Latest Odisha News

ତେଜୁଛି ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାଦ। ତଦନ୍ତ ସହ ବିଧାୟକଙ୍କ ଇସ୍ତଫା ଦାବି

ଜଗତସିଂହପୁର : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବାନ୍ଧବୀ ସୋମାଲିକା ଦାଶଙ୍କ ପ୍ରେମ  ବିବାଦ । ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ନୈତିକତା ଦୃଷ୍ଟିରୁ ବିଧାୟକ ନିଜ ପଦରୁ ଇସ୍ତଫା ଦେବାକୁ ଦାବି କରିଛି ଜଗତସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ।  ଜଗତସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିଧାୟକଙ୍କ ଇସ୍ତଫା ଦାବି କରାଯାଇଛି ।

ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ, ବିଧାୟକଙ୍କ ବିରୋଧରେ ସେକ୍ସ ରାକେଟ ଚଳାଉଥିବା ଭଳି ସଙ୍ଗିନ ଅଭିଯୋଗ ଆଣି ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ । କିନ୍ତୁ ଘଟଣାକୁ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

ଅପରପକ୍ଷରେ ଜଗତସିଂହପୁର ଏସପି ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପାଇଁ ଚିଠି କରିଛନ୍ତି । କ୍ରାଇମବ୍ରାଞ୍ଚ ଓଡ଼ିଶା ସରକାରଙ୍କ ଅଧୀନରେ ରହୁଥିବାରୁ ଜଣେ ଶାସକ ଦଳ ବିଧାୟକଙ୍କ ମାମଲାକୁ ପରିଚାଳନା ତଥା ତଦନ୍ତ କରିବା କ୍ଷେତ୍ରରେ ନିରପେକ୍ଷତା ଆସିବ ନାହିଁ ବୋଲି  ଆଶଙ୍କା  କରିଛି। ସେ ଦୃଷ୍ଟିରୁ ବିଧାୟକ ନିଜ ପଦରୁ ତୁରନ୍ତ ଇସ୍ତଫା ଦେବା ପାଇଁ ଦାବି କରାଯାଇଛି ।

ଯଦି ଏଭଳି ନ ହୁଏ, ତେବେ ଆଗକୁ ବିଧାୟକଙ୍କୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଯୁବ ବିଜେପି ନେତା ।

 

 

Comments are closed.