Latest Odisha News

BREAKING NEWS

ଆଜି ମା’ଙ୍କ ମହାଷ୍ଟମୀ ପୂଜା, ମହାଗୌରୀ ବେଶରେ ପୂଜା ପାଇବେ ଦେବୀ ଦୁର୍ଗା

ଭୁବନେଶ୍ୱର: ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ। ଆଜି ମାଆଙ୍କର ମହାଷ୍ଟମୀ ପୂଜା ।

କୁହାଯାଏ ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା’ ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି । ବିଶ୍ୱକଲ୍ୟାଣୀ ସେ । ଘରେଘରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ ମାଆଙ୍କ ଏହି ଦଶହରା ପର୍ବ ।

ତାଙ୍କରି ଜୟଜୟକାର ସ୍ୱର୍ଗ, ମର୍ତ୍ତ୍ୟ, ପାତାଳଲୋକରେ ମୁଖରିତ । ନର, ଦେବତା, ରାକ୍ଷସ ତାଙ୍କୁ ବହୁ ଭାବରେ, ବହୁ ରୂପରେ ପ୍ରାର୍ଥନା କରିଥାନ୍ତି । ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା, ତୃଷ୍ଣା, ଶ୍ରଦ୍ଧା, ଲକ୍ଷ୍ମୀ, ଦୟା, ଭ୍ରାନ୍ତି ରୂପରେ ସଂସ୍ଥିତା।

“ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।
ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ।”

ଏହି ପ୍ରାର୍ଥନା କରି ମାଆଙ୍କ ଆରାଧନା କରାଯାଇଥାଏ।

ଶକ୍ତିପୂଜା କ୍ଷେତ୍ରରେ ନବଦୁର୍ଗାଙ୍କ ଉପାସନା ବହୁ କାଳରୁ ଚାଲିଆସୁଛି। ‘ସପ୍ତଦଶୀ ଚଣ୍ଡୀ’ ପୁରାଣରେ ଏ ବିଷୟରେ ବର୍ଣ୍ଣିତ।

“ପ୍ରଥମେ ଶୈଳ ପୁତ୍ରଦି ଦ୍ବିତୀୟଂ ବ୍ରାହ୍ମଚାରିଣୀ, ତୃତୀୟଂ ଚଣ୍ଡ ଘଣ୍ଟେନି କୁଷ୍ମାଣ୍ଡେତି ଚତୁର୍ଥକମ୍।
ପଞ୍ଚମଂ ସ୍କନ୍ଧ ମାତେତି ଷଷ୍ଠ କାତ୍ୟାୟନି ତଥା,
ସପ୍ତମ କାଲରାତ୍ରି ମହାଗୌରୀତି ଚାଷ୍ଟମମ୍।
ନବମଂ ସିଦ୍ଧିଦାତ୍ରି ଚ ନବଦୁର୍ଗା ପ୍ରକୀର୍ତ୍ତିତଃ
ଭକ୍ତନ୍ଯେତାନି ନାମାନି ବ୍ରହ୍ମଣୈନ ମହାତ୍ମନା ।”

ଅର୍ଥାତ ପ୍ରଥମ ଦିନ ଶୈଳପୁତ୍ରୀ ପୂଜା, ଦ୍ଵିତୀୟ ଦିନ ବ୍ରହ୍ମଚାରିଣୀ ପୂଜା, ତୃତୀୟ ଦିନ ଚଣ୍ଡଘଣ୍ଟାଙ୍କ ପୂଜା, ଚତୁର୍ଥ ଦିନ କୁଷ୍ମାଣ୍ଡା ଦେବୀ, ପଞ୍ଚମ ଦିନ ସ୍କନ୍ଧମାତା, ଷଷ୍ଠ ଦିନ କାତ୍ୟାୟନି ପୂଜା, ସପ୍ତମୀ ଦିବସରେ କାଳରାତ୍ରି, ଅଷ୍ଟମ ଦିବସରେ ମହାଗୌରୀ ଓ ନବମ ଦିବସରେ ସିଦ୍ଧିଦାତ୍ରୀ ପୂଜା ଅନୁଷ୍ଠିତ ହେବାର ବିଧି ରହିଛି ।

ଆଜି ହେଉଛି ମହାମାୟୀଙ୍କର ଅଷ୍ଟମୀ ପୂଜା । ମହାଗୌରୀ ବେଶରେ ମାଆ ଭକ୍ତଙ୍କୁ ଆଜି ଆର୍ଶୀବାଦ କରିବେ ।

ମାଆଙ୍କ ମହିମା ଅପାର । ତାଙ୍କ ଶକ୍ତି, ରୂପ, ସାମର୍ଥ୍ୟ ବର୍ଣ୍ଣନାର ଅନ୍ତ ନାହିଁ । ଓଡ଼ିଶାର ସମସ୍ତ ଶକ୍ତିପୀଠରେ ତନ୍ତ୍ର ଯୁଗରୁ ଦେବୀ ପୂଜାର ପରମ୍ପରା ରହି ଆସିଛି । ଗାଁ, ଗଣ୍ଡା, ସହରର ଗଳିକନ୍ଦିରେ ଦୁର୍ଗାପୂଜା ମହାସମାରୋହରେ ପାଳିତ ହୋଇଥାଏ ।

Leave A Reply

Your email address will not be published.