Latest Odisha News

BREAKING NEWS

Loktak Lake: ପାଣିରେ ଭାସୁଛି ଭୂମି…ଭାସମାନ ଭୂମିରେ ନିଇତି ବଦଳୁଛି ଠିକଣା…

ଇମ୍ଫାଲ୍: ଭାବନ୍ତୁ ତ, ଗୋଟିଏ ହ୍ରଦ… ଆଉ ସେହି ହ୍ରଦର ପାଣି ଉପରେ ଭାସୁଛି ଭୂମି। ଆଉ ସେହି ଭାସମାନ ଭୂମି ଉପରେ ରହିଛି ଜଙ୍ଗଲ, ବନ୍ୟଜନ୍ତୁ, ଏପରିକି ଲୋକଙ୍କ ବସବାସ ମଧ୍ୟ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ। ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ରହିଛି ଲୋକତକ ହ୍ରଦ, ଯାହାକୁ ଦେଶର ସବୁଠାରୁ ଅନନ୍ୟ ଓ ରହସ୍ୟମୟ ହ୍ରଦ ବୋଲି କୁହାଯାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏହି ହ୍ରଦ ବିଶ୍ୱବ୍ୟାପୀ ପରିଚିତ ଏହାର ଭାସମାନ ଦ୍ୱୀପ ଓ ବିଶ୍ୱର ଏକମାତ୍ର ଫ୍ଲୋଟିଂ ଜାତୀୟ ଉଦ୍ୟାନ ପାଇଁ। ପ୍ରକୃତିର ଏହି ଅଦ୍ଭୁତ ସୃଷ୍ଟି ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ, ଫଟୋଗ୍ରାଫର ଓ ବନ୍ୟଜନ୍ତୁ ପ୍ରେମୀଙ୍କୁ ଆକର୍ଷିତ କରିଥାଏ।

କାହିଁକି ଭାସେ ଲୋକତକ ହ୍ରଦର ଦ୍ୱୀପ?

ଲୋକତକ ହ୍ରଦର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ‘ଫୁମଦି’ (Phumdis)। ଏଗୁଡ଼ିକ ମାଟି, ଘାସ, ଜଳଜ ଉଦ୍ଭିଦ ଓ ବିଭିନ୍ନ ଜୈବିକ ପଦାର୍ଥ ମିଶି ସୃଷ୍ଟି ହୋଇଥିବା ପ୍ରାକୃତିକ ଭାସମାନ ଭୂମି। ଏହି ସବୁ ପଦାର୍ଥ ମଧ୍ୟରେ ବାୟୁ ଭରି ରହିଥିବାରୁ ସେଗୁଡ଼ିକ ସ୍ପଞ୍ଜ ପରି ହାଲୁକା ହୋଇଯାଏ ଏବଂ ଭୂମିଗୁଡିକ ଦ୍ବୀପ ସଦୃଶ ହ୍ରଦର ପାଣି ଉପରେ ଠା ଠା ସ୍ଥାନରେ ଭାସି ରହିଥାଏ ।  ବର୍ଷା ଋତୁରେ ଜଳସ୍ତର ବଢ଼ିଲେ ଫୁମଦିଗୁଡ଼ିକ ହ୍ରଦ ପୃଷ୍ଠରେ ଭାସନ୍ତି। ଶୁଖିଲା ଋତୁରେ ଜଳସ୍ତର କମିଲେ ସେଗୁଡ଼ିକ ହ୍ରଦ ତଳକୁ ସ୍ପର୍ଶ କରି ସେଠାରୁ ପୋଷକ ତତ୍ତ୍ୱ ଶୋଷଣ କରନ୍ତି। ପୁଣି ପାଣି ବଢ଼ିଲେ ସେମାନେ ଉପରକୁ ଭାସି ଆସନ୍ତି। ଏହି ପ୍ରାକୃତିକ ଚକ୍ର କାରଣରୁ ଫୁମଦିଗୁଡ଼ିକ ବର୍ଷ ବର୍ଷ ଧରି ଭାସମାନ ଅବସ୍ଥାରେ ରହିଥାଏ ଏବଂ ଜଳର ସ୍ରୋତ ଓ ପବନ ଅନୁସାରେ ଧୀରେ ଧୀରେ ନିଜ ସ୍ଥାନ ମଧ୍ୟ ପରିବର୍ତ୍ତନ କରିଥାଏ। କେତେକ ଫୁମଦି ଏତେ ବଡ଼ ଓ ମଜବୁତ ଯେ ସେଥିରେ ଲୋକମାନେ ଘର ତିଆରି କରି ରହୁଛନ୍ତି। ପାଖାପାଖି ୪ହଜାର ଲୋକେ ଏହି ଭାସମାନ ଦ୍ୱୀପ ଉପରେ ବସବାସ କରି ମାଛଧରାକୁ ଜୀବିକା ଭାବେ ଅବଲମ୍ବନ କରିଛନ୍ତି। ଆଉ ଭୂମିର ଏହି ଭାସମାନ ଗୁଣ ଯୋଗୁଁ ଏଠି ବସବାସ କରୁଥିବା ଜନଜୀବନଙ୍କର ନିଇତି ବଦଳେ ଠିକଣା ।

ଖାଲି ସେତିକି ନୁହେଁ, ଲୋକତକ ହ୍ରଦ ମଧ୍ୟରେ ରହିଛି କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନ, ଯାହା ବିଶ୍ୱର ଏକମାତ୍ର ଫ୍ଲୋଟିଂ ନ୍ୟାସନାଲ ପାର୍କ ଭାବେ ପରିଚିତ। ପ୍ରାୟ ୪୦ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ଏହି ଉଦ୍ୟାନ ସମ୍ପୂର୍ଣ୍ଣ ଭାବେ ଫୁମଦି ଉପରେ ଅବସ୍ଥିତ। ତେଣୁ ଏହାକୁ ‘ଭାସମାନ ଜାତୀୟ ଉଦ୍ୟାନ’ ବୋଲି କୁହାଯାଏ। ଏହାର ଅନନ୍ୟ ପରିବେଶ ବ୍ୟବସ୍ଥା ଓ ଜୈବ ବିବିଧତା ଏହାକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଛି। ଏହି ଜାତୀୟ ଉଦ୍ୟାନ ହେଉଛି ମଣିପୁରର ରାଜ୍ୟ ପଶୁ ସଙ୍ଗାଇ ହରିଣର ଶେଷ ପ୍ରାକୃତିକ ବାସସ୍ଥାନ। ଏକ ସମୟରେ ସଙ୍ଗାଇ ହରିଣକୁ ବିଲୁପ୍ତ ବୋଲି ଧରାଯାଉଥିଲା। କିନ୍ତୁ ପରେ ଏହି ଉଦ୍ୟାନରେ ଏହାର ଅସ୍ତିତ୍ୱ ଚିହ୍ନଟ ହୋଇଥିଲା। ଫୁମଦିର କୋମଳ ପୃଷ୍ଠ ଉପରେ ଚାଲିବା ସମୟରେ ସଙ୍ଗାଇ ହରିଣର ଚାଲିବା ଶୈଳୀ ନାଚ ପରି ଦେଖାଯାଏ। ଏହି କାରଣରୁ ଏହାକୁ ‘ଡ୍ୟାନ୍ସିଂ ଡିୟର’ ମଧ୍ୟ କୁହାଯାଏ। ଏହି ବିରଳ ପ୍ରଜାତିର ସଂରକ୍ଷଣରେ କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ମଣିପୁରର ଜୀବନରେଖା

ଲୋକତକ ହ୍ରଦ କେବଳ ଏକ ପର୍ଯ୍ୟଟନ ସ୍ଥଳ ନୁହେଁ, ଏହା ହଜାର ହଜାର ସ୍ଥାନୀୟ ପରିବାରର ଜୀବନ ଓ ଜୀବିକାର ଆଧାର। ହ୍ରଦରେ ବ୍ୟାପକ ମାଛଧରା କାର୍ଯ୍ୟ ହୋଇଥାଏ। ଏହାର ପାଣି ଚାଷ ଜମିରେ ଜଳସେଚନ, ପାନୀୟ ଜଳ ଯୋଗାଣ ଓ ଜଳବିଦ୍ୟୁତ ଉତ୍ପାଦନରେ ବ୍ୟବହୃତ ହୁଏ। ସେଥିପାଇଁ ଲୋକତକ ହ୍ରଦକୁ ମଣିପୁରର ‘ଲାଇଫଲାଇନ୍’ ବୋଲି ମଧ୍ୟ କୁହାଯାଏ।

ପର୍ଯ୍ୟଟକଙ୍କ ପାଇଁ ସ୍ୱର୍ଗ

ସବୁଜ ପ୍ରକୃତି, ଭାସମାନ ଦ୍ୱୀପ, ନୌକା ବିହାର, ଦୁର୍ଲଭ ବନ୍ୟଜନ୍ତୁ ଓ ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ଲୋକତକ ହ୍ରଦକୁ ଅନ୍ୟ ସବୁ ପର୍ଯ୍ୟଟନ ସ୍ଥଳଠାରୁ ଅଲଗା କରିଥାଏ। ପ୍ରକୃତିକୁ ନିକଟରୁ ଅନୁଭବ କରିବାକୁ ଚାହୁଁଥିବା ପର୍ଯ୍ୟଟକ, ଫଟୋଗ୍ରାଫର ଓ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏହି ସ୍ଥାନ କୌଣସି ସ୍ୱର୍ଗଠାରୁ କମ୍ ନୁହେଁ। ପ୍ରକୃତିର ଏହି ଅନନ୍ୟ ଉପହାର ପ୍ରମାଣ କରେ, ଭାରତ କେବଳ ଐତିହ୍ୟ ଓ ସଂସ୍କୃତିର ଦେଶ ନୁହେଁ, ବରଂ ଏମିତି ଅନେକ ପ୍ରାକୃତିକ ଆଶ୍ଚର୍ଯ୍ୟର ଭଣ୍ଡାର, ଯାହା ବିଶ୍ୱକୁ ଆଜି ମଧ୍ୟ ବିସ୍ମିତ କରୁଛି।

Leave A Reply

Your email address will not be published.