ଷେତ୍ରରେ ବେଳେବେଳେ ହରମୋନ୍ ସ୍ତରରେ ପରିବର୍ତ୍ତନ ଆସିଲେ ପୁଣିଥରେ ଅପ୍ରତ୍ୟାଶିତ ଭାବେ ଋତୁସ୍ରାବ ହୋଇପାରେ।
ଡାକ୍ତରମାନେ ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ, ଯଦି କୌଣସି ମହିଳାଙ୍କର ମେନୋପଜ୍ ନିଶ୍ଚିତ ହେବାର ବର୍ଷେ କିମ୍ବା ତା’ଠାରୁ ଅଧିକ ସମୟ ପରେ ପୁଣିଥରେ ରକ୍ତସ୍ରାବ ହୁଏ, ତେବେ ତାହାକୁ ସାଧାରଣ ଋତୁସ୍ରାବ ଭାବି ଅଣଦେଖା କରିବା ଉଚିତ୍ ନୁହେଁ। ଏହା ଗର୍ଭାଶୟ ସମ୍ବନ୍ଧୀୟ କୌଣସି ଜଟିଳ ସମସ୍ୟା, ଯେପରିକି ଏଣ୍ଡୋମେଟ୍ରିଆଲ୍ ହାଇପରପ୍ଲାସିଆ କିମ୍ବା ଗର୍ଭାଶୟ କର୍କଟର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ହୋଇପାରେ। ତେଣୁ ଏଭଳି ପରିସ୍ଥିତିରେ ତୁରନ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସ୍କାନିଂ ଏବଂ ପରୀକ୍ଷା କରାଇବା ଏକାନ୍ତ ଆବଶ୍ୟକ। ଶ୍ୱେତାଙ୍କ ଏହି ଖୋଲାଖୋଲି ଆଲୋଚନା ଏବେ ଅନେକ ମହିଳାଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ପ୍ରେରଣା ଯୋଗାଉଛି।