Latest Odisha News

BREAKING NEWS

ପୁରୀରେ ଓକିଲ ଓ ଡାକ୍ତରଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଭୁବନେଶ୍ୱର: ପୁରୀ ଲୋକସଭା ଆସନ ଗତ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳ କବଜାରେ ରହି ଆସିଛି । ଏପରିକି ବିଜେଡ଼ି ଏହି ଆସନଟିକୁ ଗତ ୫ଟି ନିର୍ବାଚନରେ ମଧ୍ୟ ଲଗାତର ଭାବେ ଅକ୍ତିଆର କରିଆସୁଛି । ଏଥର କିନ୍ତୁ ଏଠାରୁ ତିନିଥର ବୀଜୟର ଟୀକା ପିନ୍ଧିଥିବା ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ଲାଗି ସମ୍ମାନଜନକ ପୁରୀ ଲୋକସଭା ଜିତିବାଟା ସହଜ ହେବନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନପ୍ରିୟତାକୁ ଆୟୁଧ କରି ଏହି ନିର୍ବାଚନରେ ନୂତନ ଭାବେ ଅବତୀର୍ଣ୍ଣ ହୋଇଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ବିଜେଡ଼ି ପ୍ରାର୍ଥୀ ପିନାକୀଙ୍କୁ ଏହି ଭୋଟ ରାଜନୀତିରେ ଏକ ପ୍ରକାର କଡ୍ଡା ଚ୍ୟାଲେଞ୍ଜ ଦେଉଛନ୍ତି ।

ସାମ୍ବାଦିକତାରୁ ରାଜନେତା ପାଲଟିଥିବା ସତ୍ୟ ପ୍ରକାଶ ନାୟକ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ସାଂସଦ ପିନାକୀ ମିଶ୍ର ୨୦୧୪ ସାଧାରଣ ନିର୍ବାଚନରେ ପ୍ରାୟ ୫ ଲକ୍ଷରୁ ଅଧିକ ଭୋଟ ଅକ୍ତିଆର କରିଥିବା କରି ତାଙ୍କର ନିକଟତମ ପ୍ରତିିଦ୍ୱଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତିଙ୍କୁ ୨.୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ବିଜେପି ପକ୍ଷରୁ ଏହି ଆସନରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଅଶୋକ ସାହୁ ୨.୧୫ ଲକ୍ଷ ଭୋଟ ପାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଓଡ଼ିଶାର ଏହି ସମ୍ମାନଜନକ ଆସନଟିକୁ ବିଜେଡ଼ି ୧୯୯୮ ପରଠାରୁ ଲଗାତର ଭାବେ ଜିତିବା ସହିତ ସବୁଥର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରାହାରି ୧୭ ପ୍ରତିଶତ ବିଜୟ ବ୍ୟବଧାନ ହାର ରଖିଆସିଛି । ବିଜେଡ଼ି ପ୍ରାର୍ଥୀ ଶ୍ରୀ ମିଶ୍ର ଜଣେ ଅପରାଜେୟ ସାଂସଦ ରୂପେ ୨୦୦୯ ଠାରୁ ଏହି ଆସନଟିକୁ ନିଜ ଆୟତ୍ତରେ ରଖିଛନ୍ତି । ଅବଶ୍ୟ ତାଙ୍କ ପୂର୍ବରୁ ବରିଷ୍ଠ ନେତା ବ୍ରଜ କିଶୋର ତ୍ରିପାଠୀ ଲଗାତର ତିନିଥର ଲାଗି ଏହି ଆସନରେ ବିଜୟ ହାସଲ କରିପାରିଛନ୍ତି । ଏଠାରେ ସୂଚନାଯୋଗ୍ୟ, ପିନାକୀ ମିଶ୍ର ୧୯୯୬ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରୂପେ ଏହି ଆସନରୁ ସାଂସଦ ରୂପେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ବିଶେଷକରି ଭାରତୀୟ ଜନତା ପାର୍ଟିି (ବିଜେପି) ଏହି ପୁରୀ ଆସନଟି ଉପରେ ଦୃଷ୍ଟି ନିବଦ୍ଧ କରିବା ସହିତ ନିର୍ବାଚନର ଅନେକ ଆଗରୁ ବେଶ୍ ଗୁରୁତ୍ୱ ଦେଇଆସୁଛି । ସେହିପରି ପୁରୀକୁ ‘ସ୍ପିରିଚୁଆଲ୍ କ୍ୟାପିଟାଲ୍’ ବା ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ରୂପେ ଗଢିବା ନେଇ ନିଜ ଇସ୍ତାହାରରେ ଘୋଷଣା ମଧ୍ୟ କରିଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆସନରୁ ନିର୍ବାଚନ ଲଢିବେ ବୋଲି ମଧ୍ୟ ଅନେକ ଦିନ ଧରି ଆଲୋଚନା ପର୍ଯ୍ୟାଲୋଚନା ହୋଇ ଆସୁଥିଲା । ତେବେ ଯାହାବି ହେଉ, ଗୈରିକ ଦଳ ନିଜର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ ଭାବେ ଚୂଡ଼ାନ୍ତ କରି ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ରଙ୍କ ସହିତ ଲଢିବା ଲାଗି ମଇଦାନ ପ୍ରସ୍ତୁତ କରିଥିଲା ।

ଜାତୀୟ ଟେଲିଭିଜନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବିଭିନ୍ନ ରାଜନୈତିକ ଆଲୋଚନା ତଥା ତର୍କ-ବିତର୍କରେ ବିରୋଧୀମାନଙ୍କ ମୁହଁ ବନ୍ଦ କରିଦେବାରେ ବେଶ୍ ପାରଙ୍ଗମ ଥିବା ବିଜେପି ପ୍ରାର୍ଥୀ ଶ୍ରୀ ପାତ୍ରଙ୍କ କ୍ଷେତ୍ରରେ ଭୋଟ ମଇଦାନରେ ପଶୁ ପଶୁ ଚର୍ଚ୍ଚାର ପରିସରକୁ ଆସିଯାଇଥିଲେ । ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବାର ଅଭିଯୋଗ ପରି ଅଙ୍ଗୁଳିଠାର ମଧ୍ୟ ଶ୍ରୀ ପାତ୍ରଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଛି । ଯାଜପୁରର ବାସିନ୍ଦା ତଥା ପେଶାରେ ଡ଼ାକ୍ତର ଥିବା ସମ୍ବିତ ପାତ୍ର କଟକ ଏସସିବି ମେଡ଼ିକାଲ୍ କଲେଜରୁ ଏମବିବିଏସ ଅଧ୍ୟୟନ କରି ସମ୍ବଲପୁର ବୁର୍ଲ୍ଲରେ ପିଜି ପାଶ୍ କରିଛନ୍ତି । ସେମିତି ଦେଖିବାକୁ ଗଲେ ପୁରୀରେ ତାଙ୍କର ସୀମିତ କାର୍ଯ୍ୟକଳାପ ବା ଆଦୌ ନାହିଁ କହିଲେ ଚଳେ । ପ୍ରାର୍ଥୀ ହିସାବରେ ସେ ବାହାର ଜିଲ୍ଲାର ବୋଲି ମଧ୍ୟ ବିବେଚିତ ହେଉଛନ୍ତି ।

କିନ୍ତୁ, ଏହି ନିର୍ବାଚନ ପ୍ରଚାରରେ ସେ ତାଙ୍କର ବାକପଟୁତା ଯୋଗୁୃଁ ଭୋଟରମାନଙ୍କୁ ନିଜ ପଟକୁ ଟାଣିଆଣୁଥିବା ଲକ୍ଷ୍ୟ କରାଯାଉଛି ।

ଯଦି ସମ୍ବିତବାବୁଙ୍କର ରାଜନ÷ତିକ ଅନୁଭୂତିକୁ ଆଲୋଚନା କରିବା ତେବେ ଏହା କାହାକୁ ସନ୍ତୁଷ୍ଟ କରିପାରିବ ନାହିଁ, ପୂର୍ବରୁ ସେ ଦିଲ୍ଲୀ ମ୍ୟୁନିସିପାଲ ଅଞ୍ଚଳ ନିର୍ବାଚନରେ ଜଣେ ୱାର୍ଡ଼ ପ୍ରାର୍ଥୀ ଭାବେ ଲଢି ସଫଳତା ହାସଲ କରିପାରିନାହାନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଇତିମଧ୍ୟରେ ଏପ୍ରିଲ ୯ରେ ପୁରୀ ଆସିି ପ୍ରାର୍ଥୀମାନଙ୍କ ବିଜୟ ଲାଗି ରୋଡ଼ ଶୋ’ କରିଛନ୍ତି । ସେହିପରି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ୍ ୨୦ ତାରିଖରେ ଏଠାକୁ ଆସି ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ରୋଡ଼ ଶୋ’ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଫେରିଛନ୍ତି ।

ଏହି ପୁରୀ ଲୋକସଭା ଆସନକୁ କଂଗ୍ରେସ ପୂର୍ବରୁ ୬ ଥର ଲାଗି ଜିତି ପାରିଥିଲେ ମଧ୍ୟ ଏହି ନିର୍ବାଚନ ସମୟରେ ଦଳ ଏହାର ୭ଟି ବିଧାନସଭା ଆସନରେ ଅପେକ୍ଷାକୃତ ଦୁର୍ବଳ ପରିଗଣିତ ହେବାରେ ଲାଗିଛି, ସେହିସବୁ ଗୁରୁତ୍ୱପୂର୍ଣ୍ଣ ଆସନଗୁଡ଼ିକ ହେଲା – ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଏବଂ ନୟାଗଡ଼ ବିଧାନସଭା ଆସନ ।

ପିପିଲି ଓ ପୁରୀ ଆସନକୁ ପ୍ରଦୀପ ମହାରଥୀ ଏବଂ ମହେଶ୍ୱର ମହାନ୍ତି ଅନେକବର୍ଷ ଧରି ଏକରକମ ଜାବୁଡ଼ି ଧରି ରହିଛନ୍ତି, ସେହିପରି ଭାବେ, ୨୦୦୦ ପରଠାରୁ ବିଜେଡ଼ି ଅନ୍ୟ ୪ଟି ଆସନକୁ ମଧ୍ୟ ନିଜ ଅକ୍ତିଆରରେ ସୁରକ୍ଷିତ ରଖିପାରିଛି । ସଞ୍ଜୟ ଦାସବର୍ମା ବ୍ରହ୍ମଗିରି ଆସନକୁ ବିଗତ ଦୁଇଟି ନିର୍ବାଚନରେ ଜିତି ଆସୁଛନ୍ତି । କଂଗ୍ରେସ ପ୍ରାର୍ଥୀ ରୂପେ ସ୍ୱର୍ଗତଃ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଏହି ଆସନକୁ ଶେଷଥର ଲାଗି ୨୦୦୪ ନିର୍ବାଚନରେ ଜିତି ପାରିଥିଲେ । ସତ୍ୟବାଦୀରେ ୨୦୦୪ରେ ବିଜେଡ଼ିରୁ ବିଦା ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଉମାକାନ୍ତ ସାମନ୍ତରାୟ । ପରେ ଅବଶ୍ୟ ସେ ବିଜେଡ଼ିରେ ପୁନର୍ବାର ଯୋଗଦାନ କରିଥିଲେ । ତେବେ ପ୍ରସାଦ ହରିଚନ୍ଦନ ତା’ପରଠାରୁ ଏହି ଆସନଟିକୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ଆସୁଛନ୍ତି ।

ବିଜେଡ଼ିର ଅରୁଣ କୁମାର ସାହୁ ନୟାଗଡ଼ ଆସନରେ ନିର୍ବାଚନ ଜିତିଛନ୍ତି, ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏହା ମିଶ୍ରଣ ହୋଇଛି ଏବଂ ସେ ମଧ୍ୟ ଲଗାତର ୩ ଥର ଜିତାପଟ ହାସଲ କରିପାରିଛନ୍ତି ।

ତେବେ ୨୦୧୯ ନିର୍ବାଚନରେ ବିଜେଡ଼ି ୫ଟି ଆସନରେ ତାହାର ପୂର୍ବ ବିଧାୟକ ପ୍ରାର୍ଥୀମାନଙ୍କୁ ପୁଣିଥରେ ସୁଯୋଗ ପ୍ରଦାନ କରିଛି ।

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଚିଲିକାର ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ହରିଚନ୍ଦନ ଦଳର ଏକମାତ୍ର ଲଢୁଆ ଯୋଦ୍ଧା ଭାବେ ତିନିଥର (୨୦୦୦, ୨୦୦୪, ୨୦୧୪) ନିର୍ବାଚିତ ହୋଇପାରିଛନ୍ତି । ତେବେ ଏଥର ଦଳ ତାଙ୍କ ବଦଳରେ ପୃଥିବୀରାଜ ହରିଚନ୍ଦନଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରିଛି । ଏହି ଆସନରେ ଏଥର ବିଜେଡ଼ି ପକ୍ଷରୁ ପ୍ରଶାନ୍ତ ଜଗଦ୍ଦେବ ଏବଂ କଂଗ୍ରେସ ଦଳରୁ ପ୍ରଦୀପ କୁମାର ସ୍ୱାଇଁ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ନେତା ମାନସ ମଙ୍ଗରାଜଙ୍କ ବିଜେଡ଼ିରେ ଯୋଗଦାନ ଫଳରେ ଦଳ ନିଜକୁ ଏଠାରେ ପୂର୍ବାପେକ୍ଷା ଶକ୍ତିଶାଳୀ ମନେକରୁଛି । ତେବେ ୨୦୦୯ ନିର୍ବାଚନରେ ଏଠାରୁ ବିଜେଡ଼ି ପ୍ରାର୍ଥୀ ଜିତାପଟ ହାସଲ କରିଥିଲେ ।

ରଣପୁର ଆସନରେ ବିଜୁ ଜନତା ଦଳ ଗତ ଦୁଇଟି ନିର୍ବାଚନ ଜିତିପାରିଛି । ମାତ୍ର ସତ୍ୟ ନାରାୟଣ ପ୍ରଧାନ ଏହି ଆସନକୁ ବିଜେପିକୁ ଦେଇଥିଲେ । ତେବେ ଏହି ଆସନଟିକୁ ୨୦୧୪ ନିର୍ବାଚନରେ ରବିନାରାୟଣ ମହାପାତ୍ର ପୁଣିଥରେ ଏହି ଆସନକୁ ଅକ୍ତିଆର କରିପାରିଥିଲେ । ଏଥର କିନ୍ତୁ ସତ୍ୟ ନାରାରାୟଣଙ୍କୁ ପୁଣି ଥରେ ଦଳ ନିର୍ବାଚନ ଲଢିବାକୁ ସୁଯୋଗ ପ୍ରଦାନ କରିଛି, ମାତ୍ର ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ସହିତ ଏହି ନିର୍ବାଚନ କାଣ୍ଟେ କି ଟକ୍କର ସଦୃଶ ଲଢେଇ ହେବାର ଯଥେଷ୍ଠ ସମ୍ଭାବନା ରହିଛି ।

Leave A Reply

Your email address will not be published.