Latest Odisha News

BREAKING NEWS

Cases Registered: ଏହି ସହରରେ ବର୍ଷକରେ ରୁଜୁ ହୋଇଛି ୯ ହଜାର ୨ ଶହ କେସ୍‌

କଟକ: ୨୦୨୫ରେ କଟକ ସହରରେ ଥିବା ୨୧ଟି ଥାନାରେ ମୋଟ ୯ ହଜାର ୧୩୯ଟି ମାମଲା ରୁଜୁ ହୋଇଛି । ଯାହାକି ୨୦୨୪ ମସିହା ତୁଳନାରେ ପ୍ରାୟ ୨ ହଜାର ଅଧିକ ଅଟେ । କେବଳ ସଦର ଥାନାରେ ଚଳିତ ବର୍ଷ ପ୍ରାୟ ରେକର୍ଡ ସଂଖ୍ୟକ ୧ ହଜାର ମାମଲା ରୁଜୁ ହୋଇଛି । ଯାହାକି ଥାନା ପାଇଁ ଚିନ୍ତାକର ବିଷୟ ପାଲଟିଛି ।

ଏବେ କଟକରେ ମୋଟ ୨୪ଟି ଥାନା ରହିଛି । ସେଥିମଧ୍ୟରୁ ୧୯ଟି ସାଧାରଣ ଥାନା, ଗୋଟିଏ ମହିଳା ଥାନା, ଗୋଟିଏ ସାଇବର ଥାନା, ଗୋଟିଏ ବିଦ୍ୟୁତ୍ ଥାନା ଓ ଦୁଇଟି ଟ୍ରାଫିକ୍ ଥାନା ଅଛି । ସେଥିମଧ୍ୟରୁ ବିଦ୍ୟୁତ୍ ଥାନା ଏକ ପ୍ରକାର ଅଚଳ ହୋଇଯାଇଛି । ଦୁଇ ଟ୍ରାଫିକ୍ ଥାନାରେ କେସ୍ କରାଯାଏନି । ଏହାକୁ ବାଦ୍ ଦେଲେ ଅନ୍ୟ ୨୧ଟି ଥାନାରେ ଗତ ୨୦୨୪ ମସିହାରେ ମୋଟ୍ ୭ ହଜାର ୨୬୮ଟି ମାମଲା ରୁଜୁ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ୨୧ଟି ଥାନାରେ ୯ ହଜାର ୧୩୯ଟି କେସ୍ ରୁଜୁ ହୋଇଛି ।

କଟକ ସଦର ଥାନାରେ ସବୁଠୁ ଅଧିକ ୯୭୪ଟି କେସ୍ ରୁଜୁ ହୋଇଛି । ଗତବର୍ଷ ଏଠାରେ ୭୧୭ଟି କେସ୍ ରୁଜୁ ହୋଇଥିଲା । ହଠାତ୍ ବର୍ଷକ ଭିତରେ ପ୍ରାୟ ୨୫୦ରୁ ଅଧିକ କେସ୍ ଏଠାରେ ରୁଜୁ ହୋଇଛି ।

ଅନ୍ୟପଟେ ଗାଡ଼ି ଯାଞ୍ଚ ନେଇ ରୁଜୁ ହେଉଥିବା କେସ୍, ସାଇବର କେସ୍ ଓ ଅବକାରୀ କେସ୍ ବଢ଼ିବାରୁ ଏହି ସଂଖ୍ୟା ବଢ଼ିଥିବା ପୋଲିସର କିଛି ଅଧିକାରୀ କହୁଛନ୍ତି । ମାତ୍ର ଅସଲ କଥା ହେଉଛି, ଚଳିତ ବର୍ଷ ପ୍ରାୟ ସବୁ ଥାନାରେ କଳିଝଗଡ଼ା ମାମଲା ଅହେତୁକ ଭାବେ ବୃଦ୍ଧି ପାଇଛି । ତେବେ ହଠାତ୍ କଟକ ସହରରେ ଗୋଟିଏ ବର୍ଷରେ ପ୍ରାୟ ୨ ହଜାର ମାମଲା ରୁଜୁ ହେବା ଚିନ୍ତାଜନକ ବୋଲି କିଛି ଥାନା ଅଧିକାରୀ ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.