Latest Odisha News

BREAKING NEWS

‘ପାଦରୁ ଚପଲ କାଢି ଶବ ଉପରେ ଚଢି ଆସିଲି’-ଅଙ୍ଗେନିଭା ଅନୁଭୂତି ବଖାଣିଲେ ସ୍ଥାନୀୟ ବାସିନ୍ଦା

ବାଲେଶ୍ୱର:‘ପୁରା ଘଟଣା ଆଖି ଆଗରେ ଘଟିଗଲା । ପବନ ଖାଇବାକୁ ଆସିଥିଲି । କିଛି ସମୟ ପରେ ଘଟିଲା ଭୟଙ୍କର ଦୁର୍ଘଟଣା । ଘରକୁ ଫେରିବାର ବାଟ ନଥିଲା । ବୁଲି ବୁଲି ଷ୍ଟେଶନ ଦେଇ ଆସିଲି । ହେଲେ ସେ ଦୃଶ୍ୟ ଥିଲା ଖୁବ କରୁଣ..ହୃଦୟ ବିଦାରକ । ଷ୍ଟେଶନରେ ପଡିଥିଲା ଟ୍ରେନ ବଗିର ଧ୍ୱଂସାବଶେଷ । ଚାରିଆଡେ କୁଢ କୁୃଢ ଶବ  । ଶେଷରେ ଶବ ଉପରେ ପାଦ ରଖି ଫେରିବାକୁ ପଡିଲା..’ । କାନ୍ଦି କାନ୍ଦି ନିଜ ଅନୁଭୂତି ବଖାଣିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ ତଥା ସ୍ଥାନୀୟ ବାସିନ୍ଦା ଭାଗବତ ପ୍ରସାଦ ରଥ।

ସେହି କାଳରାତିର ଛାତିଥରା ଦୃ୍ଶ୍ୟକୁ ସେ ନିଜ ଆଖିରେ ଦେଖିଛନ୍ତି । ସେ କରୁଣ ଚିତ୍କାର ତାଙ୍କ ହୃଦୟ ବିଦାରି ଦେଉଛି । ଭୟଙ୍କର ଦୃଶ୍ୟ ଏବେ ବି ତାଙ୍କ ଆଖିଆଗରେ ନାଚି ଯାଉଛି । ନିଜ ଅନୁଭୂତି ବଖାଣି ଭାଗବତ କହିଛନ୍ତି,  ‘ମୋ ଘର ଲେବୁଲ କ୍ରସିଂ ପାଖରେ । ରେଳଲାଇନରୁ ୧୦ ଫୁଟ ଦୂରରେ ନିଜ ବନ୍ଧୁଙ୍କ ସହ ବସିଥିଲି । ଫେରିବାକୁ ବାହାରୁଥିଲି । ଗେଟ ପଡିଲା ।  ପ୍ରଥମେ ମାଲ୍‌ ଗାଡ଼ି ଅଫ୍‌ ଲାଇନ୍‌ରେ ଆସି  ଏକ ନମ୍ବର ପ୍ଲାଟ୍‌ଫର୍ମରେ ରହିଲା । ପରେ ଦୁଇ ନମ୍ବର ପ୍ଲାଟ୍‌ଫର୍ମରେ ସିଗ୍‌ନାଲ ଥ୍ରୋ ହେଲା । ଗେଟ୍‌ ମ୍ୟାନ୍‌କୁ ଡବଲ ରିଙ୍ଗ୍‌ ଆସିଲା । ସେଥିରେ ନିର୍ଦେଶ ହେଲା ଯେ, ଗେଟ୍‌ ପକାଅ । କିନ୍ତୁ ଗେଟ୍‌ ଆଗରୁ ପଡ଼ିକି ଥିଲା । ସେ ଗେଟ୍‌ ଉଠାଇନଥିଲେ । ପରେ ଡାଉନ୍ ଲାଇନ୍‌ରେ ଗଡ଼ି ରହିଛି ବୋଲି ତିନିଟା ରିଙ୍ଗ୍‌ ଆସିଲା ।’

 ‘ଠିକ୍‌ ଏତିକି ବେଳେ କରମଣ୍ଡଳ ୨ ନମ୍ବର ପ୍ଲାଟ୍‌ଫର୍ମରେ ଯାଉଥିଲା, କିନ୍ତୁ ହଠାତ୍‌ ଏକ ନମ୍ବରକୁ ଟ୍ରାକ୍‌ ବଦଳାଇ ଆସିଲା ।  କେମିତି ବଦଳାଇଲା ଜାଣିପାରିଲୁନି । କରମଣ୍ଡଳର ବେଗ ଅନ୍ୟ ଦିନ ଅପେକ୍ଷା ଟିକେ ଅଧିକ ଥିଲା ବୋଧହୁଏ । ତା ପରେ ମାଲ୍‌ଗାଡ଼ିକୁ ଧକ୍କା ଦେଲା । ବାସ ! ଗୋଟିଏ ମୁହୁର୍ତ୍ତରେ ସବୁକିଛି ଛିନ୍‌ଛତ୍ର ହୋଇଗଲା ।’

‘କ’ଣ ହେଲା ଭାବିଲା ବେଳକୁ  ସେପଟୁ ଆଉ ଗୋଟେ ଏକ୍ସପ୍ରାସ୍‌ ଆସି  ଧକ୍କା ଦେଲା । ଛିନ୍‌ଛତ୍ର ହୋଇଗଲା ବଗି । ଇଲେକ୍ଟ୍ରି ପୋଲ  ଉପୁଡି ପଡିଲା ।  ଚାରିଆଡ଼ ଧୁଳି ଧୁଆଁ କୋଇଲା ଗୁଣ୍ଡ  । ବାଟ ଦିଶୁ ନ ଥିଲା ।  ଚାରିଆଡ ଥିଲା  କିଟ୍ କିଟ୍‌ ଅନ୍ଧାର । ହଠାତ ଏକ ତିନି  କେଜି ଓଜନର ପଥର ମୋ ପିଠି ଉପରେ ପଡ଼ିଲା  ।’

‘ମୋତେ   କହିଲେ ଷ୍ଟେଶନ ଦେଇ ଆସନ୍ତୁ । ସେଠାକୁ ଆସିବା ବେଳକୁ ସେ ଅବସ୍ଥା ଆହୁରି ଭୟଙ୍କର । ବିଲ ଭିତରେ ଟ୍ରେନ ବଗି ପଡିଥିଲା । ଚାରିଆଡେ ଶବ । ଏତେ ଶବ ଯେ ଆସବାକୁ ବାଟ ନ ଥିଲା । ଶବକୁ ସମ୍ମାନ ଜଣାଇ ପାଦରୁ ଚପଲ କାଢି ଶବ ଉପରେ ଚଢି ଆସିଲି ।’

Leave A Reply

Your email address will not be published.