ନୂଆଦିଲ୍ଲୀ: ଚୀନର ଗର୍ବ ଭାଙ୍ଗିବ ଆମେରିକା?
ମାଷ୍ଟରପ୍ଲାନ୍ ପ୍ରସ୍ତୁତିରେ ରାଷ୍ଟ୍ରପତି ଟ୍ରମ୍ପ!
ଦୁନିଆର ଦୁଇ ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଓ ପ୍ରଯୁକ୍ତି ଯୁଦ୍ଧ ଏବେ ନୂଆ ପର୍ଯ୍ୟାୟକୁ ପହଞ୍ଚିଛି। ଏଥର ଟାର୍ଗେଟ୍ ହେଉଛି ଚୀନର ସବୁଠୁ ବଡ଼ ଶକ୍ତି, ରେୟାର ଆର୍ଥ ଏଲିମେଣ୍ଟସ୍। ଏହି ଦୁର୍ଲଭ ଖଣିଜ ଉପରେ ଦଶନ୍ଧି ଧରି ଚୀନର ପ୍ରାୟ ଏକଚାଟିଆ ଦବଦବା ରହିଛି। କିନ୍ତୁ ଏବେ ଆମେରିକା ସେହି ନିର୍ଭରଶୀଳତା ଶେଷ କରିବାକୁ ବଡ଼ ପଦକ୍ଷେପ ନେଇଛି।
ପ୍ରଥମ ଥର ପାଇଁ ଆମେରିକୀୟ ସେନାର ଅତ୍ୟନ୍ତ ସୁରକ୍ଷିତ ‘ଟୁଏଲ୍ ଆର୍ମି ଡିପୋ’ ମିଲିଟାରୀ ବେସ୍ ଭିତରେ ଏକ ବ୍ୟବସାୟିକ ରେୟାର ଆର୍ଥ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ ହେବ। ଏହି ପ୍ରକଳ୍ପର ଦାୟିତ୍ୱ ବେସରକାରୀ କମ୍ପାନୀ REalloysକୁ ଦିଆଯାଇଛି।
ଆମେରିକା ୧ ଜାନୁଆରୀ ୨୦୨୭ରୁ ଏକ ନୂଆ ନିୟମ ଲାଗୁ କରିବ। ଏହା ପରେ ସରକାରୀ ପ୍ରତିରକ୍ଷା କ୍ରୟରେ ଚୀନର ରେୟାର ଆର୍ଥ ମ୍ୟାଟେରିଆଲ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ହେବ। ସେହି ଲକ୍ଷ୍ୟକୁ ଆଗରେ ରଖି ୨୦୨୭ରେ ପ୍ଲାଣ୍ଟ ନିର୍ମାଣ ଆରମ୍ଭ ଓ ୨୦୨୮ ସୁଦ୍ଧା ପୂର୍ଣ୍ଣ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା ରଖିଛି ଆମେରିକା । ଯାହା ଚୀନକୁ ଶକ୍ତି ଆଘାତ ଦେଇପାରେ ।
ଏବେ ପ୍ରଶ୍ନ ଉଠୁଛି, ଆମେରିକାର ଏହି ସାମରିକ ଘାଟି ଭିତରେ ଏମିତି କ’ଣ ତିଆରି ହେଉଛି, ଯାହାକୁ ନେଇ ଚୀନର ଚିନ୍ତା ବଢିପାରେ? ପ୍ରକୃତରେ ଏହି ପ୍ଲାଣ୍ଟରେ ଡିସ୍ପ୍ରୋସିୟମ୍ ଓ ଟର୍ବିୟମ୍ ନାମକ ଦୁଇଟି ଗୁରୁତ୍ୱପୂର୍ଣ୍ଣ ହେଭି ରେୟାର ଆର୍ଥ ଏଲିମେଣ୍ଟସ୍ର ବିଶୋଧନ କରାଯିବ। ଏହି ଦୁଇଟି ଖଣିଜ ଏତେ ମୂଲ୍ୟବାନ ଯେ, ଏଗୁଡ଼ିକ ବିନା ଅତ୍ୟଧିକ ତାପମାତ୍ରାରେ କାମ କରୁଥିବା ପରମାନେଣ୍ଟ ମ୍ୟାଗ୍ନେଟ୍ ତିଆରି କରିବା ସମ୍ଭବ ନୁହେଁ। ସହଜ ଭାଷାରେ କହିଲେ, ପ୍ରଥମେ ଖଣିରୁ ବାହାର କରାଯାଇଥିବା କଞ୍ଚା ଖଣିଜକୁ ସଫା କରାଯାଏ। ପରେ ରାସାୟନିକ ପ୍ରକ୍ରିୟାରେ ତାହାକୁ ଅଲଗା ଅଲଗା ରେୟାର ଆର୍ଥ ଏଲିମେଣ୍ଟରେ ବିଭକ୍ତ କରାଯାଏ। ଏହାପରେ ସେଗୁଡ଼ିକୁ ଉଚ୍ଚ-ଶୁଦ୍ଧତାର ଧାତୁରେ ପରିଣତ କରାଯାଏ ଏବଂ ଶେଷରେ ସେହି ଧାତୁରୁ ପରମାନେଣ୍ଟ ମ୍ୟାଗ୍ନେଟ୍ ପ୍ରସ୍ତୁତ ହୁଏ। ଏହି ମ୍ୟାଗ୍ନେଟ୍ଗୁଡ଼ିକ ହିଁ ଆଧୁନିକ ଯୁଦ୍ଧାସ୍ତ୍ର, ପ୍ରିସିଜନ୍-ଗାଇଡେଡ୍ ମିସାଇଲ୍, F-35 ଫାଇଟର ଜେଟ୍, ନୌସେନା ଯୁଦ୍ଧଜାହାଜ ଏବଂ ରାଡାର ସିଷ୍ଟମ୍କୁ ସଞ୍ଚାଳିତ କରିଥାଏ। ଦୀର୍ଘ ଦଶନ୍ଧି ଧରି ଏହି ସମଗ୍ର ସପ୍ଲାଇ ଚେନ୍ ଉପରେ ଚୀନର ଏକଚାଟିଆ ନିୟନ୍ତ୍ରଣ ରହିଥିଲା। କିନ୍ତୁ ଏବେ ଆମେରିକାର ଏହି ନୂଆ ପଦକ୍ଷେପ ସେହି ସମୀକରଣକୁ ବଦଳାଇବାକୁ ଯାଉଛି।
ଚୀନ ଉପରେ ନିର୍ଭରଶୀଳତା କମାଇବା ପାଇଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଡିଫେନ୍ସ ପ୍ରଡକ୍ସନ୍ ଆକ୍ଟ ବ୍ୟବହାର କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଆମେରିକାର ପ୍ରତିରକ୍ଷା ଉତ୍ପାଦନ ବ୍ୟବସ୍ଥାକୁ ମଜବୁତ କରିବା, ଦୁର୍ବଳ ସପ୍ଲାଇ ଚେନ୍କୁ ସୁଧାରିବା ଏବଂ ଚୀନ ଉପରେ ନିର୍ଭରତା ଶେଷ କରିବା। ରିପୋର୍ଟ ଅନୁଯାୟୀ, ଲକହିଡ୍ ମାର୍ଟିନ୍, RTX, ବୋଇଂ, ନର୍ଥ୍ରୋପ୍ ଗ୍ରୁମାନ୍, ଜେନେରାଲ୍ ଡାଇନାମିକ୍ସ ଓ L3 ହ୍ୟାରିସ୍ ଭଳି ବଡ଼ ପ୍ରତିରକ୍ଷା କମ୍ପାନୀମାନେ ଏପର୍ଯ୍ୟନ୍ତ ଚୀନ ଉପରେ ନିର୍ଭର କରୁଛନ୍ତି। ୨୦୨୭ ସୁଦ୍ଧା ଏହି ନିର୍ଭରଶୀଳତା ଶେଷ ନ କଲେ ସରକାରୀ ଠିକା ହରାଇବାର ଆଶଙ୍କା ରହିଛି। ଏହି ଲକ୍ଷ୍ୟ ପୂରଣ ପାଇଁ REalloys କାନାଡାର ସାସ୍କାଚେୱାନ୍ ରିସର୍ଚ୍ଚ କାଉନସିଲ୍, ଗ୍ରୀନଲ୍ୟାଣ୍ଡର ଟାନବ୍ରିଜ୍ ପ୍ରୋଜେକ୍ଟ, ଆମେରିକାର ଶିପ୍ କ୍ରିକ୍ ଓ ବ୍ରୁକ୍ ମାଇନ୍ ପ୍ରକଳ୍ପ ସହ ଚୁକ୍ତି କରି କଞ୍ଚାମାଲ ଯୋଗାଣକୁ ସୁନିଶ୍ଚିତ କରିଛି।
ବିଶେଷଜ୍ଞଙ୍କ ମତରେ, ଏହି ପଦକ୍ଷେପ କେବଳ ଏକ କାରଖାନା ନିର୍ମାଣ ନୁହେଁ, ବରଂ ଚୀନର ରେୟାର ଆର୍ଥ ଦବଦବାକୁ ଚ୍ୟାଲେଞ୍ଜ କରିବା ଏବଂ ବିଶ୍ୱ ପ୍ରତିରକ୍ଷା ସପ୍ଲାଇ ଚେନ୍ରେ ଆମେରିକାକୁ ପୁଣି ଶକ୍ତିଶାଳୀ କରିବାର ଏକ ବଡ଼ ରଣନୀତି।