Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆଦିବାସୀଙ୍କ ନିଆରା ବିଶ୍ୱାସର ପର୍ବ ଜନା ସରଣୀ ପୂଜା

ରାୟଗଡ଼ା: ଏଠି ବିଶ୍ୱାସରେ ବନ୍ଧା ଆଦିବାସୀ ସମ୍ପ୍ରଦାୟ । ବିଶ୍ୱାସ ହେଉଛି ସେମାନଙ୍କ ଜୀବନ ଯାପନର ପୁଞ୍ଜି । ଏହାକୁ ଆଧାର କରି ସେମାନେ ବଞ୍ଚିଥାନ୍ତି । ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା । ସେଥିପାଇଁ ଋତୁ ଅନୁଯାୟୀ ଏମାନଙ୍କ ନିୟାରା ପୂଜା ପରମ୍ପରା ରହିଛି । ପୂଜା ପାର୍ବଣ ସତେ ଯେମିତି ସେମାନଙ୍କ ଜୀବନ ଜୀବିକାର ଆଉ ଏକ ଅଙ୍ଗ । ସେହିପରି ସେମାନଙ୍କ ଅତୁଟ ବିଶ୍ୱାସର ଏକ ପର୍ବ ଜନା ସରଣୀ ପୂଜା । ଆଦିବାସୀ ପରମ୍ପରାରେ ଏହି ପୂଜାକୁ କୃଷି ଭିତ୍ତିକ ପୂଜା ରୂପେ ପାଳନ କରାଯାଏ ।

ଫସଲ ଅମଳ ପୂର୍ବରୁ ଏହି ପୂଜା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ବହୁଳ ରୂପେ କରାଯାଏ । ଭାଦ୍ରବ ମାସରେ ଆଦିବାସୀ ବସ୍ତିମାନଙ୍କରେ ପାଳନ କରୁଥିବା ପୂଜାକୁ ଭୁଦବଳାନି ବା ଜନା ସରଣୀ ଅବା ଜନାଖାଇ ପୂଜା କହନ୍ତି । ମୁଖ୍ୟତଃ ଏହି ସମୟରେ ଡଙ୍ଗରରେ ମକା ଫସଲ ଆମଦାନୀ ହୋଇଥାଏ । ମକା ମଞ୍ଜି ଲଗାଇବା ସମୟରେ ଜନାଖାଇ ଅସୁରୁଣିକୁ ମକା ବାଡ଼ର ସୁରକ୍ଷା ଦାୟିତ୍ୱ ଦେଇଥିବା ବେଳେ ମକା ତୋଳି ଘରକୁ ନେବା ପରେ ପ୍ରଥମ ମକା ଜନାଖାଇ ଅସୁରୁଣିକୁ ସମର୍ପଣ ପରେ ନିଜେ ବ୍ୟବହାର କରିଥାନ୍ତି ।

ତେବେ କେଉଁ ଦିନ ଭୁଦବଳାନି ବା ଜନା ସରଣୀ ଅବା ଜନାଖାଇ ପୂଜା ହେବ ସେ ନେଇ ଗାଁ ଦିଶାରୀ, ବେଜୁଣି, ବାରିକ ଏବଂ ଗାଁ ସଉନ୍ତା ଏକାଠି ବସି ଯାନୀ ଗୁଡ଼ିରେ ଦିନ ଓ ସମୟ ଏବଂ ଦିଗ ନିର୍ଦ୍ଧାରଣ କରିଥାନ୍ତି । ତିଥିରେ ପୂଜା ପାଇଁ ଗାଁରେ ଇଷ୍ଟ ଦେବୀ ସ୍ଥାପନା କରି ଓ ଗାଁ ସନ୍ଧିରେ ଅଦୃଶ୍ୟ ଶକ୍ତିର ଉପାସନା ପୂର୍ବକ ଜନାଖାଇ ଅସୁରୁଣିର ମାଟି ମୂର୍ତ୍ତି ନିର୍ମାଣ କରାଯାଇଥାଏ । ବିଶ୍ୱାସ ରହିଛି ଏହି ପୂଜା ନକଲେ ଜନାଖାଇ ଅସୁରୁଣିର କୋପରେ ଗାଁରେ ରୋଗ, ବେମାର ସହ ମହାମାରୀ ଦେଖାଦେବ ।

ଦିସାରି ଓ ଜାନି ଗାଁ ମୁଣ୍ଡରେ ଥିବା ନିଶାନ ମୁଣ୍ଡା ଗାଁ ଠାକୁରାଣୀଙ୍କ ନିକଟରୁ  ଆଜ୍ଞା ସ୍ବରୁପ ହଳଦୀ ନିର୍ମିତ ପାଦଆଣି ପୂଜାର ଶୁଭି ଆରମ୍ଭ କରିଥାନ୍ତି । ବିଭିନ୍ନ ଦେବାଦେବୀଙ୍କ ନାମରେ ପାରମ୍ପାରିକ ବାଦ୍ୟର ତାଳେତାଳେ ବେଜୁଣି ନାଚିବା ସହ ଧୂପଦୀପ, ଝୁଣା ଓ ଜଡ଼ାର ବାସ୍ନାରେ ସମ୍ପୂର୍ଣ୍ଣ ଗାଁରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ ।

ଗାଁ ମୁଣ୍ଡରେ ଥିବା ପ୍ରମୁଖ ସନ୍ଧିରେ ଜନାଖାଇ ଅସୁରୁଣିର ମୃର୍ତ୍ତି ସ୍ଥାପନ କରି ଅଦୃଶ୍ୟ ଶକ୍ତିକୁ ପୂଜା କରାଯାଇ ନିଜ ବଡ଼ ବା ଡାଙ୍ଗରରେ ଫଳିଥିବା ମକା ସମର୍ପଣ କରା ଯାଇଥାଏ । କେବଳ ସେତିକି ନୁହଁ ଜନାଖାଇ ଅସୁରୁଣିକୁ ଶାନ୍ତ କରିବା ପାଇଁ ସେଠାରେ କୁକୁଡ଼ା ଓ ଛେଳି, ଘୁଷୁରୀ ଆଦିକୁ ବଳି ଦିଆ ଯାଇଥାଏ । ବଳି ପରେ ରକ୍ତକୁ ସମ୍ପୃକ୍ତ ରାକ୍ଷାସର ଜିଭରେ ଢଳା ଯାଇ ଶାନ୍ତ କରିବା ନିୟମ ରହିଛି ।

Leave A Reply

Your email address will not be published.