ନୂଆଦିଲ୍ଲୀ: ସାହାରା ମରୁଭୂମିର ନାମ ଶୁଣିଲେ ଆଖି ସାମ୍ନାକୁ ଆସିଥାଏ ଶୁଷ୍କ ବାଲୁକାରାଶି, ପ୍ରଚଣ୍ଡ ଖରା ଏବଂ ନିର୍ଜନ ପରିବେଶ । ମାତ୍ର ଭୂ-ବିଜ୍ଞାନୀମାନଙ୍କ ଗବେଷଣାରୁ ଏକ ସମ୍ପୂର୍ଣ୍ଣ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ନୂତନ ଗବେଷଣା, ସାଟେଲାଇଟ୍ ତଥ୍ୟ ଏବଂ ସମୁଦ୍ର ତଳରୁ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି ଯେ, ବର୍ତ୍ତମାନର ଶୁଷ୍କ ସାହାରା ମରୁଭୂମି ଗୋଟିଏ ସମୟରେ ସବୁଜିମାରେ ପରିପୂର୍ଣ୍ଣ ଥିଲା । ସେଠାରେ ନଦୀ, ବିଶାଳ ହ୍ରଦ ସହ କୁମ୍ଭୀର, ସାମୁଦ୍ରିକ ଘୋଡ଼ା ଏବଂ ପ୍ରାଚୀନ ମାନବ ସମାଜ ବସବାସ କରୁଥିଲେ । ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ନୂତନ ରିପୋର୍ଟ ଅନୁଯାୟୀ, ସାହାରାରେ ପ୍ରଚୁର ବର୍ଷା ହେବାର ଏହି ପ୍ରକ୍ରିୟା ହଠାତ୍ ହୋଇ ନ ଥାଏ, ବରଂ ଏହା ପ୍ରତି ୨୦,୦୦୦ ବର୍ଷରେ ଥରେ ପୁନରାବୃତ୍ତି ହୋଇଥାଏ ।
ଏହାର ମୁଖ୍ୟ କାରଣ ହେଉଛି ପୃଥିବୀର ଆକ୍ସିଆଲ୍ ପ୍ରିସେସନ । ପୃଥିବୀ ନିଜ ଅକ୍ଷ ଚାରିପାଖରେ ବୁଲିବା ସମୟରେ ଧୀରେ ଧୀରେ ଦିଗ ପରିବର୍ତ୍ତନ କରିବାର ଏକ ନିରନ୍ତର ପ୍ରକ୍ରିୟା । ଏହି ଗତି ଯୋଗୁଁ ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କ କିରଣର ତୀବ୍ରତା ବୃଦ୍ଧି ପାଏ । ଯେତେବେଳେ ଉତ୍ତର ଆଫ୍ରିକାର ସ୍ଥଳଭାଗ ଅଧିକ ଉତ୍ତପ୍ତ ହୁଏ, ସେତେବେଳେ ସମୁଦ୍ର ଏବଂ ସ୍ଥଳଭାଗ ମଧ୍ୟରେ ତାପମାତ୍ରାର ବଡ଼ ପ୍ରଭେଦ ସୃଷ୍ଟି ହୁଏ । ଏହି ତାପମାତ୍ରା ପ୍ରଭେଦ ଯୋଗୁଁ ଆଫ୍ରିକୀୟ ଗ୍ରୀଷ୍ମକାଳୀନ ମୌସୁମୀ ବାୟୁ ଅତ୍ୟନ୍ତ ସକ୍ରିୟ ହୋଇପଡ଼େ । ଫଳରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ବର୍ତ୍ତମାନର ସାହାରା ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ପ୍ରଚୁର ବର୍ଷା କରାଇଥାଏ ।
ବର୍ଷା ହେବା ମାତ୍ରେ ଗଛଲତା ବଢ଼ିବାକୁ ଲାଗନ୍ତି । ସବୁଜ ଆଚ୍ଛାଦନ ଯୋଗୁଁ ମାଟି ସୂର୍ୟ୍ୟକିରଣକୁ ପ୍ରତିଫଳିତ କରିବା ପରିବର୍ତ୍ତେ ଅଧିକ ଶୋଷଣ କରେ । ବୃକ୍ଷରାଜି ମାଟିରେ ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରନ୍ତି ଏବଂ ବାୟୁମଣ୍ଡଳରେ ଧୂଳିକଣା ହ୍ରାସ ପାଏ । ହ୍ରଦ ଏବଂ ଆର୍ଦ୍ରଭୂମିରୁ ଜଳ ବାଷ୍ପୀଭବନ ହୋଇ ପୁନର୍ବାର ବର୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ, ଯାହା ଦ୍ୱାରା ସମ୍ପୂର୍ଣ୍ଣ ମରୁଭୂମି ଏକ ସବୁଜ ଇକୋସିଷ୍ଟମରେ ପରିଣତ ହୋଇଥାଏ । ବୈଜ୍ଞାନିକମାନଙ୍କ ମତରେ, ପୃଥିବୀର ଏହି ପ୍ରାକୃତିକ ଚକ୍ର ଜାରି ରହିଛି ଏବଂ ଆଗାମୀ ଦିନରେ ସବୁଜ ସାହାରା ପୁନର୍ବାର ଫେରିଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।