Latest Odisha News

BREAKING NEWS

ଆରଟିଓଙ୍କୁ ପରିବହନ କମିସନରଙ୍କ ନିର୍ଦ୍ଦେଶ, ସମସ୍ତ ନିୟମ ତ୍ରୁଟିଶୂନ୍ୟ ଭାବେ ପାଳନ ହେଉ

କଟକ: ସାଧାରଣ ନିର୍ବାଚନକୁ ଚାପମୁକ୍ତ ଓ ଅବୈଧ ବଣ୍ଟନ ରୋକିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସଂପର୍କରେ ସମସ୍ତ ନିର୍ଦ୍ଦେଶାବଳୀର ତ୍ରୁଟିଶୂନ୍ୟ କାର୍ଯ୍ୟକାରିତା ପାଇଁ ସମସ୍ତ ଆରଟିଓଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ।

ଆଦର୍ଶ ଆଚରଣ ବିଧି ପରିପ୍ରେକ୍ଷୀର ଜାରି ନିର୍ଦ୍ଦେଶନାମା ଅନୁଯାୟୀ ,ଅନେକ ଜିଲ୍ଲାରେ ଏସଟିଏ ପକ୍ଷରୁ ବିଭିନ୍ନ ବିଭାଗ ସହ ମିଳିତ ଭାବେ କଡ଼ାକଡ଼ି ଯାଞ୍ଚ ଜାରି ରହିଛି । ଏହି ଯାଞ୍ଚରେ ଆଇଟି, ଇଡି, ଉଭୟ ରାଜ୍ୟ ଓ ଜିଏସଟି, ଅବକାରୀ ବିଭାଗ, ବାଣିଜ୍ୟ କର, ପୋଲିସ ବିଭାଗ ଆଦି ସାମିଲ ହୋଇଥିଲେ ।

ଆଜିର ସମୀକ୍ଷା ବୈଠକରେ ରାଜ୍ୟ ପରିବହନ ପ୍ରାଧିକରଣର ସମସ୍ତ ଉଚ୍ଚ ଅଧିକାରୀ ଉପସ୍ଥିତ ରହିଥିବା ବେଳେ  ରାଜ୍ୟର ସମସ୍ତ ଆରଟିଓ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଚାଲିଥିବା ଯାଞ୍ଚ କାର୍ଯ୍ୟକ୍ରମରେ ଅନ୍ୟ ନୋଡାଲ ଏଜେନ୍ସିଗୁଡ଼ିକ ସହ ଉଚିତ ସମନ୍ୱୟ ରକ୍ଷା କରି ଏହାକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ କମିସନର।

ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ସମସ୍ତଙ୍କ ମତାଧିକାର ସୁନିଶ୍ଚିତ କରିବା ଉପରେ ଜୋର୍ ଦେଇଛନ୍ତି ଦେଶର ମୁଖ୍ୟ ନିର୍ବାଚନ ଆୟୋଗ । ଏହି ପରିପ୍ରେକ୍ଷୀରେ ପରିବହନ କମିସନରଙ୍କ ପକ୍ଷରୁ ବିଶେଷ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନରେ କାର୍ଯ୍ୟରେ ବ୍ୟବହୃତ କୌଣସି ଗାଡ଼ିର କର୍ମଚାରୀ ଯଦି ନିଜ ଅଞ୍ଚଳର ମତଦାନ ତାରିଖ ଦିନ ବାହାର ବ୍ଲକରେ ନିଯୁକ୍ତ ହୁଅନ୍ତି ତେବେ ସେ ଫର୍ମ ୧୨ ବ୍ୟବହାର କରି ପୋଷ୍ଟାଲ ବାଲଟ ଜରିଆରେ ଡ୍ୟୁଟିରେ ଥିବା ପୋଲିଂ କେନ୍ଦ୍ରର ରିଟର୍ଣ୍ଣିଂ ଅପିସରଙ୍କ ନିକଟରେ ନିଜର ମତ ଦାଖଲ କରିପାରିବେ I ଏଥିପାଇଁ ସ୍ଥାନୀୟ ଏଡିଏମଙ୍କ ଅଫିସରୁ ଫର୍ମ ସଂଗ୍ରହ କରିବାକୁ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ କମିସନର ।

ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇ-ଭିଜିଲ୍ ନାମକ ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରାଯାଇଛି । ନିର୍ବାଚନରେ କୌଣସି ତ୍ରୁଟି ଦେଖାଦେଲେ ସାଧାରଣ ନାଗରିକ ଏହି ଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ ।

Leave A Reply

Your email address will not be published.