ଭୁବନେଶ୍ୱର: ୟୁ ଟର୍ଣ୍ଣ ମାରିଲା କି କଂଗ୍ରେସ? ପଞ୍ଚାୟତ ନିର୍ବାଚନରେ ହେବନି କୌଣସି ମେଣ୍ଟ। ଓଡ଼ିଶାରେ ପରବର୍ତ୍ତୀ ପଞ୍ଚାୟତ ନିର୍ବାଚନ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆସନ ସଂରକ୍ଷଣ (Reservation) ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାର ଚୂଡ଼ାନ୍ତ ତାଲିକା ଏପ୍ରିଲ ୨୦୨୬ ସୁଦ୍ଧା ପ୍ରସ୍ତୁତ ରହିବ। ତେବେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ବିଜେଡି ମେଣ୍ଟ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଏହି ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ। କାରଣ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏକା ଲଢିବ କଂଗ୍ରେସ। ହେବନି କୌଣସି ମେଣ୍ଟ।
ଆଜି ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଦଳ ଭିତରେ ମେଣ୍ଟକୁ ନେଇ ଅସନ୍ତୋଷ ଦେଖାଦେବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଭକ୍ତ। ତେବେ ବିଧାନସଭା ନିର୍ବାଚନ ବେଳେ ଆବଶ୍ୟକ ପଡ଼ିଲେ ହାଇକମାଣ୍ଡ କହିଲେ ବିଜେଡି ସହ ବୁଝାମଣା ହେଇପାରେ ବୋଲି କହିଛନ୍ତି ପିସିସି ସଭାପତି।
ସୂଚନାଥାଉକି, ଗତ ରାଜ୍ୟସଭା ନିର୍ବାଚନ ସମୟରେ କଂଗ୍ରେସ ଏବଂ ବିଜେଡି ହାତ ମିଳାଇଥିଲେ। ଯଦିଓ ଉଭୟ ବିରୋଧି ଦଳ ବିଜେପି ଆଗରେ ହାର ମାନିଥିଲେ, ତଥାପି ଉଭୟେ ରାଜ୍ୟରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଏକାଠି ଲଢ଼ିବେ ବୋଲି ଏକପ୍ରକାର କଳ୍ପନାଜଳ୍ପନା ଲାଗି ରହିଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ଏପ୍ରିଲ ୧୩ ତାରିଖର ଏକ ବୟାନ ଏହି ଚର୍ଚ୍ଚାକୁ ଆଗକୁ ବଢ଼ାଇଥିଲା । ତେବେ କଂଗ୍ରେସ ଓ ବିଜେଡି ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ମେଣ୍ଟର ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି କହିଥିଲେ ଭକ୍ତ।
କେବଳ ଭକ୍ତ ନୁହଁନ୍ତି ବରଂ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ମଧ୍ୟ ଭକ୍ତଙ୍କ ଏହି ବୟାନକୁ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ,’ ସବୁ କ୍ଷେତ୍ରରେ ସମ୍ଭାବନା ରହିଛି, ଯଦି ପିସିସି ସଭାପତି ଏପରି କିଛି କହିଛନ୍ତି ତାହାହେଲେ କିଛି ଅନୁଧ୍ୟାନ କରି କହିଥିବେ।’ ତେବେ ପୂର୍ବରୁ ଉଭୟଙ୍କ ଏହି ବୟାନ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ସମ୍ଭାବନାକୁ ଖୋରାକ ଯୋଗାଉଥିବା ବେଳେ ପିସିସି ସଭାପତିଙ୍କ ଆଜିର ପ୍ରତିକ୍ରିୟା କିଛି ଭିନ୍ନ ଦିଗ ଦେଖାଉଛି। ତେବେ ଆଗକୁ ଜଣାପଡ଼ିବ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଉଭୟ କଂଗ୍ରେସ ଏବଂ ବିଜେଡି ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି ନା ନିଜ ଦମରେ ନିର୍ବାଚନୀ ମଇଦାନକୁ ଓହ୍ଲାଉଛନ୍ତି।