Latest Odisha News

BREAKING NEWS

‘2024 ନିର୍ବାଚନ’, ବିଜେପିଠୁ ଲୋକସଭା ସିଟ ଛଡାଇନେବେ ବିରୋଧୀ !

ଭୁବନେଶ୍ୱର: ବିଜେପି ଓ ବିରୋଧୀଙ୍କ ନଜର ୨୦୨୪ ସାଧାରଣ ନିର୍ବାଚନ ଉପରେ। ଦେଶରେ କ୍ଷମତାକୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି।

ବିଜେପିକୁ ହରାଇବାକୁ ହେଲେ ଆଞ୍ଚଳିକ ସ୍ତରରେ ନିଜ ଭିତରେ ଲଢେଇ ନ କରି ବିରୋଧୀ ଦଳଗୁଡିକ ମଧ୍ୟରେ ଯିଏ ଯେଉଁଠି ଦୃଢ଼ ଅଛି ସେ ସେଠି ଲଢ଼ିବ ଓ ଅନ୍ୟ ବିରୋଧୀ ସହଯୋଗ କରିବାର ଯୋଜନା ହେଉଥିବା କୁହାଯାଉଛି। କିନ୍ତୁ ଏଥିରେ ସବୁ ବିରୋଧୀଙ୍କ ସହମତି କିଭଳି ହେଉଛି ତା ଉପରେ ନଜର ରହିଛି।

ଏଭଳି ସ୍ଥିତିରେ ନୀତିଶଙ୍କ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ବିରୋଧୀ ଦଳ ଗୁଡ଼ିକର ବୈଠକ ବେଶ ଗୁରୁତ୍ୱ ରଖୁଛି। ଯାହାକି ଆସନ୍ତା ଆଠରୁ ୧୦ ଦିନ ମଧ୍ୟରେ ପାଟନାରେ ହେବ।

ଏପଟେ ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଦେଶର ୨୦୦ ଲୋକସଭା ଆସନରେ କଂଗ୍ରେସ ଦୃଢ଼ ଥିବା ବେଳେ ସେଠାରେ ଅନ୍ୟ ବିରୋଧୀ ରାଜନୈତିକ ଦଳ କଂଗ୍ରେସ ପ୍ରାର୍ଥୀଙ୍କୁ ସହଯୋଗ କରିବେ କିନ୍ତୁ ଏହା ବଦଳରେ କଂଗ୍ରେସ ମଧ୍ୟ ଅନ୍ୟ ଦଳର ନେତାଙ୍କୁ ସହଯୋଗ କରିବାକୁ ପଡିବ।

ଯେଉଁଠି ଅନ୍ୟ ବିରୋଧୀ ମାନେ ଦୃଢ଼ ଅଛନ୍ତି ସେଠି କଂଗ୍ରେସ ସହଯୋଗ କରିବ। ଯାହାଦ୍ୱାରା ବିରୋଧୀ ଭୋଟ ଭାଗ ହେବ ନାହିଁ ଓ ବିଜେପିକୁ ହରାଇବା ସହଜ ହେବ ବୋଲି କୁହାଯାଇଛି। ମମତାଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ଦେଶବ୍ୟାପୀ ଚର୍ଚା।

କଂଗ୍ରେସର କର୍ଣ୍ଣାଟକ ବିଜୟ ପରେ ବିରୋଧୀ ଏକତାର ସଫଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ଯେଉଁ ଦଳଗୁଡିକ କଂଗ୍ରେସକୁ ଅଣଦେଖା କରୁଥିଲେ ସେମାନେ କଂଗ୍ରେସକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି।

ସେପଟେ ମମତା ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀରେ ଏବେ ବିଜେପି ୧୦୦ ସିଟ ମଧ୍ୟ ଜିତିପାରିବ ନାହିଁ। ଏପରିକି ଆଗକୁ ଆସୁଥିବା ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପିକୁ ଝଟକା ଲାଗିବ ବୋଲି ମମତା କହିଛନ୍ତି।

ଆଗକୁ ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ୨୫ ଲୋକସଭା ସିଟ ରହିଛି। ଏବେ କଂଗ୍ରେସ ସରକାର ସେଠି ଅଛି। କିନ୍ତୁ ୨୦୧୮ ରେ କଂଗ୍ରେସ ରାଜସ୍ଥାନରେ କ୍ଷମତାକୁ ଆସିଥିଲେ ମଧ୍ୟ ଦଳ ଗୋଟିଏ ବି ସିଟ ଜିତିପାରି ନ ଥିଲା।

ସେପଟେ ମଧ୍ୟପ୍ରଦେଶରେ ୨୯ ଲୋକସଭା ସିଟ ରହିଥିବା ବେଳେ କଂଗ୍ରେସ ୨୦୧୯ ନିର୍ବାଚନରେ କେବଳ ଗୋଟିଏ ସିଟ ଜିତିବାକୁ ସକ୍ଷମ ହୋଇଥିଲା। ସେହିପରି ତେଲେଙ୍ଗାନାରେ ୧୭ ଟି ଲୋକସଭା ସିଟ ରହିଛି। ଆଗକୁ ତେଲେଙ୍ଗାନା ନିର୍ବାଚନ ଥିବାରୁ ବିଜେପି କର୍ଣ୍ଣାଟକରେ ହାରିବା ପରେ ତେଲେଙ୍ଗାନାକୁ ଫୋକସ କରୁଛି।

ସେପଟେ ବିରୋଧୀ ଏକତାର କଥା କୁହାଯାଉଥିଲେ ମଧ୍ୟ କଂଗ୍ରେସ ବିଆରଏସକୁ ଟାର୍ଗେଟ କରିବା ଆରମ୍ଭ କରିଛି। କିଛି ଦିନ ତଳେ ପ୍ରିୟଙ୍କା ଗାନ୍ଧୀ ତେଲେଙ୍ଗାନାରେ ଏକ କାର୍ଯ୍ୟକ୍ରମରେ ବିଆରଏସକୁ ଟାର୍ଗେଟ କରିଥିଲେ।

ଏପରିକି ତେଲେଙ୍ଗାନରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାର ବଡ଼ ପ୍ରଭାବ ଦେଖିବକୁ ମିଳିଥିଲା। ଯେଉଁଥିପାଇଁ ବିଆରଏସ ସହ ଗଠବନ୍ଧନ ଉଦ୍ୟମକୁ କଂଗ୍ରେସ ନା କହିଛି।

ଛତିଶଗଡ଼ରେ ୧୧ ଲୋକସଭା ସିଟ ରହିଛି। ୨୦୧୮ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ସତ୍ତ୍ୱେ ମଧ୍ୟ ଦଳ ମାତ୍ର ଦୁଇଟି ଲୋକସଭା ସିଟରେ ଜିତିଥିଲା। ତେଣୁ ଏଥର ଛତିଶଗଡ଼ରେ କଣ ହେବ ତ ଉପରେ ବି ନଜର ରହିଛି।

ତେଣୁ ଲୋକସଭା ନିର୍ବାଚନ ପୂର୍ବରୁ ଏ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ବିରୋଧୀ କିଭଳି ଢଙ୍ଗରେ ଲଢ଼ିବେ ଓ ବିରୋଧୀଙ୍କ ମଧ୍ୟରେ କିଭଳି ସହମତି ପ୍ରକାଶ ପାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.