Latest Odisha News

BREAKING NEWS

ଚୋର ଚମ୍ପଟ୍ ମାରିଥିଲା ଟ୍ରେନ୍‌ରେ, ପୋଲିସ ଧରିଲା ଫ୍ଲାଇଟ୍‌ରେ !

କର୍ଣ୍ଣାଟକ: ନାଟକୀୟ ଢଙ୍ଗରେ ପୋଲିସ ହାତରେ ଧରାପଡିଲା ଚୋର । ଚୋରି ହୋଇଥିଲା ସୁନା ଓ ହୀରା ଗହଣାଗାଣ୍ଠି । ଏକ ଲକରରେ ଗହଣା ଥିବାବେଳେ ଚୋର ଟ୍ରେନରେ ଖସିଯିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଟ୍ରେନ୍‌ରେ ନୁହେଁ ବରଂ ଫ୍ଲାଇଟ୍‌ରେ ପିଛା କରି ଶେଷରେ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ।

ପଶ୍ଚିମବଙ୍ଗର ବାସିନ୍ଦା କୈଳାସ ଦାସ । ବେଙ୍ଗାଳୁରୁର ରାଜେଶ ବାବୁ ନାମକ ଜଣେ ବିଲ୍ଡର୍‌ଙ୍କ ଘରେ ୬ ବର୍ଷରୁ ଅଧିକ ସମୟ ଧରି ଘରୋଇ ସହାୟକ ଭାବେ କାମ କରୁଥିଲା । ତେବେ କିଛିଦିନ ତଳେ ରାଜେଶ ବାବୁଙ୍କର ଜଣେ ସଂପର୍କୀୟ କରୋନାରେ ସଂକ୍ରମିତ ହୋଇଥିଲେ । ସଂପର୍କୀୟଙ୍କ କଥା ବୁଝିବାରେ ରାଜେଶ ବାବୁଙ୍କ ପରିବାର ବ୍ୟସ୍ତ ଥିବାବେଳେ କୈଳାସ ଏହି ମଉକାର ଫାଇଦା ଉଠାଇଥିଲା । ଘରେ କେହି ନଥିବାବେଳେ ଏକ ଇଲେକ୍ଟ୍ରୋନିକ୍ ଲକର୍ ଧରି ଚମ୍ପଟ୍ ମାରିଥିଲା ।

ଲକର୍‌ରେ ଥିଲା ୧.୩ କୋଟି ଟଙ୍କା ମୂଲ୍ୟର ସୁନା ଓ ହୀରା ଗହଣା । ବେଙ୍ଗାଳୁରୁରୁ ଚମ୍ପଟ୍ ମାରି ଅଭିଯୁକ୍ତ ରାଜେଶ ମହୀଶୁରରେ କିଛିଦିନ ଲୁଚି ରହିଥିଲା । ସେଠାରେ ଏକ ସ୍କୃ-ଡ୍ରାଇଭରେ ଲକର୍‌କୁ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ଶେଷରେ ଉପାୟ ଶୂନ୍ୟ ହୋଇ ବେଙ୍ଗାଳୁରୁ ଫେରିଥିଲା । ନିଷ୍ପତ୍ତି ନେଇଥିଲା ନିଜ ଘର କୋଲକାତାକୁ ଫେରିବ । ହେଲେ ଏହି ନିଷ୍ପତ୍ତି ତାକୁ ଏତେ ମହଙ୍ଗା ପଡିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା କେବେ କଳ୍ପନା କରିନଥିଲା ।

ଦୁଇଦିନ ପୂର୍ବରୁ ସେ ଯଶୱନ୍ତପୁରରୁ ହାୱଡା ଯିବା ପାଇଁ ଟ୍ରେନରେ ଚଢିଥିଲା । ଅନ୍ୟପଟେ ରାଜେଶ ବାବୁଙ୍କ ପରିବାର ଲୋକେ ଘରେ ଲୁଟ୍ ମାମଲାକୁ ନେଇ ଥାନାରେ ଏତଲା ଦେଇଥିଲେ । ଚୋରକୁ ଧରିବା ଲାଗି ଜେ.ପି ନଗର ପୋଲିସ ଆରମ୍ଭ କରିଥିଲା ଖୋଳତାଡ । ଶେଷରେ ଭାଗ୍ୟକୁ ସିସିଟିଭିରେ ଧରାପଡିଥିଲା କୈଳାସ ଦାସ । ଯଶୱନ୍ତପୁରରୁ ସେ ଟ୍ରେନ ଚଢୁଥିବାର ଦୃଶ୍ୟ ପୋଲିସ ଆଖିରେ ପଡିଥିଲା । ସମୟ ଅତିବାହିତ ହୋଇଥିଲାବେଳେ କାଳବିଳମ୍ବ ନ କରି ପୋଲିସ ଫ୍ଲାଇଟ୍ ଯୋଗେ କୋଲକାତା ପହଂଚି ପୂର୍ବରୁ ହାୱଡା ଷ୍ଟେସନରେ ଜଗିରହିଥିଲା ।

ତେବେ ଷ୍ଟେସନରେ ପୋଲିସକୁ ଦେଖି କୈଳାସ ପୁନର୍ବାର ଖସିଯିବାକୁ ଚେଷ୍ଟା କରିଥିଲା । ହେଲେ ଚମ୍ପଟ୍ ମାରିବାର ଏହି ପ୍ରୟାସକୁ ପୋଲିସ ଭଣ୍ଡୁର କରିଥିଲା । କୋଲକାତା ପୋଲିସ ଅନୁମତିରେ ଅଭିଯୁକ୍ତ କୈଳାସକୁ ଗିରଫ କରି ସାଥିରେ ଆଣିଛି । ଅନ୍ୟପଟେ ଲକର ମଧ୍ୟ ସୁରକ୍ଷିତ ଭାବେ ରାଜେଶ ବାବୁଙ୍କୁ ଫେରାଇ ଦିଆଯାଇଛି ।

Leave A Reply

Your email address will not be published.