Latest Odisha News

ଚନ୍ଦ୍ରରେ ପାହିଲା ରାତି, ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ

ନୂଆଦିଲ୍ଲୀ: ଚନ୍ଦ୍ରରେ ହୋଇଛି ସକାଳ । ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ । ଏନେଇ ଆଶା ପ୍ରକାଶ କରିଛି ଇସ୍ରୋ । ଚନ୍ଦ୍ରରେ ୧୪ ଦିନ ରାତି ପରେ ଏବେ ସକାଳ ହୋଇଛି । ଏହାର ଦକ୍ଷିଣ ପାଶ୍ୱର୍ରେ ଆଲୋକ ପହଞ୍ଚିବା ପରେ ସ୍ଲିପ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଆକ୍ଟିଭ ହେବେ ବୋଲି ବୈଜ୍ଞାନୀକ ଆଶା ରଖିଛନ୍ତି ।

ଇସ୍ରୋରୁ ମିଳିଥିବା ସୂଚନା ଅନୁସାରେ, ୧୪ ଦିନର ଅନ୍ଧକାର ପରେ ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟାଲୋକ ପଡିବ । ଯାହା ଫଳରେ ବିକ୍ରମ ଓ ପ୍ରଜ୍ଞାନଙ୍କୁ ଆବଶ୍ୟକ ପରିମାଣର ସୂର୍ଯ୍ୟାଲୋକ ମିଳିପାରିବ । ୨୨ ସେପ୍ଟେମ୍ବରରେ ବୈଜ୍ଞାନୀକମାନେ ବିକ୍ରମ ଓ ପ୍ରଜ୍ଞାନ ସହ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବେ କିନ୍ତୁ ଏହା ପୂର୍ବରୁ ବିକ୍ରମ ଓ ପ୍ରଜ୍ଞାନ ନିର୍ଦ୍ଧିଷ୍ଟ ତାପମାତ୍ରାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ଇସ୍ରୋର ବୈଜ୍ଞାନିକ ।  ସୂର୍ଯ୍ୟଙ୍କଠାରୁ ଶକ୍ତି ଆହରଣ କରି ପୁଣି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବେ ବୋଲି ଆଶା କରାଯାଉଛି । ଯଦି କୌଣସି କାରଣରୁ ଏହା ସମ୍ଭବ ନ ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞାନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ‘ମହାକାଶ ଦୂତ’ଭାବେ ପଡିରହିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା । ଅବତରଣର କିଛି ଘଣ୍ଟା ପରେ ବିକ୍ରମରୁ ଅଲଗା ହୋଇ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ସହ ଇସ୍ରୋକୁ ବିଭିନ୍ନ ପ୍ରକାର ତଥ୍ୟ ଓ ଫଟୋ ପଠାଇଥିଲା । ତେବେ ଏହି ଦୁଇଟି ଯାନର ନିଜସ୍ୱ ଶକ୍ତି ନଥିବାବେଳେ ସେମାନେ ସୂର୍ଯ୍ୟଙ୍କ କିରଣରୁ ଶକ୍ତି ସଂଗ୍ରହ କରି କାର୍ଯ୍ୟ ସମ୍ପାଦନ କରୁଥିଲେ । ତେବେ ଚନ୍ଦ୍ରରେ ରାତି ହେବାଫଳରେ ସେପ୍ଟେମ୍ବର ୪ରେ ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଇସ୍ରୋ ପକ୍ଷରୁ ସ୍ଲିପ୍ ମୋଡ୍‌ରେ ରଖାଯାଇଥିଲା ।

 

Leave A Reply

Your email address will not be published.