Latest Odisha News

BREAKING NEWS

ଉଜୁଡିଗଲା ସଂସାର, ମାଞ୍ଜା ସୂତା ନେଇଗଲା ଯୁବକଙ୍କ ଜୀବନ

କଟକ : ଖୁସିରେ ଯେମିତି ଲାଗିଗଲା କାହା ନଜର। କିଛି ଦିନର ସଂସାର ଗଢିଥିଲା। ହେଲେ ମାଞ୍ଜା ସୂତା ନେଇଗଲା ସ୍ୱାମୀର ଜୀବନ। କିଛି ସେକେଣ୍ଡରେ ଚୁର୍ ମାର ହୋଇଗଲା ସୁନାର ସଂସାର।

ଆଜି କଟକରେ ଘଟିଛି ଏମିତି ଏକ ଦୁଃଖଦାୟକ ଘଟଣା। ଯେଉଁଠାରେ ଗୁଡ଼ି ଉଡ଼ା ପାଇଁ ବ୍ୟବହୃତ ମାଞ୍ଜା ସୂତା ଲାଗି କଟିଯାଇଛି ଜଣେ ଯୁବକର ବେକ। ଘଟଣାସ୍ଥଳରେ ହିଁ ଚାଲିଯାଇଛି ଯୁବକର ଜୀବନ। କଟକ ଜଗତପୁର ପୀରବଜାର ନିକଟରେ ଏଭଳି ଘଟଣା ଘଟିଛି।

ମୃତ ଯୁବକ ଜଣକ ହେଲେ ଜୟନ୍ତ ସାମଲ। ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ। ଆଜି ଅପରାହ୍ନରେ ଜୟନ୍ତ ନିଜ ବାଇକ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ କଟକକୁ ମାର୍କେଟିଂ ପାଉଁ ଯାଉଥିଲେ। ପୀରବଜାର ଠାରେ ଗୁଡି ଉଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜା ସୂତା ତାଙ୍କ ବେକରେ ଗୁଡେଇ ହୋଇଥିଲା।

ସୂତାଟି ଅତି ଧାରୁଆ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସବୁଠାରୁ ବଡ଼ ଦୁଃଖ କଥା ହେଲା ଯୁବକ ଜଣକ ଗତ ୬ ମାସ ତଳେ ବିବାହ କରିଥିବା ବେଳେ ଅକାଳରେ ଚାଲିଯାଇଛି ତାଙ୍କ ଜୀବନ।
ଯୁବକଙ୍କ ମୃତ୍ୟୁରେ ଭୟରପୁର ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.