Latest Odisha News

BREAKING NEWS

ଏକାଠି ନା ଏକାକୀ? ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନାହିଁ ଓଡ଼ିଶା ନେତାଙ୍କ ନାଁ

ଭୁବନେଶ୍ୱର: ସାରା ଦେଶରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବ। କିନ୍ତୁ ନିିର୍ବାଚନ ପ୍ରଚାର ଏକରକମ ଠପ୍ ହୋଇପଡ଼ିଛି। ନା ବଡ ବଡ ପ୍ରଚାର ଅଛି ନା ଆରୋପ ପ୍ରତ୍ୟାରୋପ। କହିବାକୁ ଗଲେ ନେତା ଯେପରି ହାତକୁ ପକେଟରେ ପୂରାଇ ଏବଂ ମୁହଁରେ ମଫଲର ବାନ୍ଧି ବସିଛନ୍ତି।

ଆଜି ବିଜେପି ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କିନ୍ତୁ ଏହି ତାଲିକାରେ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ। ସେହିପରି ଓଡ଼ିଶାର ଶାସକ ଦଳ ବିଜୁ ଜନତା ଦଳ ମଧ୍ୟ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଲୋକସଭା ଆସନର ନେତାଙ୍କୁ ଡାକି ବୈଠକ କରୁଛି। ହେଲେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ। ସେହିପରି ଅନ୍ୟତମ ପ୍ରମୁଖ ବିରୋଧୀ ବା ବିଜେଡି-ବିଜେପି ମେଣ୍ଟ ହେଲେ ଲାଭ ପାଇବା ଆଶାରେ ଥିବା ଓଡ଼ିଶା କଂଗ୍ରେସ ମଧ୍ୟ ପ୍ରାର୍ଥୀ ତାଲିକା ଜାରି କରି ନାହିଁ। କୁହାଯାଉଛି ବିଜେଡି ଓ ବିଜେପି ରଣନୀତି ଦେଖି ମୈଦାନକୁ ଓହ୍ଲାଇବ। ଯେପରିକି ଦଳ ଲାଭବାନ ହୋଇପାରିବ।

ଅନ୍ୟପଟେ ମେଣ୍ଟର ଚିତ୍ର ଅସ୍ପଷ୍ଟ ରହିଛି। ବିଜୁ ଜନତା ଦଳର ଶୀର୍ଷ ନେତା ଭି.କେ ପାଣ୍ଡିଆନ ଏକ ଜାତୀୟ ଗଣମାଧ୍ୟମରେ ମେଣ୍ଟ ବାବଦରେ ସ୍ପଷ୍ଟ କରିନଥିଲେ ବି କେବଳ କହିଛନ୍ତି, ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଜଣ ଭଲ ବନ୍ଧୁ। ଯଦି ମେଣ୍ଟ ହେବ ତାହେଲେ ବୃହତ୍ତର ସ୍ବାର୍ଥ ପାଇଁ ହେବ। ସେହିପରି ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ମଧ୍ୟ କହିଛନ୍ତି, ମେଣ୍ଟ ବାବଦରେ ପ୍ରଧାନମନ୍ତ୍ରୀ ଏବଂ ଦଳର ଅଧ୍ୟକ୍ଷ ନିଷ୍ପତ୍ତି ନେବେ। କିନ୍ତୁ ଚଳିତ ନିର୍ବାଚନରେ ବିଜେପି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ।

ଇଣ୍ଡିଆ ଟୁଡେ ରିପୋର୍ଟ

ଓଡ଼ିଶାର ୧୪୭ ଟି ବିଧାନସଭା ଆସନରୁ ୫୭ଟି ଓ ୨୧ଟି ଲୋକସଭା ଆସନରୁ ୧୩-୧୪ଟି ଆସନରେ ଲଢ଼ିବାକୁ ବିଜେପି ଇଚ୍ଛା ପ୍ରକାଶ କରିଛି। ଫଳରେ ବିଜେଡି ପାଖରେ ୯୦ଟି ବିଧାନସଭା ଓ ୬ରୁ ୭ଟି ଲୋକସଭା ଆସନ ରହିଛି।

ବର୍ତ୍ତମାନ ଓଡ଼ିଶାରୁ ବିଜେପିର ୮ ଜଣ ଲୋକସଭା ସାଂସଦ ଥିବା ବେଳେ ବିଧାନସଭାରେ ୨୩ ଜଣ ବିଧାୟକ ଅଛନ୍ତି। ବିଜେଡିର ୧୧୨ ବିଧାୟକ ଓ ୧୨ ଲୋକସଭା ସାଂସଦ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ ବିଜେପି ଚାହୁଁଛି ଯେ ବିଜେଡି ତାଙ୍କୁ ମେଣ୍ଟରେ “ବଡ ଭାଇ” ଭାବରେ ଗ୍ରହଣ କରୁ। ହେଲେ ବିଜେଡି ନେତାମାନେ ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଅପରପକ୍ଷରେ ଓଡ଼ିଶା ବିଜେପି ଏକାକୀ ଲଢ଼ିବାକୁ ଚାହୁଁଛି। ରାଜ୍ୟ ବିଜେପି ନେତାମାନେ ଯୁକ୍ତି ବାଢ଼ିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଯୋଗୁଁ ଦଳର ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି। ବିଜେପି ରାଜ୍ୟ ନେତୃତ୍ୱ ବିଧାନସଭା ନିର୍ବାଚନରେ ୬୦ରୁ ଅଧିକ ଏବଂ ଲୋକସଭା ନିର୍ବାଚନରେ ୧୪-୧୫ ଆସନ ଜିତିବା ନେଇ ଆଶାବାଦୀ ଅଛନ୍ତି।

Leave A Reply

Your email address will not be published.