ଭୁବନେଶ୍ୱର: ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ ପରେ ଓଡ଼ିଶାକୁ ବାତ୍ୟା ଭୟ। ପାଖାପାଖି ୧୪୦ କିଲୋମିଟର ବେଗରେ ବହିବ ପବନ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଗଭୀର ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’। ସୋମବାର ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟରେ ପରିଣତ ହୋଇ ୨୮ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ବାପଟଲା ଏବଂ ବିଶାଖାପଟନମ୍ ମଧ୍ୟରେ ଅତିକ୍ରମ କରିବା ନେଇ ଆଇଏମଡି ଆକଳନ କରିଛି। ଅନ୍ୟ ପକ୍ଷରେ ବାତ୍ୟାର ପ୍ରଭାବ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ପଡିବ। ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବାତ୍ୟା ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ବ ଦିଆଯାଇଛି।
କୋରାପୁଟ ଜିଲ୍ଲା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାୟଗଡ଼ା ଜିଲ୍ଲା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାକୁ ଦାୟିତ୍ବ ଦିଆଯାଇଛି। ସେହିପରି ନବରଙ୍ଗପୁର ଜିଲ୍ଲା ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମାଲକାନଗିରି ଜିଲ୍ଲା ପାଇଁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳ ଜିଲ୍ଲା ପାଇଁ ରବି ନାଏକ, କଳାହାଣ୍ଡି ଜିଲ୍ଲା ପାଇଁ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଞ୍ଜାମ ଜିଲ୍ଲା ପାଇଁ ମନ୍ତ୍ରୀ ବିଭୂତି ଜେନା , ଗଜପତି ଜିଲ୍ଲା ପାଇଁ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ମନ୍ତ୍ରୀମାନେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଜିଲ୍ଲାରେ ଉପସ୍ଥିତ ରହି ବାତ୍ୟା ପ୍ରଶମନ ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବେ।
ଅନ୍ୟପଟେ ଓଡ଼ିଶାରେ ବାତ୍ୟାର ପ୍ରଭାବ ନେଇ IMD ଡିଜି ସୂଚନା ଜାରି କରିଛନ୍ତି। ୨୭ ତାରିଖରୁ ଓଡ଼ିଶାରେ ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ ବହିବ। ୨୮ ରାତି ବେଳକୁ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବ। ୨୭ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ, ୨୮ରେ ବେଶୀ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଧାନ ଫସଲ ନଷ୍ଟ ହେବା ସହ କିଛି ସ୍ଥାନରେ ଗଛ ମଧ୍ୟ ଭାଙ୍ଗିବାର ଆଶଙ୍କା ରହିଛି।

