Latest Odisha News

ଆସିଲା ବାଘ ଗଣନା ରିପୋର୍ଟ, ରାଜ୍ୟରେ ୩୦ ମହାବଳ, ଶିମିଳିପାଳରେ ୨୭ ମଧ୍ୟରୁ ୧୩ କଳାବାଘ ଚିହ୍ନଟ

ଭୁବନେଶ୍ବର: ସାମ୍ନାକୁ ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । ଓଡିଶା ଜଙ୍ଗଲରେ ଅଛନ୍ତି ୩୦ ମହାବଳ ବାଘ । କେବଳ ଶିମିଳିପାଳରେ ୨୪ ମହାବଳ ବାଘ ଅଛନ୍ତି । ରାଜ୍ୟରେ ୩୦ ମହାବଳରୁ ୧୪ ଟି ବାଘୁଣୀ ରହିଛନ୍ତି । ସେହିପରି ୧ ବର୍ଷରୁ କମ ୮ ଟି ବାଘ ଛୁଆ ଶିମିଳିପାଳରେ ଅଛନ୍ତି ।

ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭ ଥିବାକୁ ଭୁଲ୍ ଦର୍ଶାଇ ଓଡ଼ିଶା ସରକାର ପ୍ରଥମଥର ପାଇଁ ନିଜସ୍ୱ ବାଘ ଗଣନା କରିଥିଲେ । ଯାହାର ରିପୋର୍ଟ ପ୍ରକାଶ ପାଇଛି । ୨୦୨୨ ମସିହା ବାଘ ଗଣନା ରିପୋର୍ଟକୁ ଏବେର ରିପୋର୍ଟ ସହ ତୁଳନା କଲେ ମହାବଳ ବାଘ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବଢ଼ିଛି ।

ବାଘ ଗଣନା ରିପୋର୍ଟ ଆସିବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ‘ଏକ୍ସ’ ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ‘ଖୁସିର ସହ ଏହି ଖବର ପ୍ରକାଶ କରୁଛି ଯେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୩୦ ମହାବଳ ବାଘ ଓ ୮ ଶାବକ ରହିଥିବା ପ୍ରଥମ ‘ଅଲ୍‌ ଓଡ଼ିଶା ଟାଇଗର ଏଷ୍ଟିମେସନ’ ରିପୋର୍ଟରୁ ଜଣାପଡ଼ିଛି । ୨୦୨୨ ରିପୋର୍ଟ ଠାରୁ ଏଥର ୨୦ଟି ବାଘ ଅଧିକ ଥିବା ଜଣାପଡ଼ିଛି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏବେ ୨୭ ମହାବଳ ରହିଛନ୍ତି’। ତେବେ ଆମ ଜାତୀୟ ପଶୁଙ୍କ ବଂଶବୃଦ୍ଧି ପାଇଁ ନିରନ୍ତର ପ୍ରୟାସ କରୁଥିବା ବନ୍ୟପ୍ରାଣୀ ବିଭାଗକୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମଥର ବାଘ ଗଣନା ଆକଳନ ହୋଇଥିଲା । ୨୦୨୩ ଅକ୍ଟୋବର ୧୫ ରୁ ଆରମ୍ଭ କରାଯାଇ ୨୦୨୪ ଫେବୃଆରୀ ୧୦ ତାରିଖରେ ଶେଷ କରାଯାଇଥିଲା । ବାଘଗଣନା ସମୟରେ ୧୪୩୨ଟି କ୍ୟାମେରା ଟ୍ରାପ୍‌ ଜଙ୍ଗଲ ମଧ୍ୟରେ ଲଗାଯାଇଥିଲା । ତେବେ ରାଜ୍ୟରେ ଥିବା ୪୭ଟି ଡିଭିଜନରେ ବାଘ ଗଣନା କରାଯାଇଥିଲା ।

ରାଜ୍ୟର ୪୭ ଜଙ୍ଗଲ ଡିଭିଜନରେ ଏହି ସର୍ଭେ କରାଯାଇଥିଲା । ଶିମିଳିପାଳକୁ ବାଦ୍ ଦେଇ କେନ୍ଦୁଝରରେ ଗୋଟିଏ, ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦରେ ଗୋଟିଏ ମହାବଳ ବାଘ ଥିବା ଚି଼ହ୍ନଟ ହୋଇଛି । ତେବେ ଏଥିରେ ଭଦ୍ରକ, ରାଜନଗର, ପୁରୀ ଓ ଚିଲିକା ଜଙ୍ଗଲ ଡିଭିଜନ ସାମିଲ ନଥିଲା ।

ଏହାରି ମଧ୍ୟରେ ୫୬୭ଟି ବାଘଙ୍କର ବିଭିନ୍ନ ଦିଗରୁ ଫଟୋ ଉଠାଯାଇଥିଲା । ଏଥିରେ କଳାବାଘ ୪୦ ପ୍ରତିଶତ ରହିଥିବା ଜଣାପଡିଛି । କଳା ବାଘ କେବଳ ଶିମିଳିପାଳ ଡିଭିଜନରେ ୭ ଟି ବାଘୁଣୀ ଓ ୬ ଟି ବାଘ ରହିଥିବା ଜଣାପଡିଛି ।

Leave A Reply

Your email address will not be published.