Latest Odisha News

ଭରସା ତୁଟିଲା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଯଦୁପୁର ଗାଁରେ ମନ୍ଦିର କଥା ବୁଝୁଛନ୍ତି ବାନାମ୍ବର ବାବୁ। ଗାଁ ଜନ୍ତାଳଠୁ ଆରମ୍ଭ କରି କାହାର ପୁଅ ଝିଅ ବାହାଘର ହେଉ ବା ଓପାସ ବାରବ୍ରତ। ସବୁକଥାରେ ବାନାମ୍ବରଙ୍କୁ ଖୋଜନ୍ତି ଲୋକେ। ଗାଁ ମନ୍ଦିରରେ ଭୋଗ ଲଗାଇବାଠୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀରେ ସ୍ୱତନ୍ତ୍ର ପୂଜାପାଠ ଯାଏଁ, ସବୁକଥା ବୁଝନ୍ତି ସେ। ଛୋଟମୋଟ ଠୁଣୁଠୁଣୁକିଆ ବି କରନ୍ତି। କୌଣସି ଗର୍ଭବତୀ ମହିଳା ବା ନୂଆକରି ସନ୍ତାନବତୀଙ୍କ ଯଦି କିଛି ସମସ୍ୟା ହୁଏ, ତାହେଲେ ବାନାମ୍ବର ନିଜ ଚେରମୂଳି ବୁଜୁଳାରୁ କଣ ଦିଟା ଚେରମୂଳ ବାହାର କରି ତାକୁ ସିଦ୍ଧ କରନ୍ତି ଏବଂ ରୋଗୀଙ୍କୁ ଦିଅନ୍ତି। ଲୋକଙ୍କ ଅତୁଟ ବିଶ୍ୱାସ ଯେ, ବାନାମ୍ବରେ ଦେଇଛନ୍ତି ଯେତେବେଳେ, ସେ ଔଷଧ ରାମବାଣ ଭଳି କାମ କରିବ। ପ୍ରକୃତରେ ସେଇଆ ହିଁ ହୁଏ। ଅନେକ ରୋଗୀ ତାଙ୍କ ଦୁଆରୁ ଭଲ ହୋଇଯାଇଛନ୍ତି। ସେଥିପାଇଁ ଆଖପାଖ ଗାଁର ଲୋକେ ବି ଆସନ୍ତି ବାନାମ୍ବରଙ୍କ ପାଖକୁ। କିଛି ନହେଲେ ଗାଁ ମନ୍ଦିରର ପ୍ରସାଦକୁ ଔଷଧ ବୋଲି କହି ଲୋକଙ୍କୁ ଦେଇଦିଅନ୍ତି ବାନାମ୍ବର। ଆଉ ପ୍ରକୃତ କଥା ହେଲା, ଲୋକେ ଏହାକୁ ଏତେ ବିଶ୍ୱାସର ସହ ଗ୍ରହଣ କରନ୍ତି ଯେ, ସେମାନଙ୍କୁ ତାର ସୁଫଳ ମିଳିଯାଏ।

ବାନାମ୍ବରଙ୍କ ଗୋଟିଏ ଦୁଃଖ। ଠାକୁରେ ତାଙ୍କୁ ପୁଅଟିଏ ଦେଲେନି। ଏକପିଠିଆ ହୋଇ ଚାରି ଚାରିଟା ଝିଅ। ସେହି ଚିନ୍ତାରେ ସେ ବଡ଼ ମାନସିକ ଯନ୍ତ୍ରଣା ପାଉଛନ୍ତି। ସେଥିପାଇଁ ଦିନେ ହଠାତ୍ ଦେଖିଲା ବେଳକୁ ବାନାମ୍ବରେ ଆଉ ଗାଁରେ ନାହାନ୍ତି। ଦିନେ ଦୁଇଦିନ ଖୋଜାଖୋଜି କରିବା ପରେ, ପରିବାର ଲୋକେ ବି ଶାନ୍ତ ହୋଇଗଲେ। ଭାବିଲେ ବୋଧେ କେଉଁଆଡ଼େ ପଳେଇ ଯାଇଛନ୍ତି ବାନାମ୍ବର। କାମଦାମ ସରିଲେ ସେ ନିଶ୍ଚୟ ଫେରିଆସିବେ।

ତେବେ ଦେଖୁଦେଖୁ ପନ୍ଦର ଦିନ ବିତିଗଲା, ହେଲେ ବାନାମ୍ବରଙ୍କ ଦେଖାଦର୍ଶନ ନାହିଁ। ଘରେ ସମସ୍ତଙ୍କ ଚିନ୍ତା ବଢ଼ିଲା। କିନ୍ତୁ କୌଣସି ସୁରାକ ମିଳୁନି। କଣ କରିବେ, ସେଇ ଚିନ୍ତା। ଏପଟେ ଗାଁ ମନ୍ଦିରର ପୂଜାପାଠ କରିବା ପାଇଁ ଆଉ କେହି ନାହିଁ। ପାରମ୍ପରିକ ଭାବେ ବାନାମ୍ବରଙ୍କ ପରିବାର ଏହି ଦାୟିତ୍ୱ ତୁଲାଉଥିବାରୁ, ଅନ୍ୟକେହି ବି ଏ ଦିଗରେ ଆଗ୍ରହ ପ୍ରକାଶ କରିନାହାନ୍ତି। ତେବେ ବାନାମ୍ବର ପନ୍ଦର ଦିନରୁ ଅଧିକ ସମୟ ଧରି ନରହିବା ଫଳରେ ମନ୍ଦିରରେ ପୂଜାପାଠ କେମିତି ହେବ ସେ ନେଇ ଗାଁ ଲୋକଙ୍କ ଆଲୋଚନା ଚାଲିଲା। କୌଣସି ନୂଆ ପୂଜାରୀଙ୍କୁ ଦାୟିତ୍ୱ ଦିଆଯାଉ ବୋଲି ବି ପ୍ରସ୍ତାବ ଆସିଲା। ଚାରି ଚାରିଟା ଝିଅଙ୍କୁ ନେଇ ଦହଗଞ୍ଜ ହେଉଥିବା ବାନାମ୍ବରଙ୍କ ସ୍ତ୍ରୀ, ଗାଁଲୋକଙ୍କୁ କହିଲେ, ସେ ନିଶ୍ଚୟ ଫେରିଆସିବେ। ଆଉ କୌଣସି ନୂଆ ପୂଜାରୀ ନିଯୁକ୍ତ କରିବା ପୂର୍ବରୁ ଟିକିଏ ଅପେକ୍ଷା କରିଯାଆନ୍ତୁ। ଗାଁର ମୁରବି ସ୍ଥାନୀୟ ଲୋକମାନେ କହିଲେ, ଆମେ ଏକୋଇଶ ଦିନ ଅପେକ୍ଷା କରିବୁ। ଯଦି ବାନାମ୍ବର ନଫେରନ୍ତି, ତାହେଲେ ମନ୍ଦିର ଶୁଦ୍ଧି କରି ଆମେ ନୂଆ ପୂଜାରୀ ଦ୍ୱାରା ପୂଜାପାଠ କରାଇବୁ।

ଏକୋଇଶ ଦିନ ଯେତେବେଳେ ହେଲା, ସେତେବେଳେ ଗାଁ ସଭା ଡକାହେଲା। ନୂଆ ପୂଜାରୀ ବାବଦରେ ଆଲୋଚନା ଚାଲିଥାଏ। ହଠାତ୍ ସଭାସ୍ଥଳରେ ଆସି ପହଞ୍ଚିଲେ ବାନାମ୍ବର। ଖଣ୍ଡେ ଧୋତି ଓ କାନ୍ଧରେ ଖଣ୍ଡେ ଗାମୁଛା। ତାହା ବି ପୂରା ମଇଳା ହୋଇଯାଇଛି। ମୁହଁରେ ଦାଢ଼ି ଭର୍ତ୍ତି। ମୁଣ୍ଡର ବାଳ ପୂରା ନୁଖୁରା। ଆଖି କୋରଡ଼ିଆ ଦେଖାଯାଉଛି। ବାନାମ୍ବରଙ୍କୁ ଦେଖି ସମସ୍ତେ ଚୁପ୍। କେହି କିଛି କହିବା ପୂର୍ବରୁ, ସେ କହିଲେ, ମୁଁ ଆସିଗଲି। ତେଣୁ ଆଉ କାହାକୁ ଡାକିବା ଦରକାର ନାହିଁ। ମୁଁ ମନ୍ଦିରରେ ଠାକୁରଙ୍କୁ କହିକି ଯାଇଥିଲି। ଏକୋଇଶ ଦିନ ପରେ ନିଶ୍ଚେ ଫେରିଆସିବି। ତେଣୁ ଆପଣମାନେ ବ୍ୟସ୍ତ ହୁଅନ୍ତୁନି। ଆଜିଠୁ ସବୁ ଠିକଠାକ୍ ଚାଲିବ। ସଭା ସରିଲା। ଯିଏ ଯାହା ଘରକୁ ଗଲେ। ଘରକୁ ଫେରିଲେ ବାନାମ୍ବର।

ରାତିରେ ସ୍ତ୍ରୀକୁ କହିଲେ, ଏଥର ଆମର ପୁଅ ହେବ। ସ୍ତ୍ରୀ ବଡ଼ ଆଶ୍ଚର୍ଯ୍ୟ ହୋଇ ଅନାଇଲେ ବାନାମ୍ବରଙ୍କୁ। ସେ କହିଲେ ହଁ, ମୁଁ ଏକୋଇଶ ଦିନ ହେଲା କାନ୍ଥ ପର୍ବତର ଖୋଲ ଭିତରେ ଥିବା ବାବା ଗୁପ୍ତନାଥଙ୍କ ଗୁମ୍ଫାରେ ଅଧିଆ ପଡ଼ିଥିଲି। ବାବା ମୋତେ ସ୍ୱପ୍ନାଦେଶ କରିଛନ୍ତି। ମୋର ପୁଅ ନିଶ୍ଚୟ ହେବ। ତେବେ ଚାରି ଚାରିଟା ଝିଅ ଜନ୍ମକରି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ହରାଇଥିବା ବାନାମ୍ବରଙ୍କ ସ୍ତ୍ରୀ ମାନସିକ ସ୍ତରରେ ଆଉ ଛୁଆ ଜନ୍ମ କରିବା ପାଇଁ ପ୍ରସ୍ତୁତ ନଥିଲେ ବି, ପୁଅ ଜନ୍ମହେବାର ମୋହରେ ବାନାମ୍ବରଙ୍କ କଥାରେ ରାଜି ହୋଇଗଲେ। ସତକୁ ସତ ପଞ୍ଚମ ଗର୍ଭରେ ପୁଅଟିଏ ହେଲା। ପରିବାରରେ ଖୁସି କହିଲେ ନସରେ। ପୁଅକୁ ନାଁ ଦେଲେ ନିରଞ୍ଜନ। ପୁଅ ଦି ବର୍ଷର ହୋଇଛି କି ନାହିଁ, ବାନାମ୍ବରଙ୍କୁ ଚିନ୍ତା, ଚାରି ଚାରିଟା ଝିଅ ଜନ୍ମ କରିଛି, ସେମାନଙ୍କ ଭଲମନ୍ଦ ବୁଝିବା କି ଗୋଟିଏ ପୁଅ ପକ୍ଷରେ ସମ୍ଭବ? ତେଣୁ ଅଧିକ ପୁଅ ଦରକାର। ବାନାମ୍ବରଙ୍କ ପରିବାର ବଢ଼ି ଚାଲିଲା। ବର୍ଷେ ଦେଢବର୍ଷ ବ୍ୟବଧାନରେ ବାନାମ୍ବରଙ୍କ ଚାରିଟା ପୁଅ। ଚାରି ଝିଅକୁ ଚାରି ପୁଅ। ବାନାମ୍ବର ଓ ତାଙ୍କ ପତ୍ନୀଙ୍କୁ ମିଶାଇ ଦଶପ୍ରାଣୀ କୁଟୁମ୍ବ। ପିଲାମାନେ ଛୋଟ ଛୋଟ ଅଛନ୍ତି ବୋଲି ମନ୍ଦିର ପୂଜାରୁ ଯାହା କିଛି ମିଳୁଛି, ସେତିକିରେ ଚଳି ଯାଉଛି। କାଲି ସକାଳେ ଯେତେବେଳେ ପିଲାମାନେ ବଡ଼ ହେବେ, ସେମାନଙ୍କ ଆବଶ୍ୟକତା କେମିତି ପୂରଣ କରିବେ ବାନାମ୍ବର? ସେକଥା ଭାବୁଥାନ୍ତି ବାନାମ୍ବରଙ୍କ ସ୍ତ୍ରୀ। କିନ୍ତୁ ଏ ନେଇ କୌଣସି ଚିନ୍ତା ନାହିଁ ବାନାମ୍ବରଙ୍କୁ। ଯଦି କେହି କେବେ ଏ ବାବଦରେ ତାଙ୍କୁ କୌଣସି ପ୍ରଶ୍ନ ପଚାରିଦେଲା, ତାହେଲେ ତାଙ୍କ ମୁହଁରେ ଗୋଟିଏ ଜବାବ .. ଯିଏ ଦେଇଛି .. ସିଏ ପାଳିବ। ମୋର କଣ ଯାଏ ଆସେ?

ଦେଖୁ ଦେଖୁ ପନ୍ଦର ବର୍ଷ ବିତିଗଲାଣି। ଆର୍ଥିକ ଅନଟନ ପାଇଁ ନିଜ ପିଲାମାନଙ୍କୁ ଭଲଭାବେ ପାଠ ପଢ଼ାଇ ପାରିଲେ ନାହିଁ ବାନାମ୍ବର। ଘରେ ବଢ଼ିଲା ଝିଅଙ୍କୁ କିଭଳି ଶାଶୂଘର ଦେବେ, ସେଇଚିନ୍ତା ଧୀରେ ଧୀରେ ବଢୁଥାଏ। ଏଭଳି ସ୍ଥଳେ ବଡ଼ପୁଅ ନିରଞ୍ଜନ ମାତ୍ର ତୃତୀୟ ଶ୍ରେଣୀରେ ପାଠପଢ଼ାରେ ଡୋରି ବାନ୍ଧିବା ପରେ ନିଜ ବାପାଙ୍କୁ ଘର କାମରେ ଓ ମନ୍ଦିର ପୂଜାରେ ସହାୟତା କରୁଥିଲା। ଘରର ଆର୍ଥିକ ସ୍ଥିତି ଦେଖି, ଘରେ କାହାକୁ କିଛି ନକହି ଦିନେ ସେ ଚାଲିଗଲା ସୁରଟ। ସେ ଶୁଣିଥିଲା, ସେଇଠି ତା ପାଖ ଗାଁର କିଛି ପିଲା କାମ କରୁଛନ୍ତି । ଭଲ ରୋଜଗାର ଅଛି। ତେଣୁ ସେ ବି ସେଇଠି ଯାଇ ଲୁଗାକଳରେ କାମ କରିବା ଆରମ୍ଭ କରିଦେଲା। କିଛି ଦିନ ପରେ ନିଜ ବାପାଙ୍କ ଠିକଣାରେ ମନିଅର୍ଡର ପଠାଇଲା ନିରଞ୍ଜନ। ସେଦିନ ବାନାମ୍ବର ବାବୁ ଯେତିକି ଖୁସି ହୋଇଥିଲେ, ବୋଧହୁଏ ପୁଅ ଜନ୍ମହେଲା ଦିନ ସେତିକି ଖୁସି ନଥିଲେ।

ନିରଞ୍ଜନ ରୋଜଗାର କରୁଥିବା ଦେଖି, ଅନ୍ୟ ତିନି ସାନପୁଅଙ୍କୁ ବି ସୁରଟ ପଠାଇଦେଲେ ବାନାମ୍ବର। ଏବେ ଚାରି ଚାରିଟା ରୋଜଗାରିଆ ପୁଅ। ଗାଁରେ ବାନାମ୍ବର ନିଶରେ ଘିଅ ଲଗାଇ ବୁଲିବା ଆରମ୍ଭ କରିଦେଇଥିଲେ। ହେଲେ ଏ ଖୁସି ବେଶି ଦିନ ରହିଲା ନାହିଁ। ଯେତେବେଳେ ପୂରା ବିଶ୍ୱରେ ମହାମାରୀ ବ୍ୟାପିଲା, ଲୋକମାନଙ୍କୁ କୁହାଗଲା, ଯିଏ ଯାହା ଘରକୁ ପଳେଇଯାଅ। ସୁରଟରୁ ଫେରି ଆସିଲେ ନିରଞ୍ଜନ ଓ ତାର ଭାଇମାନେ । ଗାଁକୁ ଫେରିଲା ପରେ ନିରଞ୍ଜନ ବା ତା ଭାଇମାନଙ୍କ ପାଖରେ କୌଣସି କାମଧନ୍ଦା ନଥିଲା। ଘରେ ବସି ରହିଲେ ସମସ୍ତେ। ଧୀରେ ଧୀରେ ଅଭାବ ଅନୁଭୂତ ହେଲା। ଶେଷରେ ବାଧ୍ୟ ହୋଇ ଗାଁରେ ଗୋଟିଏ ଛୋଟିଆ ଦୋକାନ ଆରମ୍ଭ କରିଲେ ନିରଞ୍ଜନ ଓ ତାର ଭାଇମାନେ। ଗାଁର ସବୁଠୁ ନମ୍ର, ମିଷ୍ଟଭାଷୀ ଓ କର୍ମଠ ପିଲା ନିରଞ୍ଜନ। କେବେ କାହା ସାଙ୍ଗରେ ଝଗଡ଼ା ଗଣ୍ଡଗୋଳ କରିବା କେହି ଦେଖିନି।

ସେଦିନ ସନ୍ଧ୍ୟାରେ ମନ୍ଦିରରୁ ଫେରି ଘରେ ପଶିଲା ବେଳକୁ, ଘର ଚଟାଣରେ ଗଡ଼ି କାନ୍ଦୁଛି ନିରଞ୍ଜନ। ତା ମୁହଁଟା କେମିତି ଗୋଟିଏ ବିକୃତ ଦେଖାଯାଉଛି। ପେଟଟା ଅହେତୁକ ଭାବେ ଫୁଲି ଯାଇଛି। ବାନାମ୍ବର ଭାବିଲେ ବୋଧେ ନିରଞ୍ଜନର ପେଟରେ ଗ୍ୟାସ୍ ହୋଇଯାଇଛି ବା ସେ କିଛି ବିଷାକ୍ତ ଖାଦ୍ୟ ଖାଇଦେଇଛି। ତେଣୁ ସଙ୍ଗେ ସଙ୍ଗେ ସେ ନିଜର ଚେରମୂଳି ବୁଜୁଳାଟାକୁ ଖୋଲି, ସେଥିରୁ କଣ ଦୁଇଟା ଚେର ବାହାର କରି ସେ ତାକୁ ବାଟିଦେଇ ନିରଞ୍ଜନକୁ ପିଆଇ ଦେଲେ। ହେଲେ କିଛି ସୁଫଳ ମିଳିଲା ନାହିଁ। ଧୀରେ ଧୀରେ ନିରଞ୍ଜନର ଯନ୍ତ୍ରଣା ବଢୁଥାଏ। ଶେଷରେ ନିଜର ଦୁଇ ପୁଅଙ୍କ ସହାୟତାରେ ନିରଞ୍ଜନକୁ ଡାକ୍ତରଖାନାକୁ ନେଲେ ବାନାମ୍ବର।
ବଡ଼ ମେଡିକାଲରେ ନିରଞ୍ଜନର ସମସ୍ତ ପରୀକ୍ଷା ନିରୀକ୍ଷା କରାଗଲା। ତେବେ ଡାକ୍ତର ଯାହା କହିଲେ, ସେକଥା ଶୁଣିଲା ପରେ ହତବମ୍ବ ହୋଇଗଲେ ବାନାମ୍ବର। ସେ ନିଜକୁ ନିଜେ ବିଶ୍ୱାସ କରିପାରୁନଥିଲେ। ଡାକ୍ତରଙ୍କ କହିବା କଥା, ନିରଞ୍ଜନର ଯକୃତ (ଲିଭର) ଆଦୌ କାମ କରୁନି। ଆଉ ଏଭଳି ସମସ୍ୟା ପାଇଁ କେବଳ ମଦ ହିଁ ଦାୟୀ। ତାର ମାନେ ଡାକ୍ତରଙ୍କ କହିବା କଥା ହେଲା, ନିରଞ୍ଜନ ବର୍ଷ ବର୍ଷ ଧରି ମଦ ପିଇଛି। ଯେଉଁଥି ପାଇଁ ତାର ଏ ସମସ୍ୟା। ବାନାମ୍ବରଙ୍କ ପାଦତଳୁ ପୃଥିବୀଟା ଖସି ପଡ଼ିଲା। ସେ ଡାକ୍ତରଙ୍କୁ କହିଲେ, ମୋ ପୁଅ ସୁନାମୁଣ୍ଡାଟାଏ। ସିଏ କେବେ ଚାହା ପିଇବା ମୁଁ ଦେଖିନି। ମଦ ତ ବହୁତ ଦୂରର କଥା। ଡାକ୍ତର ବାବୁ, ଆପଣ କିଛି ଭୁଲଭାଲ ରିପୋର୍ଟ ଦେଖିଛନ୍ତି ବୋଧେ। ମୋ ପୁଅ ତ ତା ଜୀବନରେ କେବେ ବି ମଦ ପିଇନି। ଏମିତି କେମିତି ହେଲା? ଡାକ୍ତର ମହାଶୟ ସେହି ରିପୋର୍ଟକୁ ପୁଣି ଥରେ ତନ୍ନ ତନ୍ନ କରିଦେଖିଲେ। ଆଉ ତା ପରେ କହିଲେ, ହୁଏତ ଆପଣଙ୍କ ଆଖି ଆଗରେ କେବେ ଆପଣଙ୍କ ପୁଅ ମଦ ପିଇନଥିବ। କିନ୍ତୁ ତା ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଏ ରିପୋର୍ଟ, ଉଭୟେ କହୁଛନ୍ତି ଯେ, ବର୍ଷ ବର୍ଷ ଧରି ମଦ ପିଇଛି ସେ। ହୁଏତ ଆଉ ମାତ୍ର ଦିନେ ଦୁଇଦିନ ତାର ଆୟୁଷ। ଏଭଳି ସ୍ଥିତିରେ ନିରଞ୍ଜନର ଚିକିତ୍ସା ଆଦୌ ସମ୍ଭବ ନୁହେଁ।

ଏଇତକ କଥା ଶୁଣିବା ପରେ ନିରଞ୍ଜନ ପାଖକୁ ଦୌଡ଼ିଗଲେ ବାନାମ୍ବର। ତା ମୁହଁଟା କଳାକାଠ ପଡ଼ିଯାଇଥାଏ। ପେଟଟା ଜଣେ ଆସନ୍ନପ୍ରସବା ମହିଳାଠାରୁ ବି ଅଧିକ ଫୁଲି ଯାଇଥାଏ। ନିସ୍ତେଜ ହୋଇ ପଡ଼ିଥାଏ ନିରଞ୍ଜନ। ତଥାପି ବାନାମ୍ବରଙ୍କ ଇଛା ହେଉଥିଲା ତା ଗାଲରେ ଗୋଟିଏ ଶକ୍ତ ଚାପୁଡ଼ା ମାରିବା ପାଇଁ। ନିଜକୁ ନିୟନ୍ତ୍ରଣ କରି ନିରଞ୍ଜନର ମୁଣ୍ଡ ପାଖରେ ବସି ପଡ଼ିଲେ ବାନାମ୍ବର। ଆଉ ତା କାନରେ ପଚାରିଲେ, ତୁ ବର୍ଷ ବର୍ଷ ଧରି ମଦ ପିଉଥିଲୁ? ଡାକ୍ତର କହୁଛନ୍ତି, ସେଥିପାଇଁ ତୋର ଏ ଅବସ୍ଥା ହୋଇଛି। ସତ କହ, ତୁ କଣ ମଦ ପିଉଥିଲୁ? ଏଇତକ କଥା ଶୁଣିବା ପରେ ହଠାତ୍ ଆଖି ଖୋଲିଲା ନିରଞ୍ଜନ। ବାପାଙ୍କ ମୁହଁକୁ ଅନାଇଲା। କିଛି କହିବାକୁ ଚାହୁଁଥିଲା, ଅଥଚ କହିବାକୁ ସାହସ ଜୁଟାଇ ପାରୁନଥିଲା ସେ। ତା ଆଖିରୁ କେବଳ ବୋହି ଯାଉଥିଲା ଧାର ଧାର ଲୁହ। ନିରଞ୍ଜନର ଲୁହ ଦେଖି ବୁଝିପାରୁଥିଲେ ବାନାମ୍ବର। ଏକ ଅସହାୟର ଦୃଷ୍ଟିରେ ସେ କେବଳ ଅନାଇ ପଡ଼ିଥାନ୍ତି ନିରଞ୍ଜନ ମୁହଁକୁ। ସେତେବେଳେ ଶକ୍ତି ସଂଚୟ କରି ନିରଞ୍ଜନ ଅତି କ୍ଷୀଣ ସ୍ୱରରେ କହିଲା, ମୁଁ ଯେବେଠୁ ସୁରଟ ଯାଇଛି, ସେବେଠୁ ମଦ ପିଉଛି। ହେଲେ ସୁରଟ ଛାଡ଼ି ଗାଁକୁ ଆସିଯିବା ପରେ, କାମଧନ୍ଦା କିଛି ନଥିବାରୁ ମୁଁ ଠିକ୍ ଭାବେ ମଦ ପିଇପାରିଲି ନାହିଁ। କିନ୍ତୁ ଯେବେଠୁ ଆମେ ଦୋକାନ ଆରମ୍ଭ କରିଲୁ, ସେବେଠୁ ମୋ ହାତକୁ କିଛି ପଇସା ଆସିବା ପରେ ମୁଁ ପୁଣିଥରେ ମଦ ପିଉଥିଲି। ମୋତେ କ୍ଷମା କରିଦେବ ବାପା। ମୁଁ ଜାଣିଛି, ମୁଁ ଆଉ ବଞ୍ଚିବିନି। ଏତକ କହିବା ପରେ ହଠାତ୍ ଚୁପ୍ ହୋଇଯାଇଥିଲା ନିରଞ୍ଜନ। ତା ଆଖି ଖୋଲାଥିଲା। କିନ୍ତୁ ପାଟି ବନ୍ଦ। ମାତ୍ର କିଛି ସମୟ ଭିତରେ ସାଲାଇନ୍ ବୋତଲରୁ ଖସୁଥିବା ଟୋପା ବନ୍ଦ ହୋଇଗଲା।

ନିଜ ଆଖି ସାମ୍ନାରେ ନିଜ ଭେଣ୍ଡିଆ ପୁଅକୁ ହରାଇବା ପରେ ସତେ ଯେମିତି ସମ୍ପୂର୍ଣ୍ଣ ଶକ୍ତିଶୂନ୍ୟ ହୋଇଯାଇଥିଲେ ବାନାମ୍ବର। ନିରଞ୍ଜନର ଖଟ ପାଖରେ ଚଟାଣ ଉପରେ ଲଥ୍ କରି ବସି ପଡ଼ିଲେ ସେ। ତାଙ୍କ ଆଖି ଆଗରେ ନାଚି ଉଠିଲା କାନ୍ଥ ପର୍ବତର ଖୋଲ ଭିତରେ ଗୁପ୍ତନାଥଙ୍କ ପାଖରେ ଏକୋଇଶ ଦିନ ଧରି ସେ ଗୁପ୍ତ ଭାବରେ ଅଧିଆ ପଡ଼ିବାର ଦୃଶ୍ୟ। ସେ ମନେ ମନେ ଭାବୁଥିଲେ, କଣ ଏଇ ଦିନ ଦେଖିବା ପାଇଁ ମୁଁ ମହାଦେବଙ୍କ ପାଖରେ ଅଧିଆ ପଡ଼ି ପୁଅ ଜନ୍ମ କରିଥିଲି? ନା .. ନା .. ଏସବୁ ମିଛ। ଦିଅଁ ଦେବତା, ପୁଅ ଝିଅ, ଏ ସବୁ ଉପରୁ ମୋର ଭରସା ତୁଟିଗଲା।

ନିରଞ୍ଜନ ଚାଲିଯିବା ପରେ, ବାନାମ୍ବରଙ୍କୁ ଆଉ କେହି ଗାଁ ମନ୍ଦିରରେ ଦେଖିନି। ପୂଜାପାଠ କଥା ଏବେ ବୁଝୁଛି ତାଙ୍କ ସାନପୁଅ। ଝିଅ ପୁଅଙ୍କ ଅନେକ ଚେଷ୍ଟା ପରେ ବି, ବାନାମ୍ବରଙ୍କୁ ପୂରା ଦୁନିଆଟା ଭରସାଯୋଗ୍ୟ ଲାଗୁନାହିଁ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍- ୧୪୦୪୨୩ ଫୋନ୍- ୯୯୩୭୨୫୨୪୬୪

Comments are closed.