ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଊଦ୍ୟାନରେ ଏବେ ୧୦ଟି ଖୁଆଡ଼ ଓ ସଫାରୀରେ ମୋଟ ୨୭ଟି ବାଘ ବାଘୁଣୀ ଅଛନ୍ତି । ସେଥିମଧ୍ୟରେ ୬ଟି ଧଳା ଓ ୪ଟି କଳା ଲୋମଯୁକ୍ତ(ମେଲାନିଷ୍ଟିକ୍) ସହିତ ୧୮ଟି ସାଧାରଣ ରଙ୍ଗର ବାଘ ବାଘୁଣୀ ରହିଛନ୍ତି । ନନ୍ଦନକାନନ ଏକମାତ୍ର ଚିଡ଼ିଆଖାନା ଯେଉଁଠି ବାଘ ସଫାରୀ ଅଛି ।
ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଜୁଲାଇ ମାସ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ର ଦିବସ ପାଳନ କରାଯାଏ । ବାଘ ମାନଙ୍କ ସଂରକ୍ଷଣ ଏବଂ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଉଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇଥିଲେ ।
ଅନ୍ୟ ଅତିଥି ଭାବେ ପିସିସିଏଫ, ନନ୍ଦନକାନନ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ବାଘ ମାନଙ୍କ ଖୁଆଡରେ ରହି ଯତ୍ନ ନେଉଥିବା ଜନ୍ତୁ ରକ୍ଷକମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି କୁଇଜ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଶପଥ ପାଠ ସହ ଦସ୍ତଖତ ଅଭିଯାନ କରାଯାଇଥିଲା ।