Latest Odisha News

BREAKING NEWS

ବିଦେଶ ମାଟିରେ ଚମକିଲେ ଜନଜାତି ଶିଳ୍ପୀ

 ଓଡ଼ିଶା ଜନଜାତି କଳାର ଉଚ୍ଚ ପ୍ରଶଂସା କଲେ କନ୍ସୁଲ୍ ଜେନେରାଲ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ଦୁବାଇଠାରେ ଓଡ଼ିଶା ଜନଜାତି ଚିତ୍ର କଳା ପ୍ରଦର୍ଶନୀ ଭାରତର କନ୍ସୁଲ ଜେନେରାଲ  ସତିଶ କୁମାର ଶିବମଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। 

ଏହି ଅବସରରେ ଏକାଡେମୀର ସଭାପତି,ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୂସୁଦନ ଦାଶ ଅତିଥିଙ୍କୁ ସ୍ଵାଗତ କରିବା ସହିତ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଶା ଜନଜାତି କଳା ଉଚ୍ଚ କୋଟୀର, ତାଙ୍କୁ ଅଭିଭୂତ କରିଛି ଏବଂ ସେ ନିଜେ ଓଡ଼ିଶା ଆସି ସେମାନଙ୍କ ଗାଁକୁ ବୁଲିଯିବେ ବୋଲି କହିଥିଲେ।ଏଭଳି ପ୍ରଦର୍ଶନୀ ଆୟୋଜନ ଦ୍ଵାରା ଓଡ଼ିଶାର ଜନଜାତି ଶିଳ୍ପୀମାନଙ୍କ ପ୍ରଚାର ଓ ପ୍ରସାର ସହିତ ଭାରତ ଓ ଦୁବାଇ ପରସ୍ପର ପାରମ୍ପରିକ ସଂସ୍କୃତିର ବିନିମୟ ହୋଇପାରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ପ୍ରଥମଥର ବିଦେଶ ମାଟିରେ, ଦୁବାଇଠାରେ ଓଡ଼ିଶାର ଜନଜାତି ଚିତ୍ରକଳା ଅଙ୍କନ କରି ଓଡ଼ିଶାର କଳା ସଂସ୍କୃତିର ନିଖୁଣ ଚିତ୍ର ପ୍ରଦର୍ଶନ କରିଥିବାରୁ ଶିଳ୍ପୀମାନଙ୍କୁ ସମସ୍ତେ ଉଚ୍ଚପ୍ରଶଂସା କରିଥିଲେ। ଏକାଡେ଼ମୀର ସଚିବ ପଞ୍ଚାନନ ସାମଲ ପ୍ରଦର୍ଶନୀକୁ ପରିଚାଳନା କରିଥିଲେ। ଏହି ଅବସରରେ ଦୁବାଇରେ ରହୁଥିବା ଭାରତୀୟ ଚିତ୍ରଶିଳ୍ପୀ ଓ କଳା ପ୍ରେମୀ ପ୍ରଦର୍ଶନୀ ବୁଲି ଦେଖିବା ସହିତ ଓଡ଼ିଶା ଜନଜାତି ଚିତ୍ରକଳାର ଭୂୟସୀ ପ୍ରଶଂସା କରିଥିଲେ।

 

 

Leave A Reply

Your email address will not be published.