Latest Odisha News

BREAKING NEWS

ଅବସରର ୮ମାସ ପରେ ବି ବଙ୍ଗଳା ଖାଲି କରିନାହାନ୍ତି ଚନ୍ଦ୍ରଚୂଡ: ସରକାରଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଏପର୍ଯ୍ୟନ୍ତ ସରକାରୀ ବାସଭବନ ଖାଲି କରିନାହାନ୍ତି । ଯାହାକୁ ନେଇ ଏବେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଚନ୍ଦ୍ରଚୂଡ଼ଙ୍କୁ ଘର ଖାଲି କରିବାକୁ କହିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ନିୟମ ଅନୁଯାୟୀ, ଅବସର ପରେ କେହି ଏତେ ଦିନ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ ନାହିଁ।

ଭାରତର ମୁଖ୍ୟ ବିଚାରପତି ଭାବରେ ୨ ବର୍ଷ କାର୍ଯ୍ୟ କରିବା ପରେ, ଚନ୍ଦ୍ରଚୂଡ଼ ୧୦ ନଭେମ୍ବର ୨୦୨୪ରେ ଅବସର ନେଇଥିଲେ। କାର୍ଯ୍ୟାଳୟରେ ଥିବା ସମୟରେ, ତାଙ୍କୁ ମୁଖ୍ୟ ବିଚାରପତିଙ୍କ ବାସଭବନ ଭାବରେ ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ଆବଣ୍ଟିତ କରାଯାଇଥିଲା। ଯାହା ଏକ ଟାଇପ୍ ୮ ବଙ୍ଗଳା । ଅବସର ପରେ, ତାଙ୍କୁ ନିୟମ ଅନୁଯାୟୀ ଅସ୍ଥାୟୀ ବାସସ୍ଥାନ ଭାବରେ ଏକ ଟାଇପ୍ ୭ ବଙ୍ଗଳା ଆବଣ୍ଟିତ କରାଯାଇଥିଲା, କିନ୍ତୁ ସେ ସୁପ୍ରିମକୋର୍ଟ ପ୍ରଶାସନକୁ ଅନୁରୋଧ କରିଥିଲେ ଏବଂ ୩୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳାରେ ରହିବାକୁ ଅନୁମତି ପାଇଥିଲେ । ଏହି ଅବଧି ସମାପ୍ତ ହେବା ପରେ ମଧ୍ୟ, ବର୍ତ୍ତମାନର ମୁଖ୍ୟ ବିଚାରପତି ବି.ଆର. ଗବାଇ ତାଙ୍କୁ ମେ ୩୧ ପର୍ଯ୍ୟନ୍ତ ବାସସ୍ଥାନରେ ରହିବାକୁ ଅନୁମତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ସେ ସରକାରୀ ବାସଭବନ ଖାଲି କରିନାହାନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ କୋର୍ଟ ।

ସୁପ୍ରିମକୋର୍ଟ ପ୍ରଶାସନ ଦ୍ୱାରା ଲେଖାଯାଇଥିବା ଚିଠି ଅନୁଯାୟୀ, ଚନ୍ଦ୍ରଚୂଡ଼ ଅବସରର ୮ ମାସ ପରେ ମଧ୍ୟ ବଙ୍ଗଳା ଖାଲି କରିନାହାଁନ୍ତି। ତାଙ୍କ ଅନୁରୋଧ କ୍ରମେ, ସୁପ୍ରିମକୋର୍ଟ ତାଙ୍କୁ ମେ ୩୧ ପର୍ଯ୍ୟନ୍ତ ବଙ୍ଗଳାରେ ରହିବାକୁ ଅନୁମତି ଦେଇଥିଲେ। ସେହି ଅବଧି ମଧ୍ୟ ପୂରଣ ହୋଇଛି। ନୂତନ ବିଚାରପତିମାନେ ବାସସ୍ଥାନ ବଣ୍ଟନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ, ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯିବା ଉଚିତ।

ତେବେ ୫ କୃଷ୍ଣ ମେନନ ମାର୍ଗ ହେଉଛି ଆନୁଷ୍ଠାନିକ ଭାବରେ ପ୍ରଧାନ ବିଚାରପତିଙ୍କ ବାସଭବନ, କିନ୍ତୁ ଚନ୍ଦ୍ରଚୂଡ଼ଙ୍କ ପରେ ମୁଖ୍ୟ ବିଚାରପତି ହୋଇଥିବା ସଞ୍ଜୀବ ଖାନ୍ନା ଏବଂ ବର୍ତ୍ତମାନର ମୁଖ୍ୟ ବିଚାରପତି ବି.ଆର. ଗବାଇ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଘରେ ରହୁଥିଲେ ସେହି ଘରେ ରହିବାକୁ ଉପଯୁକ୍ତ ମନେ କରିଥିଲେ। ଏହି କାରଣରୁ ଚନ୍ଦ୍ରଚୂଡ଼ଙ୍କୁ ସରକାରୀ ବାସଭବନରେ ଅଧିକ ସମୟ ରହିବାର ସୁଯୋଗ ମଧ୍ୟ ମିଳିଥିଲା।

Comments are closed.