Latest Odisha News

BREAKING NEWS

ହାତୀ ମୃତ୍ୟୁରେ ଉପରୁ ତଳ କର୍ମଚାରୀଙ୍କ ସଂପୃକ୍ତି ରହୁଛି: ପ୍ରଦୀପ ଅମାତ

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁ ବଢ଼ି ଚାଲିଛି। ଶିମିଳିପାଳରେ ଥିବା ଅଭୟାରଣ୍ଯରେ ହାତୀକୁ ମାରି ଦେଇ ପ୍ରମାଣ ନଷ୍ଟ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ଦାୟିତ୍ବରେ ଥିବା ତିନି ବନ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏମାନେ ହାତୀ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ହାତୀକୁ ପୋଡିବା ପରେ ସମସ୍ତ ପ୍ରମାଣ ନଦୀରେ ଭସାଇଥିବା ସ୍ବୀକାର କରିଛନ୍ତି। ହେଲେ ଏହାରି ଭିତରେ ଅନ୍ୟତମ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ସୂଚନା ରହିଛି।

ଏହାପରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଜଙ୍ଗଲ ଭିତରେ ହାତୀମାନଙ୍କୁ ସୁରକ୍ଷିତ କରିବାକୁ ବିଭିନ୍ନ ଯୋଜନା କରାଯାଉଛି। ଅଧିକ ଜଙ୍ଗଲ ସୃଷ୍ଟି କରାଯାଇଛି। ସେହି ଜଙ୍ଗଲରେ ପାଣି ପାଇଁ ପୋଖରୀ ଖନନ କରାଯିବା ସହ ଅନ୍ୟାନ୍ୟ ଆବଶ୍ୟକତା ଗ୍ରହଣ କରାଯାଇଛି। ଯେପରି ସେମାନେ ଖାଦ୍ୟ ପାଇଁ ଜଙ୍ଗଲ ବାହାରକୁ ଆସିବେ ନାହିଁ। ହାତୀ ଶିକାର ଖବର ଆସିଲେ, ଯେଉଁ ଉପରୁ ତଳ ଯାଏ କର୍ମଚାରୀ ସମ୍ପୃକ୍ତ ରହୁଛନ୍ତି,  ଏ ଦିଗରେ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରାଯାଉଛି, ତା ପରେ କାର୍ଯ୍ୟାନୁଷ୍ଠାନ। ଯିଏ ସମ୍ପୃକ୍ତ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ଶିମିଳିପାଳ ହାତୀ ମୃତ୍ୟୁ ମାମଲାରେ ଠିକ୍ ସମାନ ପ୍ରକାର କଥା କହିଛନ୍ତି, ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି।

ଉଲ୍ଲେଖଯୋଗ୍ୟ, ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଗତ ୭ ତାରିଖରେ ଏକ ଦନ୍ତାହାତୀକୁ ଜେନାବିଲ ରେଞ୍ଜରେ ଶିକାର କରାଯାଇଥିଲା। ରେଞ୍ଜର ଏବଂ କିଛି ବନ କର୍ମଚାରୀଙ୍କର ଏହି ଘଟଣାରେ ସଂପୃକ୍ତି ରହିଛି। ଶିକାରି ଶିକାର କରିବା ପରେ ବନ ଅଧିକାରୀ ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଛନ୍ତି। ମୃତହାତୀକୁ ଜଙ୍ଗଲ ଭିତରେ ପୋଡ଼ି ଦେବା ପରେ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ।

ସେପଟେ ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ କହିଛନ୍ତି, ଶନିବାର ଘଟଣାର ତଦନ୍ତ ପାଇଁ ଜେନାବିଲ ରେଞ୍ଜକୁ ୫୦ ଜଣ ବନ କର୍ମଚାରୀ ଯାଇଥିଲେ। ଦୀର୍ଘ ସମୟ ଧରି ଛାନ୍‌ଭିନ୍‌ ପରେ ହାତୀ ପୋଡ଼ା ହୋଇଥିବା ସ୍ଥାନ ଚିହ୍ନଟ ହୋଇଛି। ସେହିପରି ନଦୀରୁ ଭସାଯାଇଥିବା ହାତୀର ହାଡ ଜବତ ହୋଇଛି। ଏବେ ହାଡକୁ ବିଶେଷଜ୍ଞଙ୍କ ଦ୍ବାରା ଅନୁଧ୍ୟାନ କରାଯିବ। ଏଥିପାଇଁ ଭୁବନେଶ୍ୱର ଓୟୁଏଟିକୁ ସମସ୍ତ ପ୍ରମାଣ ପଠାଯାଇଛି। ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଓ ଦୁଇଜଣ ବନରକ୍ଷୀଙ୍କୁ ଏହି ଘଟଣାରେ ନିଲମ୍ବନ କରାଯାଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେହିପରି ଆଠଗଡ଼ ବନଖଣ୍ଡରୁ ହାତୀ କଙ୍କାଳ ମିଳିବା ଘଟଣାରେ ଟାସ୍କ ଫୋର୍ସ ଗଠନ କରାଯାଇ ତଦନ୍ତ ଚାଲିଛି। ଅନଗୁଳ RCCFଙ୍କ ନେତୃତ୍ବରେ ଗଠିତ ଟିମ ତଦନ୍ତ ରିପୋର୍ଟ ଦେବାପରେ ଏହାକୁ ସରକାରଙ୍କ ପାଖରେ ରଖାଯିବ ବୋଲି ସୁଶୀଲ କୁମାର ପୋପଲି କହିଛନ୍ତି।

Leave A Reply

Your email address will not be published.