ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ସରକାରୀ ବିଜ୍ଞାପନକୁ ନେଇ ଆମେରିକାରେ ଏକ ବିବାଦ ଦେଖାଦେଇଛି।
ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପ୍ରଚାରରେ ବ୍ୟବହୃତ ଏକ ବିଜ୍ଞାପନ ଏବେ ଟେଲିଭିଜନରେ ପ୍ରସାରିତ ହେଉଛି। ଅନେକ ଆଇନ ପ୍ରଣୟନକାରୀ ସରକାରୀ ପାଣ୍ଠିର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି।
୨୦୨୪ ନିର୍ବାଚନ ପ୍ରଚାର ସମୟରେ ବ୍ୟବହୃତ ଏକ ବିଜ୍ଞାପନ ସହ ପ୍ରାୟ ସମାନ ଭିଡିଓକୁ ଏବେ ଆମେରିକା ସରକାରୀ ପାଣ୍ଠିରେ ଟେଲିଭିଜନରେ ପ୍ରସାରଣ କରାଯାଉଥିବା ନେଇ ପ୍ରଶ୍ନ ଉଠିଛି। ବିଜ୍ଞାପନରେ ନିଜେ ‘Paid for by the U.S. Government’ ବୋଲି ଉଲ୍ଲେଖ ରହିଛି। ଏହି ୩୦ ସେକେଣ୍ଡର ବିଜ୍ଞାପନରେ ଟ୍ରମ୍ପ ଏକ କରିଡର ଦେଇ ଚାଲିଯାଉଥିବା ଦେଖାଯାଉଛି, ସେ “ଗ୍ଲୋବାଲିଷ୍ଟ” ଏବଂ “ଯୁଦ୍ଧକାରୀ” ବିରୁଦ୍ଧରେ ଲଢ଼ିବା ବିଷୟରେ କଥା ହେଉଛନ୍ତି। ବିଜ୍ଞାପନଟି “ଆମେରିକୀୟ ସରକାରଙ୍କ ଦ୍ୱାରା ଦେୟ” ଶବ୍ଦ ସହିତ ଶେଷ ହେଉଛି, ଅର୍ଥାତ୍ ଏହି ବିଜ୍ଞାପନର ଖର୍ଚ୍ଚ ଆମେରିକା ସରକାର ବହନ କରିଛି। ବିଜ୍ଞାପନ ଖର୍ଚ୍ଚ ଉପରେ ନଜର ରଖୁଥିବା ଏକ କମ୍ପାନୀ AdImpact ର ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ବିଜ୍ଞାପନରେ ପ୍ରାୟ $୩୧୯,୦୦୦ ଖର୍ଚ୍ଚ ହୋଇଛି।
ଏହି ନୂତନ ବିଜ୍ଞାପନ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପ୍ରଚାର ସମୟରେ ପ୍ରସାରିତ ବିଜ୍ଞାପନ ସହିତ ସମାନ ଭଳି ଲାଗୁଛି। ସେହି ସମୟରେ ବିଜ୍ଞାପନଟି ଲୋକଙ୍କୁ ଟ୍ରମ୍ପଙ୍କ “ଆମେରିକା ପାଇଁ ଲଢ଼େଇ” ରେ ଯୋଗଦେବାକୁ ଅନୁରୋଧ କରିଥିଲା। ଟ୍ରମ୍ପ ପ୍ରଶାସନ ସମ୍ପ୍ରତି ଅନେକ ଟିଭି ବିଜ୍ଞାପନ ଚଲାଇଛି। ଅନ୍ୟ ଏକ ବିଜ୍ଞାପନରେ ମାଉଣ୍ଟ ରଶମୋରର ରାତିର ଭିଡିଓ ରହିଛି। ଏଥିରେ ଟ୍ରମ୍ପଙ୍କ ଜୁଲାଇ ୪ ଭାଷଣର କିଛି ଅଂଶ ମଧ୍ୟ ରହିଛି।
ହ୍ୱାଇଟ୍ ହାଉସ୍ ଏହି ବିଜ୍ଞାପନଗୁଡ଼ିକୁ ସମର୍ଥନ କରି କହିଛି ଯେ ଏଗୁଡ଼ିକ “ପବ୍ଲିକ୍ ସରଭିସ୍ ଆନାଉନ୍ସମେଣ୍ଟ ବା ସାର୍ବଜନୀନ ସେବା ଘୋଷଣା ବୋଲି। କିନ୍ତୁ ନିର୍ବାଚନ ବିଜ୍ଞାପନ ନୁହେଁ।ହ୍ୱାଇଟ୍ ହାଉସ୍ ଏହାସହ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ. ବୁଶ, ବାରାକ ଓବାମା ଏବଂ ଜୋ ବିଡେନଙ୍କ ପ୍ରଶାସନ ସମୟରେ ହୋଇଥିବା ସରକାରୀ ବିଜ୍ଞାପନର ଉଦାହରଣ ଦେଇଛି। ସେହିପରି ହ୍ୱାଇଟ୍ ହାଉସ୍ ଅନୁଯାୟୀ, ଟ୍ରମ୍ପ ବର୍ତ୍ତମାନ କୌଣସି ନିର୍ବାଚନରେ ପ୍ରାର୍ଥୀ ନୁହଁନ୍ତି ଏବଂ ବିଜ୍ଞାପନଗୁଡ଼ିକ ଲୋକଙ୍କୁ ଭୋଟ ଦେବାକୁ କିମ୍ବା କୌଣସି ଅଭିଯାନରେ ଯୋଗଦେବାକୁ ଅନୁରୋଧ କରୁନାହିଁ।

