Latest Odisha News

BREAKING NEWS

ଭାରତ-ପାକିସ୍ତାନ ଯୁଦ୍ଧରେ ବିରାମ: ମୋତେ ଶ୍ରେୟ ମିଳିବନି କହି ସାକ୍ଷାତକାରରେ ‘କାନ୍ଦି’ ପକାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ସେ ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶକୁ ଯୁଦ୍ଧର ମୁହାଁମୁହିଁ ସ୍ଥିତିରୁ ନିବୃତ ରଖିଛନ୍ତି। ଏହାକୁ ସେ ଏକ “ବିରାଟ କୂଟନୈତିକ ସଫଳତା” ବୋଲି ଅଭିହିତ କରିଛନ୍ତି । ଯାହାର ଶ୍ରେୟ ତାଙ୍କୁ କେବେ ମିଳିବ ନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି।

ସାକ୍ଷାତକାରରେ ଟ୍ରମ୍ପ ଖୁଲାସା କରିଛନ୍ତି ଯେ, ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା । ସେତେବେଳେ ସେ ଉଭୟ ଦେଶର ନେତାଙ୍କ ସହ ସିଧାସଳଖ କଥା ହୋଇଥିଲେ। ଟ୍ରମ୍ପଙ୍କ କହିବା ଅନୁଯାୟୀ, “ସେତେବେଳେ ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ ଯୁଦ୍ଧ ଯେ କୌଣସି ସମୟରେ ପରମାଣୁ ସ୍ତରକୁ ଗଡ଼ି ପାରିଥାନ୍ତା। ମୁଁ ଫୋନ କଲି, ଉଭୟ ପକ୍ଷ ସହ କଥା ହେଲି ଓ ସେମାନଙ୍କୁ ଆଲୋଚନାରେ ବସାଇଲି।” ସେ ଆହୁରି କହିଛନ୍ତି, “ପରମାଣୁ ଯୁଦ୍ଧ ହେଉଛି ବିଶ୍ୱର ସବୁଠୁ ଭୟଙ୍କର ଓ ଧ୍ୱଂସାତ୍ମକ ଜିନିଷ। ଏହାକୁ ‘ଏନ’ ଶବ୍ଦ କୁହାଯାଏ, ଯାହା ଅତ୍ୟନ୍ତ ଭୟଙ୍କର।” ଯଦି ସେ ହସ୍ତକ୍ଷେପ ନ କରିଥାନ୍ତେ, ତେବେ ପରିଣାମ ଅତି ଗମ୍ଭୀର ହୋଇଥାନ୍ତା ।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସେ ବ୍ୟାପାରକୁ ଏକ କୌଶଳଗତ ଉପାୟ ଭାବେ ବ୍ୟବହାର କରିଥିଲେ। “ମୁଁ ବ୍ୟାପାରର ମାଧ୍ୟମରେ ସନ୍ତୁଳନ ରକ୍ଷା କରି ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲି,” ବୋଲି ସେ କହିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଭାରତ ଆମେରିକା ଉପରେ ସର୍ବାଧିକ ଟାରିଫ ଲଗାଉଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ । କିନ୍ତୁ ସେ ଏହାକୁ ହ୍ରାସ କରିବା ଦିଗରେ ଭାରତକୁ ମନାଇବାରେ ସଫଳ ହୋଇଥିଲେ। ଭାରତ ସହ ଏକ ବ୍ୟାପାର ଚୁକ୍ତି ଶୀଘ୍ର ହୋଇପାରିବ କି ବୋଲି ପଚରାଯିବାରୁ ସେ କହିଛନ୍ତି “ହଁ, ହୋଇପାରେ।”

ଗତ ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ଜୀବନ ଚାଲିଯାଇଥିଲା। ଏହାର ଜବାବରେ ଭାରତ ମେ ୭ରେ ‘ଅପରେସନ ସିନ୍ଦୁର’ ଆରମ୍ଭ କରିଥିଲା। ଏହା ପରେ ପାକିସ୍ତାନ ମେ ୮ରୁ ୧୦ ମଧ୍ୟରେ ଭାରତ ଉପରେ ପ୍ରତିଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଚାରି ଦିନ ଧରି ଚାଲିଥିବା ଏହି ସୀମାନ୍ତ ସଂଘର୍ଷ ପରେ ମେ ୧୦ରେ ଆମେରିକାର ମଧ୍ୟସ୍ଥତାରେ ଉଭୟ ଦେଶ ଏକ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ଚେଷ୍ଟା ଯୋଗୁଁ ଏହି “ଦୀର୍ଘ ଆଲୋଚନା” ସଫଳ ହୋଇଥିଲା, ଓ ଯୁଦ୍ଧକୁ ରୋକାଯାଇ ପାରିଥିଲା।

ଯଦିଓ ଭାରତ ସରକାର ଟ୍ରମ୍ପଙ୍କ ଏହି ଦାବି ଉପରେ କୌଣସି ସରକାରୀ ପ୍ରତିକ୍ରିୟା ଦେଇନାହାନ୍ତି, କିନ୍ତୁ ଟ୍ରମ୍ପ ନିଜ କଥାରେ ଅଟଳ ରହିଛନ୍ତି। ସେ କହିଛନ୍ତି ଯେ, ଏହା ତାଙ୍କ କାର୍ଯ୍ୟକାଳର ଅନ୍ୟତମ ବଡ଼ କୂଟନୈତିକ ବିଜୟ ଥିଲା, କିନ୍ତୁ ଏହାର ଶ୍ରେୟ ତାଙ୍କୁ କେବେ ମିଳିବ ନାହିଁ।

Comments are closed.