ଇ-୨୦ ପେଟ୍ରୋଲକୁ ନେଇ ଅନ୍ତର୍ଜାତୀୟ ଟଣାଓଟରା: ଭାରତର ଦାବିର ‘ପ୍ରମାଣ’ ଖୋଲିଲେ ଭୁଟାନର ସାମ୍ବାଦିକ, ଜାଣନ୍ତୁ ସତ କ’ଣ?
ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଇ-୨୦ (E20) ପେଟ୍ରୋଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ପରିବେଶ ସୁରକ୍ଷା ଓ ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ସରକାର ଏହି ଇଥାନଲ ମିଶ୍ରିତ ଇନ୍ଧନକୁ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ଏବେ ଏହାକୁ ନେଇ ଏକ ଅନ୍ତର୍ଜାତୀୟ ଟଣାଓଟରା ଆରମ୍ଭ ହୋଇଯାଇଛି। ଭାରତର ଇ-୨୦ ପେଟ୍ରୋଲକୁ ପଡ଼ୋଶୀ ଦେଶ ଭୁଟାନ ଗ୍ରହଣ କରିବାକୁ ମନା କରିଦେଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ହଟଚମଟ ସୃଷ୍ଟି ହୋଇଥିଲା। ଭାରତର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏହି ଦାବିକୁ ସିଧାସଳଖ ଖଣ୍ଡନ କରିବା ପରେ, ଏବେ ଭୁଟାନର ଜଣେ ବରିଷ୍ଠ ସାମ୍ବାଦିକ ନୂଆ ‘ପ୍ରମାଣ’ ସହ ସାମ୍ନାକୁ ଆସିଛନ୍ତି, ଯାହା ବିବାଦକୁ ଏକ ନୂଆ ମୋଡ଼ ଦେଇଛି।
କିଛି ଦିନ ତଳେ ଭୁଟାନର ପ୍ରମୁଖ ଖବରକାଗଜ ‘ଦି ଭୁଟାନିଜ୍’ (The Bhutanese)ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଦାବି କରାଯାଇଥିଲା ଯେ, ଭାରତୀୟ ତୈଳ ମାର୍କେଟିଂ କମ୍ପାନୀ ଗୁଡ଼ିକ ଭୁଟାନକୁ ଇ-୨୦ ପେଟ୍ରୋଲ ଯୋଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଭୁଟାନର ଇନ୍ଧନ ଭିତ୍ତିଭୂମି ଏଥିପାଇଁ ପ୍ରସ୍ତୁତ ନଥିବାରୁ ଭୁଟାନ ସରକାର ଏହାକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ପୂର୍ବଭଳି ସାଧାରଣ ପେଟ୍ରୋଲ ଯୋଗାଣ ଜାରି ରଖିବାକୁ ଅନୁରୋଧ କରିଥିଲେ।
ଏହି ଖବର ସାମ୍ନାକୁ ଆସିବା ପରେ ଭାରତର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ତୁରନ୍ତ ସ୍ପଷ୍ଟୀକରଣ ଦେଇଥିଲା। ସୋସିଆଲ ମିଡିଆରେ ଏକ ‘ଫ୍ୟାକ୍ଟ ଚେକ୍’ ଜାରି କରି ମନ୍ତ୍ରଣାଳୟ କହିଥିଲା ଯେ, ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଭୁଟାନକୁ ଇ-୨୦ ପେଟ୍ରୋଲ ରପ୍ତାନି କରିବା ନେଇ ଆନୁଷ୍ଠାନିକ ଭାବେ କୌଣସି ପ୍ରସ୍ତାବ ଦେଇନାହାନ୍ତି। ଯେତେବେଳେ ପ୍ରସ୍ତାବ ଦିଆଯାଇ ହିଁ ନାହିଁ, ସେତେବେଳେ ତାହାକୁ ଖାରଜ କରିବାର ପ୍ରଶ୍ନ କେଉଁଠୁ ଆସିଲା ବୋଲି ସରକାର ପ୍ରଶ୍ନ କରିଥିଲେ।
ମାତ୍ର ଭାରତ ସରକାରଙ୍କ ଏହି ସ୍ପଷ୍ଟୀକରଣ ପରେ କାହାଣୀରେ ଆସିଥିଲା ବଡ଼ ଟ୍ୱିଷ୍ଟ। ‘ଦି ଭୁଟାନିଜ୍’ର ସମ୍ପାଦକ ତେନଜିଂ ଲାମସାଙ୍ଗ (Tenzing Lamsang) ଏକ୍ସରେ ଏକ ସରକାରୀ ଦସ୍ତାବିଜ ସେୟାର କରିଥିଲେ। ଭୁଟାନର ବାଣିଜ୍ୟ ବିଭାଗର ଏହି ଲିଖିତ ଜବାବକୁ ଆଧାର କରି ସେ ନିଜ ରିପୋର୍ଟର ସତ୍ୟତା ପ୍ରମାଣ କରିବାକୁ ପ୍ରୟାସ କରିଛନ୍ତି। ସମ୍ପାଦକଙ୍କ ଦାବି ଅନୁଯାୟୀ, ବୈଷୟିକ ବୈଠକ ସମୟରେ ଭାରତୀୟ କମ୍ପାନୀଗୁଡ଼ିକ ଇ-୨୦ ପେଟ୍ରୋଲ ଯୋଗାଣ ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଭୁଟାନର ବାଣିଜ୍ୟ ବିଭାଗ ଏହାକୁ ବାରଣ କରି ସାଧାରଣ ପେଟ୍ରୋଲ ଯୋଗାଣ ଜାରି ରଖିବାକୁ ଅନୁରୋଧ କରିଥିଲା।
ସାମ୍ବାଦିକ ଜଣକ ସେୟାର କରିଥିବା ଦସ୍ତାବିଜ୍ ଅନୁଯାୟୀ, ଭୁଟାନର ମୁଖ୍ୟ ଚିନ୍ତା ହେଉଛି ଇ-୨୦ ପେଟ୍ରୋଲର ସଂରକ୍ଷଣ ପ୍ରକ୍ରିୟା। ଇ-୨୦ ପେଟ୍ରୋଲରେ ଥିବା ଇଥାନଲ୍ ପବନରୁ ସହଜରେ ଆର୍ଦ୍ରତା ବା ଜଳୀୟବାଷ୍ପ ଶୋଷିନେଇଥାଏ। ପାର୍ବତ୍ୟାଞ୍ଚଳ ହୋଇଥିବାରୁ ଏବଂ ଭୁଟାନର ଭୂଗର୍ଭସ୍ଥ ଷ୍ଟୋରେଜ୍ ଟ୍ୟାଙ୍କଗୁଡ଼ିକ ପୁରୁଣା ଥିବାରୁ ଏଥିରେ ପାଣି ମିଶିବାର ଆଶଙ୍କା ରହିଛି, ଯାହା ଗାଡ଼ିର ଇଞ୍ଜିନ୍ ଉପରେ ଖରାପ ପ୍ରଭାବ ପକାଇପାରେ।
ଏବେ ଏହି ଘଟଣାକୁ ନେଇ ଉଭୟ ପକ୍ଷ ନିଜ ନିଜ ଯୁକ୍ତିରେ ଅଟଳ ରହିଛନ୍ତି। ଭାରତ ସରକାର ଏହାକୁ କେବଳ ଏକ ଗୁଜବ ଓ କୌଣସି “ଆନୁଷ୍ଠାନିକ ପ୍ରସ୍ତାବ” ନଥିବା କହୁଥିବା ବେଳେ, ଭୁଟାନର ସାମ୍ବାଦିକଙ୍କ ପାଇଁ ବୈଷୟିକ ବୈଠକରେ ହୋଇଥିବା ଆଲୋଚନା ହିଁ ସେମାନଙ୍କ ରିପୋର୍ଟର ମୂଳଦୁଆ ପାଲଟିଛି।