Latest Odisha News

ଭାରତ ଫେରିବ ଆଉ ୨ଟି ବିରଳ ମୂର୍ତ୍ତି, ୧୯୭୦ ଦଶକରେ ହୋଇଥିଲା ଚୋରୀ

ନୂଆଦିଲ୍ଲୀ: ୧୯୭୦-୧୯୮୦ ଦଶକରେ ଉତ୍ତରପ୍ରଦେଶର ଲୋଖାରୀସ୍ଥିତ ଏକ ପୁରାତନ ମନ୍ଦିରରୁ ଚୋରୀ ହୋଇଥିବା ଦୁଇଟି ଯୋଗିନୀ ଚାମୁଣ୍ଡା ଓ ଯୋଗିନୀ ଗୋମୁଖୀ ମୂର୍ତ୍ତି ଭାରତ ଫେରିବ । ଏନେଇ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନରେ ଆୟୋଜିତ ଏକ ସମାରୋହରେ କହିଛନ୍ତି । ଏହି ମୂର୍ତ୍ତି ଫେରିପାଇବା କାର୍ଯ୍ୟ ଲଣ୍ଡନସ୍ଥିତ ଭାରତର ବାଣିଜ୍ୟ ଦୂତାବାସ, ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ ଓ ଆର୍ଟ ରିକଭରି ଇଣ୍ଟରନ୍ୟାସନାଲର ମିଳିତ ଉଦ୍ୟମ ଦ୍ଵାରା ସମ୍ଭବ ହୋଇପାରିଛି ।

ପାଞ୍ଚ ଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ତେବେ ଗସ୍ତର ଶେଷ ଦିନରେ ଇଣ୍ଡିଆ ହାଉସରେ ଆୟୋଜିତ ଏକ ସମାରୋହରେ ମୂର୍ତ୍ତିଗୁଡ଼ିକୁ ଉନ୍ମୋଚନ କରିବା ସହ ଏଗୁଡ଼ିକ ଭାରତକୁ ଅତି ଶୀଘ୍ର ଫେରିବ ବୋଲି କହିଥିଲେ ଜୟଶଙ୍କର । ଆଇନଗତ ଭାବରେ ସ୍ୱଚ୍ଛ ଏବଂ ପ୍ରତିଷ୍ଠିତ ନିୟମାବଳୀ ଅନୁଯାୟୀ ଯେପରି ଏହି ମୂର୍ତ୍ତିକୁ ପ୍ରଦାନ କରାଯିବ ସେ ଉପରେ ଗୁରୁତ୍ୱାରୋପ କରିଛନ୍ତି ଜୟଶଙ୍କର ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ଲୋଖାରୀସ୍ଥିତ ଏକ ପୁରାତନ ଲୋଖାରୀ ମନ୍ଦିରରେ ୬୪ ଜଣ ଦିବ୍ୟ ଯୋଗିନୀଙ୍କୁ ଦେବୀ ଭାବରେ ପୂଜା କରାଯାଏ । ଏହି ମନ୍ଦିରରେ ପ୍ରଥମେ ପଶୁ ମୁଣ୍ଡ ଥିବା ସୁନ୍ଦରୀ ମହିଳାମାନଙ୍କ ପରି ଚିତ୍ରିତ ହୋଇଥିବା ୨୦ଟି ଯୋଗିନୀ ମୂର୍ତ୍ତି ଥିଲା । ସେଥିମଧ୍ୟରୁ ଦୁଇଟି ମୂର୍ତ୍ତି ଯୋଗିନୀ ଚାମୁଣ୍ଡା ଏବଂ ଯୋଗିନୀ ଗୋମୁଖୀଙ୍କର ମଧ୍ୟ ଥିଲା । ତେବେ ୧୯୭୦ ଦଶକରେ ଏହି ମୂର୍ତ୍ତିକୁ ରାଜସ୍ଥାନ ଓ ମହାରାଷ୍ଟ୍ରରୁ ସୁଇଜରଲାଣ୍ଡ ଦେଇ ୟୁରୋପକୁ ଚୋରା ସାମଗ୍ରୀ ଚାଲାଣ କରୁଥିବା କିଛି ଲୁଟେରାମାନେ ଏହାକୁ ଚୋରାଇ ନେଇଥିଲେ । ସେବେଠାରୁ ଏହି ମୂର୍ତ୍ତି ବ୍ରିଟେନରେ ରହିଯାଇଥିଲା । ସେଠାରେ ଭାରତୀୟ ହାଇକମିସନର ବାଣିଜ୍ୟ ଓ ଅର୍ଥନୀତିର ପ୍ରଥମ ସଚିବ ଜସପ୍ରୀତ ସିଂହ ସୁଖିଜା ଏହି ମୂର୍ତ୍ତିକୁ ଠାବ କରିଥିଲେ ।

Leave A Reply

Your email address will not be published.