Latest Odisha News

ଚାକିରି ଦେବା ନାଁରେ ୨୦୦ ଆଶାୟୀଙ୍କୁ ଲୁଟିଥିଲେ, ଧରାପଡିଲେ

 

ଭୁବନେଶ୍ୱର: ଚାକିରି ନାଁରେ ବେକାର ଯୁବକଯୁବତୀଙ୍କଠାରୁ ଟଙ୍କା ଲୁଟୁଥିବା ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା  । ଏହି ଗ୍ୟାଙ୍ଗର ୨ ଜଣଙ୍କୁ ସୋମବାର ଗିରଫ କରିଛି ଇଓଡବ୍ଲ୍ୟୁ । ଏହି ଗ୍ୟାଙ୍ଗ ବିଭିନ୍ନ ସରକାରୀ ଅଫିସରେ ଚାକିରି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୨୦୦ରୁ ଅଧିକ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବାଲେଶ୍ୱରର  ରାଜକିଶୋର ପଟ୍ଟନାୟକ ଏବଂ ଭୁବନେଶ୍ୱରର ଅରୁଣ ମହାନ୍ତି ।

ଇଓଡବ୍ଲ୍ୟୁ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ରାଜଭବନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିଅନ, କିରାଣି ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ସେମାନଙ୍କୁ ଗିରଫ କରାଯାଇ ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।

ଭୁବନେଶ୍ୱରର କୁମୁଦିନୀ ସାହୁ ନାମ୍ନୀ ଜଣେ ଆଶାୟୀ ଏ ନେଇ ଏକ ମାମଲା ଦାଏର କରିଥିଲେ । ସେ ତାଙ୍କ ଅଭିଯୋଗରେ ଲେଖିଥିଲେ ରାଜକିଶୋର, ଅରୁଣ ଏବଂ ଭବାନୀଶଙ୍କର ଦାସ ତାଙ୍କୁ ରାଜଭବନରେ ମାସିକ ୩୪ ହଜାର ଟଙ୍କା ବେତନରେ କିରାଣି ଚାକିରି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ସେ ୮.୧୫ ଲକ୍ଷ ଟଙ୍କା ମାଗିଥିଲେ । ଏ ବାବଦରେ ସେ ରାଜକିଶୋରଙ୍କୁ  ୨ ଲକ୍ଷ ଅଗ୍ରୀମ ଦେବା ପରେ ଆଉ ତାଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିଲା ।

ତା’ ପରେ ସେ ଅରୁଣ ମହାନ୍ତି ଓ ଭବାନୀ ଶଙ୍କର ଦାସଙ୍କ ସହ ଯୋଗଯୋଗ କରିଥିଲେ । ସେ ତାଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଗୋଟିଏ ସପ୍ତାହ ମଧ୍ୟରେ ୭ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ହେଲେ ଟଙ୍କା ଦେବା ପରେ ବି ତାଙ୍କୁ ଚାକିରି ମିଳି ନ ଥିଲା ।

ଅଭିଯୁକ୍ତମାନେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ । ସେମାନେ ଏହା ପୂର୍ବରୁ ସୁଶାନ୍ତ କୁମାର ମୁଦିଲି ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧.୦୫ ଲକ୍ଷ ଟଙ୍କା ନେଇଥିଲେ । ତାଙ୍କୁ ଏକ ସ୍କୁଲରେ ପିଅନ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଦୀପକ କୁମାର ନାୟକଙ୍କୁ ଖୋର୍ଦ୍ଧା କଲେକ୍ଟୋରେଟରେ ପିଅନ ଚାକିରି କରାଇବା ଦବୋ ନାଁରେ ୪.୫୦ ଲକ୍ଷ,  ଦୀପୁ ବିଶ୍ୱାଳଙ୍କୁ ରାଜଭବନରେ ପିଅନ ଚାକିରି ଦେବେ କହି ୨ ଲକ୍ଷ ଲୁଟି ନେଇଥିଲେ ।

ଅନୁସନ୍ଧାନରୁ ଜଣାଯାଇଛି, ଏହି ପରି ଶତାଧିକ ଚାକିରୀ ଆଶାୟୀଙ୍କୁ ଜାଲ ସରକାରୀ ଲୋଗୋ, ସିଲ, ସିଲେକ୍ସନ ଲିଷ୍ଟ ଦେଖାଇ ଟଙ୍କା ଲୁଟୁଥିଲେ ।ସେମାନଙ୍କ ପାଖରୁ ଇଓଡବ୍ଲ୍ୟୁ ଜାଲ ନିଯୁ୍କ୍ତି ପତ୍ର, ଜଏନିଂ ଲେଟର, ଲୋକସେବା ଭବନର ସିଲ, ଶତାଧିକ ଆବେଦନପତ୍ର ଜବତ କରିଛି ।

Leave A Reply

Your email address will not be published.