Latest Odisha News

BREAKING NEWS

ଏପରି ମନ୍ଦିର, ଯେଉଁଠି ହୋଇଥାଏ ଭବିଷ୍ୟବାଣୀ

ଓଡିଶା ସମ୍ବାଦ ବ୍ୟୁରୋ : ବିଚିତ୍ରମୟ ଆମ ଭାରତବର୍ଷ। ଏହି ଦେବ ଭୂମୀରେ ରହିଛି ଅନେକ ଆଧ୍ୟାତ୍ମିକ ଝଲକ। ଯାହା ବିଶ୍ୱାସଯୋଗ୍ୟ ହେଉ ବା ନ ହେଉ ତାହା ଆଜିବି ଘଟୁଛି। ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି ପାରୁ ନାହାନ୍ତି। ଏହିଭଳି ମନ୍ଦିର ଅଜବ ମାନ୍ୟତା ସହିତ ଏହାର ସ୍ଥିତିକୁ ନେଇ ବେଶ ପ୍ରସିଦ୍ଧ ଅଛି। ଏହିପରି ଏକ ସ୍ଥାନ ହେଉଛି ଉତ୍ତରପ୍ରଦେଶ କାନପୁର ଠାରେ ଥିବା ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର।

ଉତ୍ତରପ୍ରଦେଶର କାନପୁରରେ ରହିଛି ବେହଟା ଗାଁ। ଯେଉଁଠାରେ କାନପୁରରେ ରହିଛି ଏକ ପୁରାତନ ଭଗବାନ ଜଗନ୍ନାଥଙ୍କ ମନ୍ଦିର । ଏହା ଭିତର ଗାଁର ବିକାଶଖଣ୍ଡର ପାଖାପାଖି ୩ କିଲୋମିଟର ଦୂରରେ ରହିଛି। ଏହି ମନ୍ଦିର ବେଶ ଚର୍ଚ୍ଚିତ । ଏଠାକୁ ଅନେକ ଭକ୍ତ ଦୂରଦରାନ୍ତରୁ ଆସିଥାନ୍ତି ଭଗବାନଙ୍କ ଦର୍ଶନ ପାଇଁ। ଏହି ମନ୍ଦିର ସହ ଅନେକ ରହସ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି। ଏହି ମନ୍ଦିରର ବିଶେଷତ୍ୱ ହେଲା, ବର୍ଷା ଆରମ୍ଭ ହେବାର ସାତ ଦିନ ପୂର୍ବରୁ ହିଁ ଏହି ମନ୍ଦିର ବର୍ଷା ହେବାର ସୂଚନା ଦେଇଥାଏ।

ବର୍ଷା ଆରମ୍ଭ ହେବାର ସାତଦିନ ପୂର୍ବରୁ ଏହି ମନ୍ଦିରର ଛାତ ମଧ୍ୟରୁ ବିନା ବର୍ଷାରେ ସ୍ୱତଃ ପାଣି ପଡ଼ିଥାଏ। ଲୋକେ କୁହନ୍ତି ଯେ ଏହି ପାଣି ବୁନ୍ଦାର ଆକାର ଯେପରି ଥାଏ ବର୍ଷା ବି ସେମିତି ହୁଏ । ଏହିପରି ପାଣି ପଡିବାର ଠିକ ସାତ ଦିନ ପରେ ଦେଶରେ ନିଶ୍ଚିତ ବୃଷ୍ଟିପାତ ହୋଇଥାଏ। ଅନେକ ଏ ରହସ୍ୟ ଭେଦ କରିବାକୁ ପ୍ରୟାସ କରିଥିଲେ ବି ଏପର୍ଯ୍ୟନ୍ତ ଏଥିରେ ସଫଳ ହୋଇ ନାହାନ୍ତି। ପୁଣି, ଏହି ମନ୍ଦିରକୁ କିଏ ନିର୍ମାଣ କରିଛନ୍ତି, ତାହା ବି ପ୍ରଶ୍ନବାଚୀ ହୋଇ ରହିଯାଇଛି। କାରଣ ଏହି ମନ୍ଦିର ପ୍ରତିଷ୍ଠା ର କୌଣସି ଐତିହାସିକ ପୃଷ୍ଠଭୂମୀ ଏପର୍ଯ୍ୟନ୍ତ କୌଣସି ଐତିହାସିକ ପାଇ ପାରିନାହାନ୍ତି। ଶ୍ରଦ୍ଧା ଓ ବିଶ୍ୱାସ ଉପରେ ପ୍ରତିଷ୍ଠିତ ଉକ୍ତ ଘଟଣାଟି ଆଜି ବି ଉକ୍ତ ମନ୍ଦିରରେ ଘଟୁଛି।

ଏହି ମନ୍ଦିରର ରହସ୍ୟ ବର୍ଷାର ଭବିଷ୍ୟବାଣୀ କରି ଶେଷ ହୁଏ ନାହିଁ। କୁହାଯାଏ ଯେ ବର୍ଷା ଯେପରି ଶେଷ ହୋଇଯାଏ ସେପରି ମନ୍ଦିରର ଛାତ ଆପେ ଆପେ ଶୁଖିଯାଏ। ଏଠାକାର ଲୋକ କୁହନ୍ତି ଯେ ଏହି ମନ୍ଦିରର ସ୍ୱତନ୍ତ୍ରତା ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୌଣସି ଲୋକ ମଧ୍ୟ ଜାଣିପାରିନାହାନ୍ତି। ଏହା ବହୁ ବର୍ଷ ପୁରୁଣା ମନ୍ଦିର। ମନ୍ଦିରରେ ଜଗନ୍ନାଥଙ୍କ ମୂର୍ତ୍ତି ରହିଛି। ଏହି ମୂର୍ତ୍ତିରେ ଆପଣ ଶ୍ରୀହରି ବିଷ୍ଣୁଙ୍କର ୨୪ଟି ଅବତାରକୁ ଦେଖିପାରିବେ। ଏଥିରେ କଳିଯୁଗରେ ନେବାକୁ ଥିବା ଅବତାର କଳକି ଅବତାର ମଧ୍ୟ ରହିଛି। ଏହାର ଗୁମୁଟରେ ଏକ ପ୍ରକାରର ଚକ୍ର ଲଗାଯାଇଛି ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ମନ୍ଦିରରେ କିମ୍ବା ଏହାର ଆଖପାଖରେ ବିଜୁଳି ପଡେ ନାହିଁ।

Leave A Reply

Your email address will not be published.