Latest Odisha News

ପଛୁଆ ବର୍ଗଙ୍କୁ ସଂରକ୍ଷଣ ମାମଲାରେ ବିଜେଡି କଟା ଘା’ରେ ଚୂନ ମାରିବା ବନ୍ଦ କରୁ: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗକୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଇ ନିଜ ଦଳରେ ୪୦ ପ୍ରତିଶତ ଅଧିକାର ଦେବେ ବୋଲି କହି ଶାସକ ଦଳ ବିଜେଡି ଓବିସିଙ୍କ କଟା ଘା’ରେ ଚୂନ ମାରିବା ବନ୍ଦ କରୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡ଼ି ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗରୁ ପ୍ରଥମେ ୨୭% ଏବଂ ପରେ ୪୦ ପ୍ରତିଶତ କଥା ପ୍ରାର୍ଥୀ କରିବା କଥା କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛି । ରାଜ୍ୟରେ ଅବହେଳିତ ଓବିସି ବର୍ଗର ସବୁ ଲୋକଙ୍କୁ ଆଗ୍ରାଧିକାର ତଥା ସାମ୍ବିଧାନିକ ଅଧିକାର ପ୍ରଦାନ କରାଯାଉ । ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ, ଯୁବବର୍ଗଙ୍କୁ ଚାକିରିରେ ଓ ରାଜନେତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ ଆମ ଦଳ ପକ୍ଷରୁ ଦାବୀ କରାଯାଉଛି ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓବିସି ବର୍ଗର ୩୫ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରାର୍ଥୀ କରାଇ ଉଦାହରଣ ସୃଷ୍ଟି କରିସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ତିନି ତିନି ଥର ଚିଠି ଲେଖିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବହେଳିତ ବର୍ଗର ଲୋକଙ୍କୁ ଶିକ୍ଷା ଓ ଚାକିରିରେ ସଂରକ୍ଷଣ ପ୍ରଦାନ ନକରିବା ଦୁର୍ଭାଗ୍ୟଜନକ ।

ବହୁ ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ପାଇଁ ‘ଟ୍ରିପଲ ଟେଷ୍ଟ’ ସଂପର୍କରେ ଉଲ୍ଲେଖ କରିଥିବାବେଳେ ରାଜ୍ୟ ସରକାର ଟେଷ୍ଟରେ ଫେଲ ହେଲେ କାହିଁକି? ରାଜ୍ୟରେ ଦୀର୍ଘ ଦିନ ଧରି ଓବିସି କମିଶନ ପଦବୀ କାହିଁକି ଖାଲି ପଡି ରହିଥିଲା? ବିଳମ୍ବରେ ଗଠିତ କମିଶନକୁ ଉପଯୁକ୍ତ କ୍ଷମତା ଆଜି ପର୍ଯ୍ୟନ୍ତ କାହିଁକି ଦିଆଯାଇନାହିଁ? ଗତ ୨ ବର୍ଷ ଭିତରେ ରାଜ୍ୟ ଓବିସି କମିଶନ କଣ କଣ କାର୍ଯ୍ୟ କରିଛନ୍ତି ଏବଂ କେଉଁ କେଉଁ ଜାତିବର୍ଗ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ହେବେ, ତାହା ସ୍ଥିରକୃତ କାହିଁକି ହୋଇପାରିନାହିଁ ବୋଲି କହି ବିଜେଡିକୁ ପ୍ରଶ୍ନ କରି ବିଜେପି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ମହାରାଷ୍ଟ୍ର ରାଜ୍ୟରେ ଓବିସି ସଂରକ୍ଷଣ ସଂପର୍କିତ ମକଦ୍ଦମାରେ ଜାତି ଜନଗଣନା ଓ ସଂରକ୍ଷଣରେ ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଓଡିଶା ସରକାର ତଦାନୁଯାୟୀ ପ୍ରସ୍ତୁତ ହେଲେ ନାହିଁ କାହିଁକି? ପୌର ନିର୍ବାଚନ ସଂରକ୍ଷଣରେ ଅନିୟମିତତା ଦର୍ଶାଇ ଉଚ୍ଚ ନ୍ୟାୟାଳୟ ବିଜ୍ଞପ୍ତିକୁ ବାତିଲ କରିବା ପରେ ଗୋଟିଏ ଏସଏଲପି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା କି? ଯଦି ରଥଯାତ୍ରା ବନ୍ଦ କରିବା ପାଇଁ ହରିଶ ସାଲଭେ ଓ ପରୀ ହତ୍ୟାକାଣ୍ଡ ମକଦ୍ଦମାରେ ଦିନକୁ କୋଟି କୋଟି ଟଙ୍କା ନେଉଥିବା ଓକିଲଙ୍କୁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ନିୟୋଜିତ କରାଇ ପାରିଲେ, ତେବେ ପାଖାପାଖି ୫୪ ପ୍ରତିଶତ ଓବିସିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଭଲ ଭାବରେ ଆଇନଗତ ଲଢେଇ ଲଢ଼ୁନାହାନ୍ତି କାହିଁକି?

ରାଜ୍ୟ ସରକାର ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା, ଯୁବବର୍ଗଙ୍କୁ ଚାକିରି ଓ ରାଜନେତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ନଦେଇ ସାମ୍ବିଧାନିକ ଅଧିକାରରୁ ବଂଚିତ କରନ୍ତୁ ନାହିଁ । ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଲଢ଼େଇ କରିବାକୁ ରାଜ୍ୟ ସଭାପତି ସମୀର ମହାନ୍ତି ଦାବୀ କରିଛନ୍ତି ।

Comments are closed.