Latest Odisha News

BREAKING NEWS

ତିନି ଟାଣୁଆ ପ୍ରାର୍ଥୀଙ୍କ ଭିତରେ ଲଢେଇ, କିଏ ଜିତିବ ଢେଙ୍କାନାଳ ଆସନ?

ଢେଙ୍କାନାଳ: କିଛି ଘଣ୍ଟାପରେ ଭୋଟର କରିବେ ଢେଙ୍କାନାଳର ଭାଗ୍ୟ ନିରୂପଣ । ଓଡ଼ିଶାରେ ମଙ୍ଗଳବାର ଦିନ ୩ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଢେଙ୍କାନାଳରେ ତିନିଦଳର ତିନି ଜଣ ଟାଣୁଆ ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ଘମାଘୋଟ ନିର୍ବାଚନ ଯୁଦ୍ଧ । ରାଜନୈତିକ ବିଶାରଦଙ୍କ ମତାନୁଯାୟୀ ଯିଏ ବି ଜିତିବ ଅଳ୍ପ ସଂଖ୍ୟକ ଭୋଟ ବ୍ୟବଧାନରେ । ଏବେ ଫଳାଫଳ ଆକଳନ କରିବା କଷ୍ଟକର ହୋଇଥିବା ଯୋଗୁଁ ମେ ୨୩ ତାରିଖ ଦିନ ହିଁ ଜଣାପଡ଼ିବ ଢେଙ୍କାନାଳ ଲଢେଇରେ ବିଜୟର ଟୀକା ଲାଗିବ କାହା ମୁଣ୍ଡରେ ।

ଗୁରୁତ୍ୱପୂର୍ଣ୍ଣ ଢେଙ୍କାନାଳ ଲୋକସଭା ଆସନରେ ବିଜେଡ଼ି ପକ୍ଷରୁ ମହେଶ ସାହୁ, ବିଜେପିରୁ ରୁଦ୍ର ନାରାୟଣ ପାଣି ଏବଂ କଂଗ୍ରେସରୁ ବରିଷ୍ଠ ନେତା କାମାକ୍ଷା ପ୍ରସାଦ ସିଂହଦେଓ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଏହି ତିନିଜଣ ପ୍ରାର୍ଥୀ ରାଜନୀତିରେ ବେଶ୍ ପୋଖତ ଏବଂ ନିଜ ନିଜ ଦଳ ମଧ୍ୟ ଏହି ତିନି ପ୍ରାର୍ଥୀଙ୍କ ଉପରେ ବେଶ୍ ଭରସା ରଖିଛନ୍ତି ଯେ, ନିର୍ବାଚନ ମଇଦାନରେ ଜିତି ବିଜୟର ଟୀକା ପିନ୍ଧିବେ ।

ଏହି ଆସନରେ ଏଥର ବିଜେଡ଼ି ସାଂସଦ ତଥା ବରିଷ୍ଠ ନେତା ତଥାଗତ ଶତପଥୀଙ୍କ ବଦଳରେ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜେଡ଼ିର ଟାଣୁଆ ପ୍ରାର୍ଥୀ ମହେଶ ସାହୁ ଯିଏକି ସ୍ୱାଭିମାନୀ ରୁଦ୍ର ପାଣିଙ୍କ ବିଭିନ୍ନ ପ୍ରସଙ୍ଗରେ ଜଣେ କଟୁ ସମାଲୋଚକ ଭାବେ ବେଶ୍ ଜଣାଶୁଣା । ସେପଟେ ରାଜପରିବାରର ପୋଖତ ରାଜନେତା ଭାବେ ସମଗ୍ର ନିର୍ବାଚନ ମଣ୍ଡଳୀରେ କାମାକ୍ଷା ସିଂହଦେଓଙ୍କର ସୁଖ୍ୟାତି ରହିଥିବା କଥା କାହାକୁ ଅଛପା ନୁହେଁ । ତେଣୁ ଏଥର ଲଢେଇ ଜବର ହେବ ବୋଲି ଢେଙ୍କାନାଳ ରାଜନୀତି ଖଟିରେ ବେଶ୍ ଚର୍ଚ୍ଚା ହେଉଛି ।

ଢେଙ୍କାନାଳ ଆସନକୁ ଶାସକ ବିଜେଡ଼ି ୨୦୦୪ ପରଠାରୁ ନିଜ ହାତମୁଠାରେ ରଖିଥିଲେ ମଧ୍ୟ ଏଥର ଦଳ ଅନ୍ୟ ଆସନଗୁଡ଼ିକ ପରି ଏହି ଆସନରେ ମଧ୍ୟ ବିଜେପିର କଡ଼ା ମୁକାବିଲାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗତ ସପ୍ତାହରେ ଢେଙ୍କାନାଳରେ ରୋଡ଼ ଶୋ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସମ୍ବାଦକୁ ସାକ୍ଷାତକାର ଦେଇ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି କହିଛନ୍ତି, “ଆରମ୍ଭରୁ ମୁଁ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ପରିଦର୍ଶନ କରି ଆସି ସାରିଲିଣି, ସବୁଆଡ଼େ ପରିବର୍ତ୍ତନର ନାରା ଦେଖିବାକୁ ପାଉଛି ।”

ଢେଙ୍କାନାଳରେ ଆଦିବାସୀ ତଥା ଅନୁସୁଚିତ ଜାତି ସଂଗଠନ ଗୁଡ଼ିକର ମିଳିତ ମଞ୍ଚ ଭାବେ ଗଠିତ ହୋଇଥିବା ‘ବୀର ବିରସା ବିକାଶ ସମିତି’ ନାମକ ସଂଗଠନ ବିଜେପି ଆଡ଼କୁ ଢଳିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ଆସିଲେ ସେମାନଙ୍କର ନ୍ୟାଯ୍ୟ ଦାବୀ ପୂରଣ ହୋଇପାରିବ ବୋଲି ବିଶ୍ୱାସ ପ୍ରକଟ କରି ଖୋଲାଖୋଲି ବିଜେପିକୁ ସମର୍ଥନ କରିଛନ୍ତି । କଥାହେଲା, ଏହି ନିର୍ବାଚନ ମଣ୍ଡଳୀରେ ଅନୁସୂଚିତ ଜାତିର ଜନସଂଖ୍ୟା ମୋଟ ଜନସଂଖ୍ୟାର ୧୯.୨୮ ଏବଂ ଅନୁସୂଚିତ ଜନଜାତିର ଜନସଂଖ୍ୟା ହେଉଛି ୧୩.୫୯ ପ୍ରତିଶତ ।

ସେହିପରି ବିଜେପି ପ୍ରାର୍ଥୀ ସମଗ୍ର ଜିଲ୍ଲାରେ ତୃଣମୂଳସ୍ତରରେ ନିଜକୁ ନେତା ଭାବେ ପ୍ରତିପାଦନ କରିସାରିଛନ୍ତି । ତାଙ୍କର ଦଳପ୍ରତି ଆନୁଗତ୍ୟ ତଥା ନିର୍ବାଚନ ମଣ୍ଡଳୀରେ ଭଲ ଦବଦବା ରହିଛି । ରାଜ୍ୟ ରାଜନୀତିରେ ଜଣେ ତୁଙ୍ଗ ନେତା ଭାବେ ସେ ନିର୍ବାଚନ ମଣ୍ଡଳୀରେ ବେଶ୍ ପରିଚିତ ମଧ୍ୟ ।

ରାଜନୈତିକ ବିଶାରଦଙ୍କ ମତରେ ମୋଦୀ ଲହର ଚାଲୁଥିଲେ ମଧ୍ୟ ଟାଣୁଆ ବିଜେଡ଼ି ପ୍ରାର୍ଥୀଙ୍କର ଭାବମୂର୍ତ୍ତୀ ବେଶ୍ ମଜବୁତ ସ୍ଥିତିରେ ରହିଛି । ଜଣେ ଦକ୍ଷ ସଂଗଠକ ଭାବେ ସେ ଅନେକ ସମୟରେ ନିଜର ପାରିବାର ପଣିଆ ପୂର୍ବରୁ ହାଇକମାଣ୍ଡଙ୍କୁ ପ୍ରଦର୍ଶନ କରିସାରିଛନ୍ତି । ତାଙ୍କ ଉପରେ ହାଇକମାଣ୍ଡ ମଧ୍ୟ ସନ୍ତୁଷ୍ଟ ତଥା ବେଶ୍ ଆଶାବାଦୀ । ତେଣୁ ମହେଶଙ୍କ ରଣନୀତି ଅନ୍ୟ ଦୁଇ ଦଳର ପ୍ରାର୍ଥୀଙ୍କୁ ଯେ କଷ୍ଟକର ବ୍ୟାପାର ନହେବ ତାହା ନିର୍ବାଚନ ନସରିବା ପର୍ଯ୍ୟନ୍ତ କହିହେବ ନାହିଁ । ପୂର୍ବରୁ ସେ ବିଜେପି ନେତା ଭାବେ ଯେପରି ତାଳଚେର-ପାଲଲହଡ଼ା ଅଞ୍ଚଳରେ ନିଜର ସାଂଗଠନିକ ଚମତ୍କାରୀତା ଦେଖାଇପାରିଛନ୍ତି ସେ ବିଜେଡ଼ିକୁ ଲମ୍ଫ ପ୍ରଦାନ ପରେ ମଧ୍ୟ ଜାରି ରଖିଛନ୍ତି ।

ତେବେ କେତେକଙ୍କ କହିବାନୁଯାୟୀ, ଢେଙ୍କାନାଳ ଆସନରେ ବିଜେଡ଼ି ଓ ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି ମାତ୍ର ଏହି ଆସନରେ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ଭାବମୂର୍ତ୍ତି ଯୋଗୁଁ କଂଗ୍ରେସର ଭଲ ଭୋଟ ମଧ୍ୟ ଅକ୍ଷତ ଅବସ୍ଥାରେ ରହିଛି । ତେଣୁ ତ୍ରୀମୁଖୀ ପ୍ରତିଦ୍ୱନ୍ଦିତାକୁ ଏଡ଼ାଇ ଦେଇ ହେବନାହିଁ ।

Leave A Reply

Your email address will not be published.