Latest Odisha News

BREAKING NEWS

ଜଳୁଛି ପଶ୍ଚିମ ଓଡ଼ିଶା: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ମାର୍ଚ୍ଚ ମାସରୁ କଲବଲ କଲାଣି ତାତି। ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଅସମ୍ଭାଳ ତାତି। ଏହାରି ଭିତରେ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ବୁଧବାରଠାରୁ କମିଯିବ ତାତି। ବଢ଼ିବ କାଳବୈଶାଖୀ। ଆଣିବ ତାତିରୁ ଆଶ୍ୱସ୍ତି। ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ।

ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରକୋପ ହାଲୁକା କମିଛି। ୪୩.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ଥିଲା। ବରଗଡ଼ ୪୨, ଅନୁଗୁଳ ୪୦.୭, ମାଲକାନଗିରି ୪୦.୨ ଡିଗ୍ରୀ ତାତିରେ ଛଟପଟ ହୋଇଥିଲା। ଏହି ୪ ସହର ସମେତ ରାଜ୍ୟର ୧୩ଟି ସହରରେ ପାରଦ ୩୯ ଡିଗ୍ରୀ ଉପରେ ଥିଲା।

ଅନ୍ୟପଟେ ୧୯ରୁ ୨୨ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କଳାବୈଶାଖୀ ସୃଷ୍ଟି ହେବା ସମ୍ଭାବନା ରହିଛି। କାଳବୈଶାଖୀର ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ମଧ୍ୟ ଅଧିକ ରହିବ। ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୭୦ କିମି ରହିବା ଆକଳନ କରାଯାଇଛି। କାଳବୈଶାଖୀ ବେଳେ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ। ତେବେ ମଙ୍ଗଳବାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ପ୍ରକୋପ ରହିପାରେ। ପାଣିପାଗ ପୂର୍ବାନୁମାନ ହେଲା, ମଙ୍ଗଳବାର ଝାରସୁଗୁଡ଼ା ଓ ବୌଦ୍ଧରେ ଗ୍ରୀଷ୍ମ ଲହରୀ ଜାରି ରହିବ। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଓ କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବୁଧବାର କେବଳ ବୌଦ୍ଧ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ।

Comments are closed.