Latest Odisha News

BREAKING NEWS

ଟିକିଏ ଆଖି ଲାଗିଗଲା, ଆଉ ତା’ପରେ… ଖଣ୍ଡଗିରି ଓଭରବ୍ରିଜ୍‌ରେ ଭୟଙ୍କର ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଫ୍ଲାଏଓଭର୍ ଉପରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳେ ଏକ ଟ୍ରକ୍‌ ପଛପଟୁ ଅନ୍ୟ ଏକ ଲୁହା ବୋଝେଇ ଟ୍ରକ୍‌କୁ ଅତି ଜୋର୍‌ରେ ଧକ୍କା ଦେବା ଫଳରେ ଗୋଟିଏ ଗାଡ଼ି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଅନ୍ୟପଟେ ଧକ୍କା ଦେଇଥିବା ଟ୍ରକ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି। କ୍ୟାବିନ୍ ଭିତରେ ଫସି ରହିଥିବା ଜଣେ ଡ୍ରାଇଭରଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

ସୂଚନା ଅନୁଯାୟୀ, ଗୋଟିଏ ଟ୍ରକ୍ କୋଲକାତାରୁ ତାମିଲନାଡୁ ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି ଝାଡ଼ଖଣ୍ଡରୁ ଆସୁଥିଲା। ଆଗରେ ଥିବା ଗାଡ଼ିର ଡ୍ରାଇଭରଙ୍କ କହିବା ଅନୁସାରେ, ସେ ଘଣ୍ଟାପ୍ରତି ମାତ୍ର ୩୦ କିଲୋମିଟର ବେଗରେ ନିଜ ସାଇଡ୍‌ରେ ଗାଡ଼ି ଚଳାଉଥିଲେ। କିନ୍ତୁ ହଠାତ୍ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କ ଗାଡ଼ିକୁ ଶକ୍ତ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ପଛରେ ଥିବା ଟ୍ରକ୍‌ର କ୍ୟାବିନ୍ ଏକଦମ୍ ଦବି ଯାଇଥିଲା ଏବଂ ଚାଳକ ଜଣକ ଷ୍ଟିୟରିଂ ତଳେ ଚାପି ହୋଇଯାଇଥିଲେ।

 

ଦୁର୍ଘଟଣା ପରେ ଘଟଣାସ୍ଥଳରେ କୋକୁଆ ଭୟ ଖେଳିଯାଇଥିଲା। ଖବର ପାଇ ୩ଟି ପିସିଆର୍ ଭ୍ୟାନ୍ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କ୍ୟାବିନ୍ ଭିତରେ ଫସି ରହିଥିବା ଡ୍ରାଇଭରଙ୍କୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ଶେଷରେ କଟିଂ ମେସିନ୍ ବ୍ୟବହାର କରାଯାଇ ଗାଡ଼ିର ଲୁହା ଅଂଶ କାଟି ଉକ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

 

ଏହି ଦୁର୍ଘଟଣା ଯୋଗୁଁ ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପୁଲିସ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ଭୋର୍ ସମୟ ହୋଇଥିବାରୁ ପଛରେ ଆସୁଥିବା ଟ୍ରକ୍ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବ, ଯାହା ଫଳରେ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟାଇଛନ୍ତି।

Leave A Reply

Your email address will not be published.