ଏକାମ୍ରରେ ଶକ୍ତି ପୂଜାର ପରମ୍ପରା

ସୁକାନ୍ତ ପଣ୍ଡା

କେବଳ ଓଡ଼ିଶା ନୁହେଁ ସମଗ୍ର ଆର୍ଯ୍ୟାବର୍ତ୍ତରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଏପର୍ଯ୍ୟନ୍ତ ଜଣାଯାଇଥିବା ପୁରୁଣା ସଭ୍ୟତା ମହେଞୋଦାରୋ ହରପ୍ପାରେ ଏହାର ପ୍ରମାଣ ମିଳିଥାଏ। ଆମ ଓଡ଼ିଶାରେ ଏମିତି ଗାଁ ନାହିଁ , ଯେଉଁଠାରେ କି ଗ୍ରାମଦେବତୀ ମନ୍ଦିରଟିଏ ନ ଥିବ । କିଛି ନ ହେଲେ ଗଛ ମୂଳରେ ପଥର ଦେହରେ ସିନ୍ଦୂର ବୋଳାହୋଇ ମାଙ୍କୁ ଆବାହନ କରାଯାଇଥିବ ।

ଏକାମ୍ର କ୍ଷେତ୍ର ଭଗବାନ ଶଙ୍କରଙ୍କର ପ୍ରିୟ କ୍ଷେତ୍ର । ଶଙ୍କର ଭଗବାନଙ୍କ ସହିତ ମା ପାର୍ବତୀ ସଦା ବିରାଜିତ। ଏକାମ୍ର ଚନ୍ଦ୍ରିକା ଅନୁଯାୟୀ ଦେବୀ ପ୍ରଥମେ ଏ କ୍ଷେତ୍ରକୁ ଆସି ଗୋପାଳିନୀ ଭାବରେ ମହାପ୍ରଭୁଙ୍କ ଆରଧନା କରିଥିଲେ । ଦେବୀ , କୀର୍ତ୍ତି ଓ ବାସ ଦୁଇ ରାକ୍ଷସଙ୍କୁ ଏକାମ୍ର କ୍ଷେତ୍ରରେ ବଧ କରିବା ପରେ ମହାପ୍ରଭୁ ଏକାମ୍ରକୁ ଆସିଥିଲେ । ତେଣୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ଭୂବନେଶ୍ବରୀଙ୍କୁ ଗୋପାଳିନୀ ଭାବରେ ଆରାଧନା କରାଯାଇଥାଏ।

ମାଙ୍କ ଧ୍ୟାନରେ କୁହାଯାଇଛି :

ଗୋପାଳିନି ନମସ୍ତେସ୍ତୁ କିର୍ତ୍ତିବାସ ବିମର୍ଦ୍ଦିନି ।
ପୁତ୍ର ପୌତ୍ର ପ୍ରପ୍ରୌତ୍ର ଚ ଦେହି ମେ ଭୁବନେଶ୍ବରି ।
କପିଳ ସଂହିତାରେ ଭୁବନେଶ୍ବରୀଙ୍କ ପୀଠକୁ ଆଦିପୀଠ ଭାବରେ ବର୍ଣ୍ଣନା କରାଯାଇଛି ।

ଏକଦା ଦେବୀ ପାର୍ବତୀ ଏକାମ୍ର ବନର ଶୋଭାରେ ବିମୁଗ୍ଧ ହୋଇ ମହାପ୍ରଭୁଙ୍କ ସହ ରାସକ୍ରୀଡା ପାଇଁ ଇଛା ପ୍ରକଟ କରିଥିଲେ । ମାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁ ଶ୍ରୀଅଙ୍ଗରୁ ଅଷ୍ଟଶମ୍ଭୁଙ୍କୁ ସୃଷ୍ଟି କରିଥିଲେ। ସେମାନେ ହେଲେ ରୁଦ୍ରେଶ୍ବର , ଈଶାନେଶ୍ବର ବୈଦ୍ୟନାଥ ,ମୂର୍ତ୍ତେଶ୍ବର , ସୂଷ୍ମେଶ୍ବର ,ଉତ୍ତମେଶ୍ବର , ବହିରଙ୍ଗେଶ୍ବର ଓ କେଦାରେଶ୍ବର।

ଏହି ଅଷ୍ଟଶମ୍ଭୁଙ୍କ ପାଇଁ ଦେବୀ ସ୍ବଦେହରୂ ଅଷ୍ଟଚଣ୍ଡୀଙ୍କୁ ସୃଷ୍ଟି କରିଥିଲେ । ସେମାନେ ହେଲେ କପାଳୀ ,ରାମାୟଣୀ , ମୋହିନୀ, ଦ୍ବାରବାସିନୀ , ବିନ୍ଧ୍ୟ ବାସିନୀ, ଅମ୍ବିକା ,ଉତ୍ତରେଶ୍ବରୀ ଓ ଚନ୍ଦ୍ର ହାସିନୀ ( ଗୌରୀ)। ଏହି ଅଷ୍ଟଚଣ୍ଡୀଙ୍କ ପ୍ରୀତି ବର୍ଦ୍ଧନ ପାଇଁ ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁ ବିନ୍ଦୁସାଗରରେ ଚାପ ଖେଳୁଥିବା ସମୟରେ ଆଠ ଥର ପାଣିରେ ଭଉରୀ କାଟିଥାନ୍ତି ଓ ସେ ସମୟରେ ମହାପ୍ରଭୁଙ୍କୁ ମଣିମା , ପାର୍ବତୀଙ୍କ ପ୍ରାଣନାଥ ଭାବରେ ସମ୍ବୋଧନ କରି ଆଲଟ ସେବା କରାଯାଏ ।

ଶାରଦୀୟ ଦୁର୍ଗୋତ୍ସବ ସମୟରେ ଏହି ଅଷ୍ଟଚଣ୍ଡୀଙ୍କୁ ମୂଳାଷ୍ଟମୀଠାରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ବିଧିମତେ ଚଣ୍ଡୀ ପାଠ ଓ ଷୋଡ଼ଶ ଉପଚାରରେ ଆରାଧନା କରାଯାଇଥାଏ।

ସେହିପରି ଶ୍ରୀ ଲିଙ୍ଗରାଜ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ଭୁବନେଶ୍ୱରୀଙ୍କର ପାର୍ବଣ ପୂଜା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ବିଧିମତେ ପାଳନ କରାଯାଇଥାଏ । ପୁରୀରୁ ରାଜଗୁରୁ ଆସି ଏହି ପୂଜା ସମ୍ପାଦନ କରିଥାନ୍ତି । ମା ଙ୍କ ପୀଠରେ ବାସନ୍ତୀ ଦୁର୍ଗା ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ। ଲିଙ୍ଗରାଜ ମନ୍ଦିରରେ ପୂଜିତା ମା ପାର୍ବତୀଙ୍କ ପାର୍ବଣ ପୂଜା କିନ୍ତୁ ଆରମ୍ଭ କରାଯାଏ ମହାଳୟାରୁ ଏବଂ ଶେଷ ହୁଏ ମହାଷ୍ଟମୀରେ ।

ଶାରଦୀୟ ଦୁର୍ଗାପୂଜା ସମୟରେ ମହାଳୟାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାଧୂପ ସମୟରେ ଭୁବନେଶ୍ୱରୀଙ୍କ ଚଳନ୍ତି ପ୍ରତିମା ମା ଦୁର୍ଗା ଜଗମୋହନରେ ଖଟୁଲିରେ ମହାପ୍ରଭୁଙ୍କ ସମ୍ମୁଖରେ ଉପବେଶନ କରନ୍ତି । ସେଠାରେ ଉଭୟଙ୍କର ପୂଜା ଆଳତୀ କରାଯାଇଥାଏ । ସେହିପରି ମହାଳୟାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପ୍ରତିଦିନ ମହାପ୍ରଭୁଙ୍କ ଦ୍ଵିପ୍ରହରଧୂପ ପରେ ସନ୍ଧ୍ୟାରେ ମା ଭୁବନେଶ୍ୱରୀ ନଗର ଭ୍ରମଣରେ ଯାଇଥାନ୍ତି । ବିମାନରେ ତିନି ମୁଣ୍ଡିଆ ଛକ ପର୍ଯ୍ୟନ୍ତ ଯାଇ ଲିଙ୍ଗରାଜ ମନ୍ଦିରକୁ ଫେରିଥାନ୍ତି ।

ମହାଷ୍ଟମୀ ଦିନ ମା ଭୁବନେଶ୍ୱରୀଙ୍କ ସହ ଶ୍ରୀ ଲିଙ୍ଗରାଜ ,ଦେବୀ ପାର୍ବତୀ ଓ ଶ୍ରୀ ବାସୁଦେବ ପଟୁଆରରେ ଗୋସାଗରଶ୍ବର ମନ୍ଦିରକୁ ଯାଇଥାନ୍ତି । ସେଠାରେ ଗୋସାଗରଶ୍ବର କୁଣ୍ଡରେ ସ୍ନାନ ପରେ ଚାରି ବିଗ୍ରହଙ୍କ ପୂଜା କରାଯାଇଥାଏ । ଭେଟ ଆଳତୀ ପରେ ମହାପାତ୍ର ସାହି ଓ କପାଳୀ ଦେବୀ ସାହିରେ ପଂକ୍ତି ଭୋଗ ଖାଇ ମହାପ୍ରଭୁ ମନ୍ଦିରକୁ ଫେରିଥାନ୍ତି । ଗୋସାଗରଶ୍ବର କୁଣ୍ଡରେ ସ୍ନାନ କଲେ ଗୋହତ୍ୟା ପାତକରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି ।

ଭୁବନେଶ୍ୱରୀ ,ପାର୍ବତୀଙ୍କ ବ୍ୟତୀତ ଲିଙ୍ଗରାଜ ମନ୍ଦିରରେ ମଙ୍ଗଳା , କାଳୀ ପାଷାଣ ଦୁର୍ଗା , ସାବିତ୍ରୀ , ଷଷ୍ଠୀ ଦେବୀ ତଥା ରାଜରାଜେଶ୍ବରୀ ଭାବରେ ମଧ୍ୟ ମା ପୂଜା ପାଉଛନ୍ତି । ଅଷ୍ଟଚଣ୍ଡୀଙ୍କ ବ୍ୟତୀତ ଏକାମ୍ର କ୍ଷେତ୍ରରେ ହରଚଣ୍ଡୀ ,ଭୁବାସିନୀ , କାତ୍ୟାୟନୀ,  ନାରାୟଣୀ, ଜାଗେଶ୍ବରୀ , ଦକ୍ଷିଣ ଚଣ୍ଡୀ, ଫୁଲବତୀ ,ଦୁଲାଦେଈ, କାମାକ୍ଷୀ ତଥା ଆଖଡାଚଣ୍ଡୀ ଆଦି ଦେବୀମାନେ ଏ କ୍ଷେତ୍ରର ବିରାଜମାନ କରି ଏହାର ମହିମା ବୃଦ୍ଧି କରୁଛନ୍ତି ।

ଦଶହରା ଦିନ ଲିଙ୍ଗରାଜ ମହାପ୍ରଭୁଙ୍କ ଲାଖବିନ୍ଧା ପର୍ବ ପାଳନ କରାଯାଏ । ଏହି ଦିନ ସନ୍ଧ୍ୟାରେ ଦିପହର ଧୂପ ପରେ ଶ୍ରୀ ଲିଙ୍ଗରାଜ ମା ଭୁବନେଶ୍ୱରୀ ଓ ପାର୍ବତୀ ଏବଂ ଶ୍ରୀ ବାସୁଦେବ କାଳିକା ଦେବୀ ମନ୍ଦିର ଲାଖବିନ୍ଧା ପଡିଆକୁ ପଟୁଆର ସହ ଗମନ କରନ୍ତି । ସିଂହଦ୍ବାରରେ ଚାରିଗୋଟି କଦଳୀ ଗଛ ପୋତା ଯାଇଥାଏ ।ସେଗୁଡିକୁ ବିମାନ କାନ୍ଧେଇଥିବା ସେବକମାନେ ଗୋଡ଼ରେ ଆଡେଇ ଆଗକୁ ବଢିଥାନ୍ତି।ସେଠାରେ ପୂଜାପରେ କାଠ ପଟାରେ ହୋଇଥିବା ମାଛ ଚିତ୍ରରେ ମହାପ୍ରଭୁଙ୍କ ପକ୍ଷରୁ ପୂଜା ପଣ୍ଡା ସେବାୟତ ରୂପା ଧନୁରେ ତୀର ସନ୍ଧାନ କରନ୍ତି । ତିନୋଟି ତୀର ମରାଯିବାର ବିଧି ରହିଛି।ତତ୍ ପରେ ମହାପ୍ରଭୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ।

ପ୍ରାଚୀନ ପୀଠ ପୂଜା ସହିତ ଏକାମ୍ରରେ ମୃଣ୍ମୟୀ ମୂର୍ତ୍ତି ପୂଜା ମଧ୍ୟ ବେଶ୍ ଲୋକପ୍ରିୟ ।ବଙ୍ଗୀୟ ପ୍ରଭାବରେ ଶହେ ବର୍ଷରୁ ଅଧିକ ସମୟ ହେବ ପୁରୁଣା ଭୁବନେଶ୍ୱରରେ ମୃଣ୍ମୟୀ ମୂର୍ତ୍ତି ପୂଜା ହୋଇଆସୁଛି । ୧୯୮୦/୮୧ ପର୍ଯ୍ୟନ୍ତ ଭୁବନେଶ୍ୱର ଦୁର୍ଗା ପୂଜା କହିଲେ ପୁରୁଣା ଭୁବନେଶ୍ୱର ପୂଜାକୁ ହିଁ ବୁଝାଉଥିଲା। ପ୍ରାୟ ବାଇଶଟି ମଣ୍ଡପରେ ଏଠାରେ ଦୁର୍ଗା ଓ ମହିଷାସୁର ଏବଂ ଶିବ ଓ ଜଳନ୍ଧର ବଧ ମେଢ଼ କରାଯାଇଥାଏ । ଭସାଣୀ ଦିନ ପରମ୍ପରା ଅନୁଯାୟୀ ସମସ୍ତ ମେଢ଼ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଦେଇ ବିସର୍ଜନ ପାଇଁ ଯାଇଥାନ୍ତି ।