Latest Odisha News

BREAKING NEWS

ଚକୋଲେଟ ସାଜିଲା କାଳ, ହସ୍ପିଟାଲରେ ଭର୍ତ୍ତି ହେଲା ଦେଢ ବର୍ଷର ଶିଶୁ

ପଟିଆଲା: ଚକୋଲେଟ, କାହାକୁ ବା ଭଲଲାଗେନି । ପିଲା ଠୁ ବୟଷ୍କ ସମସ୍ତଙ୍କ ପ୍ରିୟ ଚକୋଲେଟ । ସ୍ଵାଦରେ ଯେମିତି ଦେଖିବାକୁ ମଧ୍ୟ ସେମିତି । କିନ୍ତୁ ଯେତେବେଳେ ସେହି ଚକୋଲେଟ ପିଲା ମାନଙ୍କ ପାଇଁ କାଳ ହୋଇଯାଏ ତେବେ କହିବା ବା କାହାକୁ । ପଞ୍ଜାବ ପଟିଆଲାରୁ ଆସିଛି ଏକ ଦୁଃଖଦ ଖବର । ଚକୋଲେଟ ଖାଇ ହସ୍ପିଟାଲରେ ଭର୍ତ୍ତି ହେଲା ଦେଢବର୍ଷର ଶିଶୁ । ତଦନ୍ତ ପରେ ଚକୋଲେଟଟି ଏକ୍ସପାଏରୀ ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତକାଲି ପଞ୍ଜାବ ଲୁଧିଆନାର ଏକ ଦେଢ ବର୍ଷର କୁନିଝିଅ ନିଜ ପରିବାର ସହିତ ତାଙ୍କ ସମ୍ପର୍କୀୟଙ୍କ ଘର ପଟିଆଲାକୁ ଯାଇଥିଲା । ସେଠାରେ ତାଙ୍କ ସମ୍ପର୍କୀୟ ଜଣେ ଏକ ଦୋକାନରୁ ଗୋଟେ ଚକୋଲେଟ କିଣି କୁନି ଝିଅକୁ ଖାଇବାକୁ ଦେଇଥିଲେ । ଚକୋଲେଟ ଖାଇବା ପରେ ହଠାତ୍ ଝିଅଟି ରକ୍ତବାନ୍ତି କରିଥିଲା । ଧିରେ ଧିରେ କୁନିଝିଅର ଅବସ୍ଥା ଗୁରୁତର ହୋଇଯାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଝିଅଟିକୁ ଚିକିତ୍ସା କରିବା ସହ କିଛି ଟେଷ୍ଟ କରିଥିଲା । ଟେଷ୍ଟ ରିପୋର୍ଟରେ ଝିଅଟି କିଛି ବିଷାକ୍ତ ଖାଦ୍ୟ ଖାଇଥିବା ଜଣାପଡିଥିଲା । ପରେ ଜଣା ପଡିଥିଲା ଯେ ଝିଅଟି ଯେଉଁ ଚକୋଲେଟ ଖାଇଥିଲା ତାହା ଏକ୍ସପାଏରୀ ହୋଇଯାଇଥିଲା । ଏହା ଜାଣିବା ପରେ ଝିଅର ପରିବାର ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଉକ୍ତ ଦୋକାନରେ ଚଢାଉ କରିଥିଲେ ପୋଲିସ ଓ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ । ଚଢାଉ ବେଳେ ଉକ୍ତ ଦୋକାନରୁ କୋଲ୍ଡଡ୍ରିଙ୍ଗସ୍, ଚକଲେଟ୍, ପ୍ରୋଟିନ୍ ପାଉଡର, ବିସ୍କୁଟ୍ ଭଳି ଅନେକ ଏକ୍ସପାଏରୀ ଖାଦ୍ୟ ସାମଗ୍ରୀ ଜବତ ହୋଇଥିଲା । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଏବେ ବି ଗୁରୁତର ଥିବା ଜଣାପଡିଛି ।

Leave A Reply

Your email address will not be published.