Latest Odisha News

BREAKING NEWS

ବିଶ୍ଵ କର୍କଟ ଦିବସ: ଯତ୍ନର ବ୍ୟବଧାନ ବନ୍ଦ କର

ଭୁବନେଶ୍ଵର: ଆଜି ବିଶ୍ଵ କର୍କଟ ଦିବସ | ଲୋକ ମାନଙ୍କୁ ଏହି ରୋଗ ବିଷୟରେ ଶିକ୍ଷିତ କରିବା, ସଚେତନ କରିବା ତଥା ଏହି ମାରାତ୍ମକ ରୋଗ ବିରୁଦ୍ଧରେ ସରକାର ସମୟାନୁଯାୟୀ ପଦକ୍ଷେପ ଗ୍ରହଣ କରିବା ହେଉଛି ଏହି  ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ | ସହସ୍ରାଧିକ ଲୋକଙ୍କୁ ଏହି ରୋଗ କବଳରୁ ରକ୍ଷା କରିବା ସକାଶେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ |ଚଳିତବର୍ଷର ବିଷୟ ବସ୍ତୁ ରହିଛି ‘ଯତ୍ନର ବ୍ୟବଧାନ ବନ୍ଦ କର’ ।

ବିଭିନ୍ନ କାରଣରୁ ହୋଇଥାଏ କର୍କଟ ରୋଗ। କେବଳ ଆମ ଦେଶ ନୁହେଁ, ସାରା ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଆମ ଦେଶରେ ମୁଖ ଗହ୍ୱର, ସ୍ତ୍ରୀ ଲୋକମାନଙ୍କ କ୍ଷେତ୍ରରେ ଜରାୟୁ କ୍ୟାନ୍ସର, ସ୍ତନ କର୍କଟ ଆଦି ପରିଲକ୍ଷିତ ହୋଇଥାଏ । ଏହାସହ ଫୁସଫୁସ, ପାକସ୍ତଳୀ, ଅନ୍ତଃନଳୀ ଏବଂ ମଳଦ୍ୱାର କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଅଧିକ । ଖାଦ୍ୟ, ପରିବେଶ, ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ବୃଦ୍ଧି ପାଉଛି । ତମାଖୁ ସେବନ, ମଦ୍ୟପାନ ଏବଂ ଧୂମପାନ ବି କ୍ୟାନ୍ସର ରୋଗର ମୁଖ୍ୟ ବାହକ। ତେବେ କର୍କଟ ରୋଗ ଆକ୍ରମଣ କରିବାର ସେମିତି କିଛି ବୟସ ସୀମା ନାହିଁ । ଯେ କୌଣସି ବୟସର ଲୋକଙ୍କୁ କର୍କଟ ରୋଗ ହେବାର ଆଶଙ୍କା ରହିଛି। ଭିନ୍ନ ଭିନ୍ନ କ୍ୟାନ୍ସର ଭିନ୍ନ ଭିନ୍ନ ବୟସର ଲୋକଙ୍କୁ ଆକ୍ରାନ୍ତ କରିଥାଏ। ୩୦ ବର୍ଷର ମହିଳାଙ୍କଠାରୁ ଆରମ୍ଭ କରି ୭୫ ବର୍ଷ ବୟସ୍କା ମହିଳା ବି ସ୍ତନ କ୍ୟାନ୍ସରର ଶିକାର ହୋଇଥାନ୍ତି। ଏମିତିକି ୨୫ ବର୍ଷର ଯୁବତୀ ବି ସ୍ତନ କର୍କଟ ରୋଗର ଶିକାର ହୋଇପାରନ୍ତି। ମୁଖ ଗହ୍ୱର କର୍କଟ ୨୦/୨୫ ବର୍ଷ ପରେ ହୋଇଥାଏ। ମଳଦ୍ୱାର ଏବଂ ଅନ୍ତଃନଳୀ କ୍ୟାନ୍ସର ୪୦ ବର୍ଷ ପରେ ଲୋକଙ୍କୁ ହୋଇଥାଏ। ଫୁସ୍‌ଫୁସ୍‌ କ୍ୟାନ୍ସର ଯେକୌଣସି ବୟସର ଲୋକଙ୍କୁ ଆକ୍ରାନ୍ତ କରିପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସାରା ବିଶ୍ୱରେ କର୍କଟ ହେଉଛି ମୃତ୍ୟୁର ପ୍ରମୁଖ କାରଣ। ୧୯୯୩ରେ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ୟୁନିଅନ୍ ଫର ଇଣ୍ଟରନ୍ୟାସନାଲ କ୍ୟାନସର ନିୟନ୍ତ୍ରଣ ପ୍ରତିଷ୍ଠା କରାଯାଇଥିଲା। ଏହି ସଦସ୍ୟତା ଭିତ୍ତିକ ସମାଜ କର୍କଟ ରୋଗ ଦୂର କରିବା ଏବଂ ଡାକ୍ତରୀ ଅନୁସନ୍ଧାନକୁ ଅଗ୍ରଗତି କରିବା ପାଇଁ ଉତ୍ସର୍ଗୀକୃତ। ସେହି ବର୍ଷ ବିଭିନ୍ନ ଜଣାଶୁଣା ସଂଗଠନ, କର୍କଟ ସମାଜ ଏବଂ ଚିକିତ୍ସା କେନ୍ଦ୍ରର ସହଯୋଗରେ ୟୁନିଅନ୍ ଫର ଇଣ୍ଟରନ୍ୟାସନାଲ କ୍ୟାନସର ନିୟନ୍ତ୍ରଣ ପ୍ରତିଷ୍ଠା ନିର୍ଦ୍ଦେଶରେ ପ୍ରଥମ ଆନ୍ତର୍ଜାତୀୟ କର୍କଟ ଦିବସ ପାଳନ କରାଯାଇଥିଲା। ଏହାପରେ ୨୦୦୦ ମସିହା ଫେବୃଆରୀ ୪ତାରିଖରେ ଫ୍ରାନ୍ସର ପ୍ୟାରିସଠାରେ ବିଶ୍ଵ କର୍କଟ ସମ୍ମିଳନୀରେ ଏହି ଦିବସ ପ୍ରତିଷ୍ଠା ହୋଇଥିଲା । ସେହିବର୍ଷଠାରୁ ପ୍ରତି ବର୍ଷ ଭିନ୍ନ ଭିନ୍ନ ବିଷୟ ସହିତ ଏହି ଦିବସ ପାଳନ କରାଯାଉଛି ।

Leave A Reply

Your email address will not be published.