Latest Odisha News

BREAKING NEWS

ବର୍ଷିୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କର ପ୍ରଥମ କବିତା ସଙ୍କଳନ “କାହାଣୀ ନୁହେଁ’ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ଜଗତର ବରିଷ୍ଠ ତଥା ବୟୋଜ୍ୟେଷ୍ଠ କଥାକାର ଅଚ୍ୟୁତାନନ୍ଦ ପତିଙ୍କର ୯୯ ତମ ଜନ୍ମ ଦିବସ ଅବସରରେ, ଅଗ୍ରଣୀ ପ୍ରକାଶନ ସଂସ୍ଥା ବି.କେ ପବ୍ଲିକେଶନ ଆନୁକୁଲ୍ୟରେ ପ୍ରକାଶିତ ଶ୍ରୀ ପତିଙ୍କର ପ୍ରଥମ କବିତା ସଙ୍କଳନ ‘କାହାଣୀ ନୁହେଁ’ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି ।

ଏହି ଉପଲକ୍ଷେ ଶ୍ରୀ ପତିଙ୍କ ବାସଭବନରେ ସମ୍ପୂର୍ଣ୍ଣ ଅନୌପଚାରିକ ଢଙ୍ଗରେ ଆୟୋଜିତ ସାରସ୍ଵତ ସଭାରେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ, ଗାଳ୍ପିକ ରବି ପଣ୍ଡା, ଗାଳ୍ପିକ ପ୍ରଦୋଷ ମିଶ୍ର, ଔପନ୍ୟାସିକା ସ୍ଵର୍ଣ୍ଣଲତା ମହାପାତ୍ର ଏବଂ ସୁପ୍ରିୟା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ବାଣୀ ଭଣ୍ଡାରକୁ ଶ୍ରୀ ପତିଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

ଦୀର୍ଘ ବର୍ଷର ଅବଧିପରେ ସ୍ୱରଚିତ ପ୍ରଥମ କବିତା ସଙ୍କଳନର ଦ୍ଵିତୀୟ ସଂସ୍କରଣ ପ୍ରକାଶ ପାଇବା ଏକ ସ୍ଵତନ୍ତ୍ର ଅନୁଭବ ଏବଂ ବୋଲି ଶ୍ରୀ ପତି ମତବ୍ୟକ୍ତ କରିବା ସହିତ ପ୍ରକାଶକ ବିଜୟ ମହାପାତ୍ରଙ୍କୁ ଶ୍ରଦ୍ଧା ଓ ଶୁଭେଚ୍ଛା ଜଣାଇଥିଲେ ।

ଗାଆଁରେ ରହୁଥିବା ଗୋଟିଏ ପରିବାରର ଦୁଃଖସୁଖକୁ ନେଇ ରଚିତ ହୋଇଥିବା ଉନ୍ମୋଚିତ କବିତା ସଙ୍କଳନଟିରେ ହଜି ଯାଉଥିବା ଗାଉଁଲି ଶବ୍ଦର ବ୍ୟବହାର ସହିତ ଶ୍ରୀ ପତିଙ୍କର କାବ୍ୟିକ ସତ୍ତାର ସମ୍ମିଶ୍ରଣ ସବୁ ବର୍ଗର ପାଠକମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରକାଶକ ଶ୍ରୀ ମହାପାତ୍ର ଉଲ୍ଲେଖ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପତିଙ୍କ ପ୍ରଥମ କବିତା ସଙ୍କଳନ ‘କାହାଣୀ ନୁହେଁ’ ୧୯୫୧ ମସିହାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା ଏବଂ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ତା’ର ମୁଖବନ୍ଧ ଲେଖିଥିଲେ ।

Comments are closed.