Latest Odisha News

BREAKING NEWS

ସିନେ ଦର୍ଶକଙ୍କୁ ଆକୃଷ୍ଟ କରିପାରିଲାନି ୭୫ ଟଙ୍କିଆ ଟିକେଟ୍‌

ବ୍ରହ୍ମପୁର:ସେପ୍ଟେମ୍ବର ୨୩(ଶୁକ୍ରବାର)କୁ ସାରା ଦେଶରେ ଜାତୀୟ ସିନେମା ଦିବସ ଭାବେ ପାଳନ କରାଯାଇଛି। ଏହି ଦିନଟିକୁ ସ୍ମରଣୀୟ ସହିତ ଦର୍ଶକଙ୍କୁ ସିନେମା ହଲ୍‌ ପ୍ରତି ଆକୃଷ୍ଟ କରିବା ଉଦ୍ଧେଶ୍ୟ ନେଇ ଟିକେଟ୍‌ ଦର ହ୍ରାସ କରାଯାଇଥିଲା । ଶୁକ୍ରବାର ଗୋଟିଏ ଦିନ ପାଇଁ ଟିକେଟ୍‌ ଦର ମାତ୍ର ୭୫ ଟଙ୍କା ରଖାଯାଇଥିଲା । ସିଙ୍ଗ୍‌ଲ ସ୍କ୍ରିନ୍‌ ହେଉ ଅବା ମଲ୍‌ଟିପ୍ଳେକ୍ସ, ସବୁଠି ଟିକେଟ୍‌ ଦର ସମାନ ରହିଥିଲା। ତେବେ ଏହି ରିହାତି ସତ୍ତ୍ବେ ବ୍ରହ୍ମପୁର ସହରରେ ସିନେମା ହଲ୍‌ଗୁଡ଼ିକ ଫାଙ୍କା ପଡ଼ିଥିଲା । ଦର ହ୍ରାସ ଦର୍ଶକଙ୍କୁ ଆକୃଷ୍ଟ କରିପାରିଲା ନାହିଁ।

 


ବ୍ରହ୍ମପୁରରେ ବର୍ତ୍ତମାନ ରହିଛି ୫ଟି ସିନେମା ହଲ୍‌। କିନ୍ତୁ କୌଣସି ଗୋଟିଏ ମଧ୍ୟ ହଲ୍‌ରେ ଓଡ଼ିଆ ଚଳଚିତ୍ର ପ୍ରଦର୍ଶିତ ହୋଇନାହିଁ। ହିନ୍ଦୀ ଏବଂ ତେଲୁଗୁ ଚଳଚିତ୍ର ସମସ୍ତ ସିନେମା ହଲ୍‌ରେ ପ୍ରଦର୍ଶିତ ହେଉଛି। ସେଥିରେ ପୁଣି ଶୁକ୍ରବାର ହିନ୍ଦୀ ଚଳଚିତ୍ର ‘ଚୁପ୍‌’ ଏବଂ ‘ଧୋକା’ ମୁକ୍ତିଲାଭ କରିଥିଲା। ଆଶା କରାଯାଉଥିଲା, ନୂଆ ଚଳଚିତ୍ରଗୁଡ଼ିକ ଦର୍ଶକଙ୍କୁ ଆକୃଷ୍ଟ କରିବ। ସେଥିରେ ପୁଣି ଦର ହ୍ରାସ ମଧ୍ୟ ରହିଛି। କିନ୍ତୁ ଏହାର ପ୍ରଭାବ ଦର୍ଶକଙ୍କ ଉପରେ ପଡ଼ିନାହିଁ। ଅଧିକାଂଶ ସିନେମା ହଲ୍‌ ଖାଲି ପଡ଼ିଥିଲା । ଦର୍ଶକଙ୍କ ଗହଳ ଚହଳ ଦେଖିବାକୁ ମିଳିନଥିଲା। ଗୋଟିଏ କି ଦୁଇଟି ହଲ୍‌ ନୁହଁ, ପ୍ରାୟତଃ ସମସ୍ତ ହଲ୍‌ରେ ଏକା ଚିତ୍ରା ଦେଖିବାକୁ ମିଳିଛି। କରୋନା ପରଠୁ ସହରର ହଲ୍‌ଗୁଡ଼ିକ କ୍ଷତିରେ ଚାଲିଛି। ଓଡ଼ିଆ ଏବଂ ହିନ୍ଦୀ ଚଳଚିତ୍ରଗୁଡ଼ିକ କ୍ରମାଗତ ଭାବେ ବିଫଳ ହେବାରେ ଲାଗିଛି । ଅଳ୍ପ କେତେକ ତେଲୁଗୁ ଚଳଚିତ୍ର ଭଲ ବ୍ୟବସାୟ କରୁଛି। ଶୁକ୍ରବାର ଟିକେଟ୍‌ ଦର ହ୍ରାସ ପରେ ଭଲ ବ୍ୟବସାୟ ନେଇ ଆଶା ରହିଥିଲା । କିନ୍ତୁ ନିରାଶ ହେବାକୁ ପଡ଼ିଛି ବୋଲି ଜଣେ ହଲ୍‌ ମାଲିକ ପ୍ରକାଶ କରିଛନ୍ତି। ଦର୍ଶକ କ୍ଷୀରସିନ୍ଧୁ ମହାନ୍ତିଙ୍କ କହିବାନୁଯାୟୀ, ସାଙ୍ଗମାନଙ୍କ ସହ ହିନ୍ଦୀ ଚଳଚିତ୍ର ‘ଚୁପ୍‌’ ଦେଖିବା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା । ଦର ହ୍ରାସ ଘଟିଥିବା ଯୋଗୁ ହଲ୍‌କୁ ଆସିଥିଲୁ। କିନ୍ତୁ ହଲ୍‌ ପୁରା ଫାଙ୍କା ପଡ଼ିଛି । ଅଳ୍ପ କେତେକ ସିଟ୍‌କୁ ଛାଡ଼ିଦେଲେ ଅଧିକାଂଶ ଖାଲି ପଡ଼ିଛି। ତଥାପି ସାଙ୍ଗମାନଙ୍କ ସହ ଚଳଚିତ୍ର ଦେଖିବାକୁ ମଜା ଲାଗିଲା। ବିଶେଷକରି ଡୁଲକର୍‌ ସଲମାନ୍‌ ଏବଂ ସନି ଦେଓଲଙ୍କ ଅଭିନୟ ସହିତ କାହାଣୀ ପସନ୍ଦ ଆସିଲା ବୋଲି କହିଛନ୍ତି। ଚଳଚିତ୍ର ପ୍ରେମୀ ଭେଙ୍କଟରାମଣା ରେଡ଼ିଙ୍କ କହିବାନୁଯାୟୀ, ଜାତୀୟ ସିନେମା ଦିବସ ନେଇ ଲୋକମାନଙ୍କ ପାଖରେ ସଠିକ୍‌ ବର୍ତ୍ତା ପହଞ୍ଚି ନାହିଁ। ଦର ହ୍ରାସ ସଂପର୍କରେ ଅନେକ ଜାଣିନାହାନ୍ତି। ଯଦି ହଲ୍‌ ମାଲିକ କିମ୍ବା ଡିଷ୍ଟ୍ରିବ୍ୟୁଟର୍‌ମାନେ ପୂର୍ବରୁ ଏନେଇ ପ୍ରଚାର ପ୍ରସାର କରିଥାନ୍ତେ, ତେବେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.