ଭୁବନେଶ୍ବର: ଟାଇମସ୍ ହାଇଅର ଏଜୁକେସନ୍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି । ଚଳିତବର୍ଷ କିଟକୁ ସାମଗ୍ରିକ ଇମ୍ପାକ୍ଟ୍ ରାଙ୍କିଙ୍ଗରେ ୨୦୧+ ରାଙ୍କ ମିଳିଛି । ଏସଡ଼ିଜିର ‘ରିଡିଉସିଂ ଇନ୍ଇକ୍ୱାଲିଟିଜ୍’ ମାନଦଣ୍ଡରେ କିଟ୍ ସମଗ୍ର ବିଶ୍ୱରେ ୮୬ତମ ସ୍ଥାନରେ ରହିଛି । ଏହା ଦ୍ୱାରା ଅତିକମରେ ଗୋଟିଏ ମାନଦଣ୍ଡରେ ବିଶ୍ୱର ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିପାରିଛି କିଟ୍ ।
ବୁଧବାର ଟାଇମସ୍ ହାଇଅର ଏଜୁକେସନ୍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି । ପ୍ରତିବର୍ଷ ଟାଇମସ୍ ହାଇଅର ଏଜୁକେସନ୍ ପକ୍ଷରୁ ବିଶ୍ୱର ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ବିଭିନ୍ନ ରାଙ୍କିଙ୍ଗ କରାଯାଇଥାଏ । ଏଥିରେ ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥାନ୍ତି । ବିଶ୍ୱରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ (ଏସଡ଼ିଜି) ହାସଲ ଦିଗରେ କେତେ ପରିମାଣରେ କାର୍ଯ୍ୟ କରୁଛନ୍ତି ତାହାକୁ ଭିତ୍ତିକରି ଟାଇମସ ହାଇଅର୍ ଏଜୁକେସନ୍ ପକ୍ଷରୁ ଇମ୍ପାକ୍ଟ ରାଙ୍କିଙ୍ଗ କରାଯାଇଥାଏ । ଏସଡ଼ିଜିର ଉଦ୍ଦେଶ୍ୟକୁ ପୂରଣ କରୁଥିବାରୁ କିଟକୁ ଏହି ଇମ୍ପାକ୍ଟ ରାଙ୍କ ପ୍ରଦାନ କରାଯାଇଛି । ପୂର୍ବବର୍ଷ କିଟ୍ ୫୦୧+ ରାଙ୍କରେ ଥିଲା ।
ସେହିପରି ପାର୍ଟନର୍ ଫର୍ ଦି ଗୋଲସ ମାନଦଣ୍ଡରେ ବିଶ୍ୱ ତାଲିକାର ୧୦୧+ ରାଙ୍କ, ଗୁଣାତ୍ମକ ଶିକ୍ଷା ମାନଦଣ୍ଡରେ ୨୦୧+ ଏବଂ ପିସ୍, ଜଷ୍ଟିସ୍ ଆଣ୍ଡ ଷ୍ଟ୍ରଙ୍ଗ ଇନଷ୍ଟିଚ୍ୟୁସନ ମାନଦଣ୍ଡରେ କିଟ୍ ୨୦୧+ ରାଙ୍କରେ ରହିଛି । ଭାରତର ପୂର୍ବାଞ୍ଚଳରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍ ଏହି ରାଙ୍କ ପାଇବାର ଗୌରବ ଅର୍ଜନ କରିଛି । ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଟାଇମସ ହାଇଅର୍ ଏଜୁକେସନ୍ ପକ୍ଷରୁ କିଟକୁ ‘ୱାର୍କ ପ୍ଲେସ୍ ଅଫ୍ ଦି ଇଅର୍’ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି ସମ୍ମାନଜନକ ବିଶ୍ୱ ରାଙ୍କିଙ୍ଗରେ କିଟ୍ ସ୍ଥାନ ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ମିଳିତ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ (ଏସଡ଼ିଜି) ଆଧାରରେ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ଟାଇମସ୍ ହାଇଅର ଏଜୁକେସନ୍ ପକ୍ଷରୁ କରାଯାଇଥିବା ଇମ୍ପାକ୍ଟ ରାଙ୍କିଙ୍ଗ ବିଶ୍ୱର ଏକମାତ୍ର ପ୍ରଦର୍ଶନ ତାଲିକା । ଗବେଷଣା, ଆଉଟରିଚ, ଷ୍ଟିୱାର୍ଡସିପ୍ ଓ ଶିକ୍ଷାଦାନ ଭଳି ୪ଟି ପ୍ରମୁଖ ମାନଦଣ୍ଡକୁ ନେଇ ଟାଇମସ ହାଇଅର ଏଜୁକେସନ୍ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା ।
କିଟ୍ ଏକ ସାମାଜିକ ଦାୟିତ୍ୱ ଆଧାରିତ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା ଓ ପ୍ରକାଶନ ଆଦି କ୍ଷେତ୍ରରେ ବହୁ ଅଗ୍ରଗତି କରିବା ସହ କିଟ୍ ପ୍ରତିଷ୍ଠା ହେବା ଦିନଠାରୁ ତାର ସାମାଜିକ ଦାୟିତ୍ୱକୁ ନିଷ୍ଠାର ସହିତ ସୁଚାରୁ ରୂପେ ପାଳନ କରିଆସୁଛି ।
କିଟ୍ ଆରମ୍ଭରୁ କରିଆସୁଥିବା ବ୍ୟାପକ ସାମାଜିକ କଲ୍ୟାଣ ମୂଳକ କାର୍ଯ୍ୟସବୁକୁ ମୂଲ୍ୟାୟନ କରି ଏହି ଇମ୍ପାକ୍ଟ ରାଙ୍କିଙ୍ଗ କରାଯାଇଛି । ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ସହ ସାମାଜିକ ଗୁରୁ ଦାୟିତ୍ୱ ନିଭାଇ ଆସୁଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି । ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉନ୍ନତ ପ୍ରଦର୍ଶନ ଦିଗରେ କିଟ୍ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି । ଏଥିରେ କିଟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀ ଆନନ୍ଦ ପ୍ରକାଶ କରିଛନ୍ତି ।
Comments are closed.