Latest Odisha News

BREAKING NEWS

ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ: ରହସ୍ୟରୁ ପରଦା ହଟାଇବ ଶବ ବ୍ୟବଚ୍ଛେଦ ରିପୋର୍ଟ

ପାରାଦୀପ( କର୍ମଜିତ୍ ଜେନା ) : ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ ଘଟଣା ଉପରୁ ଏବେ ହଟିନି ରହସ୍ୟର ପରଦା । ରୁଷ ନାଗରିକ ତଥା  ‘ଏମ୍ .ଭି. ଅଲଦାନା’  ଜାହାଜର ଚିଫ ଇଞ୍ଜିନିୟର ‘ମିଲ ଯିକୁବ ସର୍ଜିଇ’ (୫୨)ଙ୍କj ମୃତ୍ୟୁ କିପରି ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇ ପାରୁନି । ପୂର୍ବରୁ ୨ ଜଣ ରୁଷ ନାଗରିକଙ୍କର ରାୟଗଡାରେ ମୃତ୍ୟୁ ପରେ ଏବେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟଣାକୁ ଆହୁରି ସନ୍ଦେହଘେରକୁ ଟାଣ ନେଉଛି । ତାଙ୍କର ଶବକୁ ସଂରକ୍ଷିତ ରଖାଯାଇଥିବାବେଳେ ଆଜି ବ୍ୟବଚ୍ଛେଦ କରାଯିବ । ଶବକୁ ଡାକ୍ତରଖାନା ନିଆଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଉପରୁ ରହସ୍ୟ ହଟିପାରେ ବୋଲି କୁହାଯାଉଛି ।

ପାରାଦ୍ଵୀପ ବନ୍ଦର ଆଙ୍କରେଜରେ ଥିବା ଜାହାଜ  ‘ଏମ୍ .ଭି. ଅଲଦାନା’ରେ  ଚିଫ ଇଞ୍ଜିନିୟର ‘ମିଲ ଯିକୁବ ସର୍ଜିଇ’ (୫୨)ଙ୍କ ଶବ ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟରେ ସଂରକ୍ଷିତ ରଖାଯାଇଛି। ୨ ତାରିଖ  ସନ୍ଧ୍ୟାରେ ଏହି ଜାହାଜ ଆଙ୍କରେଜରେ ଲାଗିଥିଲା ଏବଂ ୩ ତାରିଖରେ ଜେଏସଡବ୍ଲ୍ୟ ବର୍ଥରୁ ଆଇରନ ଓର ନେବାର ଥିଲା। ମାତ୍ର ମଙ୍ଗଳବାର ସକାଳ ୪.୧୫ ସମୟରେ ଜାହାଜର ଚିଫ୍ ଇଞ୍ଜିନିୟର ଗୁରୁତର ଥିବା ନେଇ ବନ୍ଦରକୁ ମେସେଜ ଦିଆଯାଇଥିଲା।

ବନ୍ଦର ପକ୍ଷରୁ ଡକ୍ ବୋଟ୍ ସହାୟତାରେ ଏକ ଡାକ୍ତରି ଟିମ୍ ଜାହାଜ ନିକଟକୁ ପଠାଯାଇଥିଲା। ମାତ୍ର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତରୀ ଟିମ। ଅପରାହ୍ନରେ ଜାହାଜ ଏଜେନ୍ସି ପକ୍ଷରୁ ପାରାଦୀପ ଥାନାରେ ଏତଲା ଦିଆଯିବା ପରେ ଜାହାଜରୁ ଶବ ଆଣିବା ବ୍ୟବସ୍ଥା କରାଯାଇଥିଲା। ନେହେରୁ ବଙ୍ଗଳା ମେରାଇନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ପାରାଦ୍ଵୀପ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଜାହାଜ ନିକଟକୁ ଯାଇଥିଲେ। ମାତ୍ର ଅତ୍ୟଧିକ ଲହଡ଼ା ଥିବାରୁ ଜାହାଜକୁ ବର୍ଥକୁ ଅଣାଯାଇ ଆଇଓବି (ଆଇରନ ଓର) ବର୍ଥରେ ବର୍ଥିଂ କରାଯାଇଥିଲା।

ଇତି ମଧଢ଼୍ୟରେ  ପୋଲିସ ପକ୍ଷରୁ ଜାହାଜର ସମସ୍ତ ୨୨ ଜଣ ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ପରେ ମୃତ ରୁଷ ନାଗରିକଙ୍କ ଶବକୁ ଏକ ଆମ୍ବୁଲାନ୍ସ ସହାୟତାରେ ବନ୍ଦର ଚିକିତ୍ସାଳୟର ଫ୍ରିଜରରେ ରଖାଯାଇଛି। ଏହି ପ୍ରକ୍ରିୟା ରାତି ୨ ଟା ପର୍ଯ୍ୟନ୍ତ ଚାଲିଥିଲା। ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯିବାର ବ୍ୟବସ୍ଥା କରାଯିବ। ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତରର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ବ୍ୟବଛେଦ ପରେ ତାଙ୍କର ମୃତ୍ୟୁର ସଠିକ୍ ତଥ୍ୟ ସାମ୍ନାକୁ ଆସିବ।

Leave A Reply

Your email address will not be published.