Latest Odisha News

BREAKING NEWS

୨୬/୧୧ ଆକ୍ରମଣ ଷଡ଼ଯନ୍ତ୍ରକାରୀଙ୍କୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଚେତାବନୀ

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ୱର ୨୬ ତାରିଖରେ ଆତଙ୍କବାଦୀ ଆକ୍ରମଣରେ ଥରିଉଠିଥିଲା ମୁମ୍ୱାଇ । ଆଜି ଏହି ଆକ୍ରମଣକୁ ୧୪ବର୍ଷ ହୋଇଛି । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟ୍ୱିଟ କରି ସେ କହିଛନ୍ତିଯେ, ଯେଉଁମାନେ ମୁମ୍ୱାଇ ଆକ୍ରମଣର ଷଡଯନ୍ତ୍ରାକାରୀ ସେମାନଙ୍କୁ କାଠଗଡାରେ ଠିଆ କରିବା ଉଚିତ୍ । ଆକ୍ରମଣର ଛୋଟ ଭିଡିଓ ସେୟାର କରି ସେ ଏହା ଲେଖିଛନ୍ତି । ୧ମିନିଟ ୩୬ ସେକେଣ୍ଡର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ବି ରହିଛି । ଯେଉଁଥିରେ ମୋଦୀ ଆତଙ୍କବାଦକୁ ମୂଳପୋଛ ନକରିବା ଯାଏଁ ଶାନ୍ତିରେ ବସିବେ ନାହିଁ ବୋଲି କହୁଛନ୍ତି । ମୁମ୍ୱାଇ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଜୟଶଙ୍କର ନିଜ ମେସେଜ୍ ଜରିଆରେ ବିଶ୍ୱ ସମୁଦାୟକୁ ଆତଙ୍କାବାଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ନିବେଦନ କରିଛନ୍ତି । ଆତଙ୍କବାଦୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସେ ଚେତାବନୀ ଦେଇଛନ୍ତି । ସାରା ବିଶ୍ୱରେ ଆଇଏସଆଇଏସଆଇ ଓ ଅଲ-କାଏଦା ଭଳି ଆତଙ୍କୀ ସଂଗଠନ ବିଭିନ୍ନ ସମୟରେ ଆତଙ୍କ ଖେଳାଉଛନ୍ତି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ବି ଭାଷଣ ଦେବା ବେଳେ ଜୟଶଙ୍କର ମୁମ୍ୱାଇ ଆତଙ୍କବାଦ ପାଇଁ ପାକିସ୍ତାନକୁ ଇଙ୍ଗିତ କରିଥିଲେ । ଏହି ଆକ୍ରମଣରେ ୨୬ ବିଦେଶୀ ନାଗରିକଙ୍କ ସମେତ ୧୬୬ ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ ।

୧୦ଜଣ ଲସ୍କର-ଏ-ତୋଇବାର ଆତଙ୍କବାଦୀ ସମୁଦ୍ର ରାସ୍ତା ଦେଇ ପାକିସ୍ତାନରୁ ମୁମ୍ୱାଇ ସହରକୁ ପ୍ରବେଶ କରିଥିଲେ । ତାଜ୍ ହୋଟେଲ, ଟ୍ରାଇଡେଣ୍ଟ ହୋଟେଲ, ଲିଓପୋଲ୍ଡ କ୍ୟାଫେ, କାମା ହସପିଟାଲ ଓ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ରେ ଆତଙ୍କରାଜ୍ ଖେଳାଇଥିଲେ । ଏନଏସଜି ଓ ମୁମ୍ୱାଇ ପୋଲିସ ୯ ଜଣ ଆତଙ୍କବାଦୀଙ୍କୁ ଗୁଳି କରି ମାରିଥିଲେ । ଗିରଫ ଆତଙ୍କବାଦୀ ଅଜମଲ୍ କସାବକୁ ୪ ବର୍ଷ ପରେ ଫାଶୀ ଦିଆଯାଇଥିଲା ।

ଡେଭିଡ୍ କୋଲିମାନ୍ ହେଡଲି ଓ ତାଇହୁର ହୁସେନ ରାଣା ନାମକ ବ୍ୟକ୍ତି ମୁମ୍ୱାଇ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ । ସେମାନେ ଆମେରିକାରେ ୨୦୦୯ରେ ଅନ୍ୟ ଏକ ଆକ୍ରମଣରେ ଗିରଫ ହୋଇଥିଲେ । ସେମାନଙ୍କୁ ଦଣ୍ଡବିଧାନ କରିବ ଅନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ୍ । ତେଣୁ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ବିଭିନ୍ନ ଦେଶର ଲୋକେ ଦାବି କରିଆସୁଛନ୍ତି ।

Leave A Reply

Your email address will not be published.