ଭୁବନେଶ୍ବର: ଆଜି ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ (ବିଜେଡି)। ରାଜ୍ୟରେ କଂଗ୍ରେସ ଶାସନ ମଙ୍ଗ ଧରିଥିବା ବେଳେ ଉଭା ହୋଇଥିଲା ଏହି ଆଞ୍ଚଳିକ ଦଳ। ଏବଂ ଏହି ଦଳର ଦାୟିତ୍ବ ନେଇଥିଲେ ବର୍ତ୍ତମାନର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ଥର ମୁଖ୍ୟମନ୍ତ୍ରୀ ପଦ ପରେ ୨୦୨୪ ନିର୍ବାଚନରେ ସତ୍ତା ହରେଇଛି ବିଜେଡି । ରାଜ୍ୟରେ ଶାସନ ଭାର ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି ( ବିଜେପି )।
ଆଜି ବିଜେଡି ପାଳିଛି ତା’ର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳର ସଭାପତି ନବୀନ ପଟ୍ଟନାୟକ ଦଳକୁ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ଓଡ଼ିଶାରେ ବିଜେଡି ହରିବାର କାରଣ ମଧ୍ୟ ବଖାଣିଛନ୍ତି। ଗୋଟିଏ ପଟେ ଦଳକୁ ୨୭ ବର୍ଷ ପୁରିଥିବା ବେଳେ, ଅନ୍ୟପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଜେଡି ସୃଷ୍ଟି ହେବା ଦିନର ଦୃଶ୍ୟ। ଏହି ଭାଇରାଲ ଭିଡିଓରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ସମୟରେ ତାଙ୍କ ପାଖରେ ଅଛନ୍ତି ବର୍ତ୍ତମାନର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି, ମୁଁ ମୋ ଜନ୍ମଭୂମିକୁ ଫେରିଛି। ମୋ ବାପାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ସହ ଓଡ଼ିଶା ମାଟିର ସେବା କରିବାକୁ ମୁଁ ମୋ ଜନ୍ମଭୂମିକୁ ଫେରିଛି। ମୋ ବାପାଙ୍କ ସ୍ବପ୍ନ ଥିଲା ଓଡ଼ିଶାର ବିକାଶ। ସାରା ରାଜ୍ୟରେ କୃଷି, ସ୍ବାସ୍ଥ୍ୟ, ଶିଳ୍ପ, ମହିଳା ସଶକ୍ତିକରଣ ତଥା ଜନଜାତି କଲ୍ୟାଣ କରିବା କଥା କହିଥିଲେ। ନୂଆ ଦଳ ଗଠନ କରିବା ସହ ଆପଣ ରାଜ୍ୟର କିପରି ବିକାଶ କରିବେ ପ୍ରଶ୍ନରେ ନବୀନ ଏହି ଉତ୍ତର ରଖିଥିଲେ।
ନବୀନ ଆହୁରି କହିଥିଲେ, ରାଜ୍ୟର ବିକାଶ ସହ ଆମେ ଦୁର୍ନୀତିଖୋର କଂଗ୍ରେସ ସରକାର ବିରୋଧରେ ସ୍ବର ଉତ୍ତୋଳନ କରିବୁ। କଂଗ୍ରେସକୁ ପରାସ୍ତ କରିବାକୁ ଦରକାର ପଡିଲେ ଆମେ ମେଣ୍ଟ ସରକାର ଗଠନ କରିବୁ। କଂଗ୍ରେସକୁ ବିରୋଧ କରିବାକୁ ମୁଁ ଅନ୍ୟ ବିରୋଧୀ ଦଳମାନଙ୍କୁ ଆମ ସହିତ ଯୋଡି ହେବାକୁ ଆହ୍ବାନ ଦେଉଛି ବୋଲି ସେ କହିଥିଲେ। ଆମେ ନିଶ୍ଚିନ୍ତ ଭାବରେ ବିପୁଳ ସମର୍ଥନ ପାଇବୁ ବୋଲି ନବୀନ ଉତ୍ତର ରଖିଥିଲେ।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.