Latest Odisha News

BREAKING NEWS

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ଢେଙ୍କାନାଳ ଟାଉନହଲଠାରେ ଶନିବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧଦିବସରେ ଏହି ପୂଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ସଭାପତି ବସନ୍ତ କୁମାର ତ୍ରିପାଠୀ ମାଲ୍ୟାର୍ପଣ କରିଥିଲେ । କୋଭିଡ଼ ୧୯ କଟକଣା ଯୋଗୁଁ କାର୍ଯ୍ୟକ୍ରମ ହୋଇପାରି ନଥିଲେ ମଧ୍ୟ ପ୍ରତିବର୍ଷ ପରି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରାଯାଇଥିଲା ।

ଏହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଉତ୍କଳ ସମ୍ମିଳନୀର କାର୍ଯ୍ୟ ନିର୍ବାହୀ ସଦସ୍ୟ ତଥା ସାମ୍ବାଦିକ ପ୍ରଦୀପ ଦାଶ, ଶାଖା କୋଷାଧ୍ୟକ୍ଷ ଇନ୍ଦ୍ରମଣି ବେହେରା, ସତ୍ୟଜିତ୍ ନାୟକ, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

ପୂଣ୍ୟାତ୍ମାଙ୍କ ଶ୍ରାଦ୍ଧଦିବସ ଅବସରରେ ବକ୍ତାମାନେ ଉତ୍କଳମଣିଙ୍କ ତ୍ୟାଗ ଓ ତିତୀକ୍ଷାର ପବିତ୍ର ସ୍ରୋତସ୍ୱିନୀ ଭାବରେ ଉପସ୍ଥାପନ କରି ତାଙ୍କର ପ୍ରମୁଖ ଅବଦାନ ଏବଂ ବନ୍ୟା, ବାତ୍ୟା ପ୍ରଭୃତି ସମୟରେ ଓଡ଼ିଆ ମାନଙ୍କ ଦୁଃଖ ଦୁର୍ଦ୍ଧଶାର ଚିର ସାଥୀ ହୋଇ ସେ ଯେଉଁ ଆଦର୍ଶ ସୃଷ୍ଟି କରିଯାଇଛନ୍ତି ତାହା ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ ।

ଉତ୍କଳମଣିଙ୍କୁ ଭାରତମଣି ଭାବେ ଆଖ୍ୟାୟିତ କରିଥିବାରୁ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସମ୍ମିଳନୀ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ଅନଲାଇନ୍ ବୈଠକରେ ସମ୍ମିଳନୀର ସଭାପତି ଶ୍ରୀ ତିପାଠୀଙ୍କ ସମେତ ପ୍ରଫେସର କାଶୀନାଥ ରଥ, ଡଃ ବାନାମ୍ବର ପରିଡ଼ା, ଇଂ ଜିତେନ୍ଦ୍ର କୁମାର ପାଢୀ, ତ୍ରିନାଥ ସାମନ୍ତରାୟ ପ୍ରମୁଖ ଯୋଗଦାନ କରିଥିବା ନେଇ ସମ୍ପାଦକ ଡା ରାଧାନାଥ ପ୍ରହରାଜ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.