ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ର ବ୍ୟାପକ ପ୍ରସ୍ତୁତି: ଜରୁରୀକାଳୀନ ସେବା ପାଇଁ ହାଇଆଲର୍ଟରେ କର୍ମଚାରୀ
ବ୍ରହ୍ମପୁର/ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପରିସ୍ଥିତି ଏବଂ ଦକ୍ଷିଣ ଓଡ଼ିଶାରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ବିଦ୍ୟୁତ ଭିତ୍ତିଭୂମିର ସୁରକ୍ଷା, ଗ୍ରାହକଙ୍କ ସୁରକ୍ଷା ଏବଂ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଲେ ଯଥାଶୀଘ୍ର ଏହାର ପୁନଃସ୍ଥାପନ ପାଇଁ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିଛି। ଏଥିପାଇଁ କମ୍ପାନୀ ନିଜର ବ୍ୟବସାୟ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସକ୍ରିୟ କରିବା ସହ ଆବଶ୍ୟକ କର୍ମଚାରୀ, ଜରୁରୀ ସାମଗ୍ରୀ ଓ ଆପତକାଳୀନ ପଦକ୍ଷେପ ପାଇଁ ସମସ୍ତ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିଛି।
ସଦ୍ୟତମ ପ୍ରସ୍ତୁତି ସମୀକ୍ଷା ଅନୁଯାୟୀ, ଟିପିଏସ୍ଓଡିଏଲ୍ ମୋଟ ୬,୪୭୪ ଜଣ କର୍ମଚାରୀଙ୍କୁ ବିଭିନ୍ନ ଡିଭିଜନରଏ ନିୟୋଜିତ କରିଛି । ଏଥିରେ ୫,୬୯୧ ଜଣ ବାର୍ଷିକ ରକ୍ଷଣାବେକ୍ଷଣ କର୍ମଚାରୀ ଏବଂ ଟିପିଏସ୍ଓଡିଏଲ୍ର ୭୮୩ ଜଣ କର୍ମଚାରୀ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ପ୍ରାୟ ୮୦୦ ଜଣ ଦକ୍ଷ ଓ ଅଣଦକ୍ଷ ପ୍ରକଳ୍ପ କର୍ମଚାରୀ ଉପଲବ୍ଧ ଅଛନ୍ତି। ଆବଶ୍ୟକ ପଡ଼ିଲେ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ଆଉ ୪୦୦ ଜଣ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ଅଧିକ କର୍ମଚାରୀଙ୍କ ଆବଶ୍ୟକତା ପଡ଼ିଲେ ଟିପି ଓଡ଼ିଶାର ଅନ୍ୟ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକରୁ ମଧ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇପାରିବ।
ବିଦ୍ୟୁତ ଯୋଗାଣ ଶୀଘ୍ର ପୁନଃସ୍ଥାପନ କରିବା ପାଇଁ ଟିପିଏସ୍ଓଡିଏଲ୍ ୬ଟି ମୋବାଇଲ୍ ବିଦ୍ୟୁତ ବଣ୍ଟନ ସବଷ୍ଟେସନ ଏବଂ ୩୫୮ଟି ଗାଡ଼ିକୁ ଜରୁରୀକାଳୀନ କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖିଛି। କମ୍ପାନୀ ପାଖରେ ୩୨ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଓ ୮୬୨ଟି ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ମହଜୁଦ ରହିଛି। ଏହାସହ ୨,୮୧୪ କିଲୋମିଟର ଖୋଲା ବିଦ୍ୟୁତ ତାର, ୫୧୬ କିଲୋମିଟର ଏଲଟି ଲାଇନ ତାର ଏବଂ ୯୫ କିଲୋମିଟର ଏଚଟି ବିଦ୍ୟୁତ୍ ଯୋଗାଣ ପାଇଁ ସ୍ୱତନ୍ତ୍ର କେବୁଲ୍ ମହଜୁଦ ରହିଛି।
ଏହାବ୍ୟତୀତ କମ୍ପାନୀ ପାଖରେ ୧୦,୬୬୦ଟି ବିଦ୍ୟୁତ ଖୁଣ୍ଟ ରହିଥିବା ବେଳେ ବିଭିନ୍ନ ଯୋଗାଣକାରୀଙ୍କ ମାଧ୍ୟମରେ ଅତିରିକ୍ତ ୭,୩୫୫ଟି ଖୁଣ୍ଟ ଉପଲବ୍ଧ ହୋଇପାରିବ। ସେହିପରି ୮,୦୦୯ଟି ଭି-ଆକୃତିର କ୍ରସ୍ ଆର୍ମ ଏବଂ ୨୨,୫୦୫ଟି ବିଦ୍ୟୁତ ନିରୋଧକ ଉପକରଣ ମହଜୁଦ ରଖାଯାଇଛି। କ୍ଷେତ୍ରସ୍ତରରେ କାର୍ଯ୍ୟ ପାଇଁ ୬୯୬ଟି ମାନୁଆଲ୍ ଓ ମୋଟରଚାଳିତ ଗଛ ଡାଳ କାଟିବା ଯନ୍ତ୍ର, ୨୫ଟି ଆସ୍କା ଲାଇଟ୍ ଏବଂ ୧୯ଟି ଡିଜେଲ୍ ଜେନେରେଟର ଉପଲବ୍ଧ ରହିଛି। ଆବଶ୍ୟକ ସାମଗ୍ରୀ ଠିକ୍ ସମୟରେ କାର୍ଯ୍ୟସ୍ଥଳରେ ପହଞ୍ଚାଇବା ପାଇଁ ୧୬ଟି ଅସ୍ଥାୟୀ ସାମଗ୍ରୀ ଗୋଦାମ ସହ ୫ଟି ମୁଖ୍ୟ ଗୋଦାମକୁ ପ୍ରସ୍ତୁତ ରଖାଯାଇଛି।
ବ୍ରହ୍ମପୁରର ଆମ୍ବଗଡ଼ଠାରେ ଥିବା କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କେନ୍ଦ୍ର; କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ସହ ସମନ୍ୱୟ ରଖି ଦିନରାତି ୨୪ ଘଣ୍ଟା ବିଦ୍ୟୁତ ବ୍ୟବସ୍ଥାର ନିରୀକ୍ଷଣ ଓ ଜରୁରୀକାଳୀନ ପଦକ୍ଷେପର ସମନ୍ୱୟ କରିବ। ସ୍ୱୟଂଚାଳିତ ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ମାଧ୍ୟମରେ ମୋଟ ୨୬୧ଟି ପ୍ରାଥମିକ ବିଦ୍ୟୁତ ସବଷ୍ଟେସନ ମଧ୍ୟରୁ ୨୫୪ଟିର ନିରୀକ୍ଷଣ କରାଯାଇପାରିବ। ଏହାସହ ଜୟପୁର, ରାୟଗଡ଼ା ଓ ଭଞ୍ଜନଗରଠାରେ ଥିବା ଆଞ୍ଚଳିକ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ସ୍ଥାନୀୟ ବିଦ୍ୟୁତ ନେଟୱର୍କର ନିରୀକ୍ଷଣ ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟର ସମନ୍ୱୟ କରିବେ।
ବାତ୍ୟା ସମୟରେ ତ୍ୱରିତ ପଦକ୍ଷେପ ନେବା ପାଇଁ ମଣ୍ଡଳ ଓ ବିଭାଗ ସ୍ତରରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ। ଜିଲ୍ଲାସ୍ତରୀୟ ସମନ୍ୱୟକାରୀମାନେ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ ରଖିବେ। ଗ୍ରାହକଙ୍କୁ ଆବଶ୍ୟକ ସୂଚନା ପହଞ୍ଚାଇବା ପାଇଁ ମଧ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏଥିପାଇଁ ଭଏସ ମେସେଜ ମାଧ୍ୟମରେ ସତର୍କ ସୂଚନା, ଏସଏମଏସ ମାଧ୍ୟମରେ ସୂଚନା, ବିଭିନ୍ନ ଭାଷାରେ ସାମାଜିକ ଗଣମାଧ୍ୟମ ଯୋଗେ ସୂଚନା ପ୍ରସାରଣ ଏବଂ ଗ୍ରାହକଙ୍କ ଅଭିଯୋଗ ଉପରେ ୨୪ ଘଣ୍ଟିଆ ନଜର ରଖାଯିବ। ବିଦ୍ୟୁତ ବିଭ୍ରାଟ ସମ୍ପର୍କରେ ଅଭିଯୋଗ ଜଣାଇବା ଓ ସହାୟତା ପାଇବା ପାଇଁ ଡିଜିଟାଲ୍ ମାଧ୍ୟମରେ ଅଭିଯୋଗ ପଞ୍ଜୀକରଣ ସୁବିଧା ମଧ୍ୟ ଉପଲବ୍ଧ ରହିବ।
ଟିପିସିଓଡିଏଲ୍ ନିଜର ବିଜନେସ୍ କଣ୍ଟିନିଉଟି ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ (ବିସିଡିଏମପି) କାର୍ଯ୍ୟକାରୀ କରିବା ସହିତ ଏକ ସୁବ୍ୟବସ୍ଥିତ ବହୁସ୍ତରୀୟ ଜରୁରୀକାଳୀନ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଛି । ନେଟୱାର୍କ ଜନିତ ସମ୍ଭାବ୍ୟ ସମସ୍ୟାର ସମାଧାନ ପାଇଁ ସମ୍ବେଦନଶୀଳ ଉପକୂଳ ତଥା ଆଭ୍ୟନ୍ତରୀଣ ସର୍କଲଗୁଡ଼ିକରେ ଉତ୍ସର୍ଗୀକୃତ କୁଇକ୍-ରେସପନ୍ସ ଫିଲ୍ଡ ସ୍କ୍ୱାଡ୍, ବୈଷୟିକ ରକ୍ଷଣାବେକ୍ଷଣ କର୍ମଚାରୀ ଏବଂ ମରାମତି ଗାଡ଼ି ମୁତୟନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରମୁଖ ପାନୀୟ ଜଳ ପମ୍ପ ଷ୍ଟେସନ୍ ଏବଂ ପ୍ରଶାସନିକ ବିପର୍ଯ୍ୟୟ ନିୟନ୍ତ୍ରଣ କାର୍ଯ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବଜାୟ ରଖିବାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଇଛି ।
ଶୀଘ୍ର ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଟିପିସିଓଡିଏଲ୍ ନିଜର ପରିଚାଳନା ସର୍କଲ ଏବଂ ଡିଭିଜନ୍ ଷ୍ଟୋରଗୁଡ଼ିକରେ ରଣନୈତିକ ଭାବେ ଜରୁରୀକାଳୀନ ସାମଗ୍ରୀ ମହଜୁଦ ରଖିଛି । ଏହି ସାମଗ୍ରୀ ମଧ୍ୟରେ ଡିଷ୍ଟ୍ରିବ୍ୟୁସନ୍ ଓ ପାୱାର ଟ୍ରାନ୍ସଫର୍ମର, ବେୟାର କଣ୍ଡକ୍ଟର, ଏରିଏଲ୍-ବଞ୍ଚଡ୍ କେବୁଲ୍, ଖୁଣ୍ଟ ଏବଂ ଲାଇନ୍ ହାର୍ଡୱେର୍ ଅନ୍ତର୍ଭୁକ୍ତ। ବାଧାପ୍ରାପ୍ତ ଫିଡର୍ ଲାଇନ୍ ଏବଂ ଉପୁଡ଼ି ପଡ଼ିଥିବା ଗଛ ଡାଳଗୁଡ଼ିକୁ ତୁରନ୍ତ ସଫା କରିବା ପାଇଁ ପାୱାର ସ, ହାଇ-ମାଷ୍ଟ
ଜରୁରୀକାଳୀନ ଆଲୋକ ବ୍ୟବସ୍ଥା ଏବଂ ଡିଜି ସେଟ୍ ସହିତ ସ୍ୱତନ୍ତ୍ର ଗଛ କଟା ଦଳ ମୁତୟନ କରାଯାଇଛି । ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ଏହା ଅଧୀନରେ ଥିବା ଡିଭିଜନ୍ ତଥା ସର୍କଲ ସ୍ତରୀୟ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ଦ୍ୱାରା ଚବିଶ ଘଣ୍ଟିଆ ତଦାରଖ କରାଯାଉଛି । ସ୍ୱୟଂଚାଳିତ ବିତରଣ ନେଟୱାର୍କ ଏବଂ ସ୍କାଡା ବ୍ୟବସ୍ଥା ବ୍ୟବହାର କରି ଇଞ୍ଜିନିୟରମାନେ ରିଅଲ୍-ଟାଇମରେ ଫିଡର୍ ଲୋଡ୍ ଏବଂ ଲାଇନର ସ୍ଥିତି ଉପରେ ନଜର
ରଖୁଛନ୍ତି । ସ୍ଥାନୀୟ ସ୍ତରରେ ବିଦ୍ୟୁତ୍ ବ୍ୟାଘାତର ତୁରନ୍ତ ସମାଧାନ ପାଇଁ ଟିପିସିଓଡିଏଲ୍ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି), ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି କାମ କରୁଛି ।
ବିଦ୍ୟୁତ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତିରେ ଗ୍ରାହକମାନେ ଟିପିଏସ୍ଓଡିଏଲ୍ର ଦିନରାତି ୨୪ ଘଣ୍ଟିଆ ନିଃଶୁଳ୍କ ସହାୟତା ନମ୍ବର ୧୯୧୨ ଏବଂ ୧୮୦୦-୨୦୨୬ରେ ଯୋଗାଯୋଗ କରିପାରିବେ। ମିସ୍ଡ କଲ୍ ମାଧ୍ୟମରେ ଅଭିଯୋଗ ପଞ୍ଜୀକରଣ ପାଇଁ ୯୭୭୭୭୭୪୬୯୯ ନମ୍ବର ଉପଲବ୍ଧ ରହିଛି।
ସୁରକ୍ଷା ପରାମର୍ଶ
- ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ଛିଣ୍ଡି ପଡ଼ିଥିବା କିମ୍ବା ଝୁଲି ରହିଥିବା ବିଦ୍ୟୁତ ତାରଠାରୁ ଦୂରେଇ ରହିବା ଏବଂ ଏ ସମ୍ପର୍କରେ ତୁରନ୍ତ କମ୍ପାନୀକୁ ଜଣାଇବାକୁ ଅନୁରୋଧ କରାଯାଇଛି।
- ଜଳମଗ୍ନ ଅଞ୍ଚଳରେ ଥିବା ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର କିମ୍ବା ଅନ୍ୟ ବିଦ୍ୟୁତ ଉପକରଣକୁ ଛୁଅଁନ୍ତୁ ନାହିଁ।
- ଓଦା ହାତରେ କେବେହେଲେ ବିଦ୍ୟୁତ ସୁଇଚ୍ କିମ୍ବା ଯନ୍ତ୍ରପାତି ଚଳାନ୍ତୁ ନାହିଁ।
- ପ୍ରବଳ ପବନ ଓ ବଜ୍ରପାତ ସମୟରେ ଗଛ ତଳେ କିମ୍ବା ଅସ୍ଥାୟୀ ନିର୍ମାଣ ତଳେ ଆଶ୍ରୟ ନିଅନ୍ତୁ ନାହିଁ।
- ପିଲାମାନଙ୍କୁ ଖୋଲା ବିଦ୍ୟୁତ ତାର ଓ ଜଳମଗ୍ନ ଅଞ୍ଚଳଠାରୁ ଦୂରେଇ ରଖନ୍ତୁ।
- ପାଣିପାଗ ସମ୍ପର୍କିତ ସରକାରୀ ସତର୍କ ସୂଚନା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ।
- ଛିଣ୍ଡି ପଡ଼ିଥିବା କିମ୍ବା ଝୁଲୁଥିବା ବିଦ୍ୟୁତ୍ ତାରଠାରୁ ଦୂରରେ ରୁହନ୍ତୁ ଏବଂ ଏ ବିଷୟରେ ତୁରନ୍ତ ୧୯୧୨ ହେଲ୍ପଲାଇନରେ ସୂଚନା ଦିଅନ୍ତୁ ।
- ଜଳବନ୍ଦୀ ଅଞ୍ଚଳରେ ଥିବା ବିଦ୍ୟୁତ୍ ଖୁଣ୍ଟ, ଟ୍ରାନ୍ସଫର୍ମର କିମ୍ବା ମିଟର ବାକ୍ସକୁ ଆଦୌ ଛୁଅନ୍ତୁ ନାହିଁ ।
- ପ୍ରବଳ ପବନ ଏବଂ ବଜ୍ରପାତ ସମୟରେ ବଡ଼ ଗଛ କିମ୍ବା ଅସ୍ଥାୟୀ ଟିଣ/ଆସବେଷ୍ଟସ୍ ଛାତ ତଳେ ଆଶ୍ରୟ ନିଅନ୍ତୁ ନାହିଁ ।
- ଓଦା ହାତରେ କିମ୍ବା ପାଣିରେ ଛିଡ଼ା ହୋଇ କେବେ ବି ବିଦ୍ୟୁତ୍ ସୁଇଚ୍, ଉପକରଣ କିମ୍ବା ମେନ୍ ସୁଇଚ୍ ଚଳାନ୍ତୁ ନାହିଁ ।
- ପିଲାମାନଙ୍କୁ ଜଳମଗ୍ନ ରାସ୍ତା, ଖୋଲା ଡ୍ରେନ୍ ଏବଂ ଖୋଲା ବିଦ୍ୟୁତ୍ ତାରଠାରୁ ଦୂରରେ ରଖନ୍ତୁ ।
- ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତଥା ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ।
ବାତ୍ୟାଜନିତ ବିପଦକୁ କମାଇବା ଏବଂ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଲେ ଯଥାଶୀଘ୍ର ଓ ସୁରକ୍ଷିତ ଭାବେ ଏହାର ପୁନଃସ୍ଥାପନ କରିବା ପାଇଁ ଟିପିଏସ୍ଓଡିଏଲ୍ ନିଜର ପ୍ରସ୍ତୁତି ଓ ସମନ୍ୱିତ ପଦକ୍ଷେପ ଜାରି ରଖିଛି।

