Latest Odisha News

BREAKING NEWS

ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ତାଲିକାରେ ରାଜ୍ୟର ୩ଟି ସହର, ସର୍ବାଗ୍ରେ ବାରିପଦା

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ମଙ୍ଗଳବାର ରାଜ୍ୟର ୩ଟି ସହର ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ତାଲିକାରେ ରହିଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୪୬.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇ ଏହା ବିଶ୍ୱର ଦ୍ବିତୀୟ ଉତ୍ତପ୍ତ ସ୍ଥାନ ହେବା ସହ ସହର ପାଇଁ ନୂଆ ରେକର୍ଡ ସୃଷ୍ଟି କରିଛି। ବାଲେଶ୍ୱର ଓ ଭୁବନେଶ୍ୱର ଯଥାକ୍ରମେ ତୃତୀୟ ଓ ଦଶମ ଉତ୍ତପ୍ତ ସ୍ଥାନ ତାଲିକାରେ ସ୍ଥାନ ପାଇଛି। ଆଇଏମଡି ଭୁବନେଶ୍ୱରର ବୈଜ୍ଞାନିକ ଉମାଶଙ୍କର ଦାସ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ ଏହି ସୂଚନା ଦେଇଛନ୍ତି।

ସମଗ୍ର ବିଶ୍ୱରେ ସର୍ବାଧିକ ତାପମାତ୍ରା ଓମାନର ଜୋବାରେ ରେକର୍ଡ କରାଯାଇଛି, ଯେଉଁଠାରେ ପାରଦ ୪୯.୨ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି।

ଚଳିତ ଋତୁରେ ପ୍ରଥମ ଥର ପାଇଁ ଓଡ଼ିଶାର ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିଛି। ମଙ୍ଗଳବାର ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ବାରିପଦା ପରେ ବାଲେଶ୍ୱର ୪୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ହୋଇଥିବା ବେଳେ ଭୁବନେଶ୍ୱର ୪୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ତୃତୀୟ ସ୍ଥାନରେ ରହିଛି । ଅନୁଗୁଳ, ତାଳଚେର, ଢେଙ୍କାନାଳ, ଯାଜପୁର, ବୌଦ୍ଧ, ଝାରସୁଗୁଡ଼ା, କଟକ, କେନ୍ଦ୍ରାପଡ଼ା, ଟିଟିଲାଗଡ଼, ନୟାଗଡ଼, ନୂଆପଡ଼ା ଓ ଭଦ୍ରକ ଆଦି ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହୋଇଛି।

ଏପ୍ରିଲ ୩୦, ମେ ୧ ଏବଂ ମେ ୨ ତାରିଖ ରେ ହେବାକୁ ଥିବା ଦିନଗୁଡ଼ିକ ପାଇଁ ଆଇଏମଡି ରେଡ୍ ଆଲର୍ଟ ଜାରି କରିଛି। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅବଶିଷ୍ଟ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି, ଯାହା ବିପଦର ସାମାନ୍ୟ କମ୍ ସଙ୍କେତ ଦେଉଛି।

Leave A Reply

Your email address will not be published.