ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା।
କିନ୍ତୁ ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ତତ୍କାଳୀନ ରାଜ୍ୟପାଳଙ୍କ ଉପରେ ବର୍ଷିବା ସହ ବାଚସ୍ପତିଙ୍କ ଉପରେ ମଧ୍ୟ ବର୍ଷିଥିଲେ। ଏପରିକି ଯେଉଁ ଢଙ୍ଗରେ ସିନ୍ଦେ ସରକାର ଗଢ଼ା ହେଲା ତାହା ଆଇନସମ୍ମତ ନୁହେଁ ବୋଲି କହିଛନ୍ତି କୋର୍ଟ।
କିନ୍ତୁ ୧୬ ଜଣ ବିଧାୟକଙ୍କ ଅଯୋଗ୍ୟ ସଂପର୍କିତ ନିଷ୍ପତ୍ତି ବାଚସ୍ପତି ତୁରନ୍ତ ନେବେ ବୋଲି କୋର୍ଟ କହିବା ପରେ ମହାରାଷ୍ଟ୍ରରେ ଲଢେଇ ତୀଵ୍ର ହୋଇଛି। ଉଦ୍ଧବ ଗୋଷ୍ଠୀ ଏ ନେଇ ସିନ୍ଦେ ସରକାରକୁ ଲଗାତର ଟାର୍ଗେଟ କରିଛନ୍ତି।
ସିନ୍ଦେ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଥିବା ଉଦ୍ଧବ ଏବେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ସମ୍ପର୍କରେ ତ୍ୱରିତ ଓ ସଠିକ ନିଷ୍ପତ୍ତି ନେବାକୁ କହିଛନ୍ତି। ନଚେତ ସେ ପୁଣିଥରେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି।
ଯଦି ବାଚସ୍ପତି କିଛି ଭୁଲ ନିଷ୍ପତ୍ତି ନିଅନ୍ତି ତେବେ ତାହେଲେ ଉଦ୍ଧବ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ସୁପ୍ରିମକୋର୍ଟଙ୍କ ରାୟ ସିନ୍ଦେ ସରକାର ପାଇଁ ସାମୟିକ ଆସ୍ୱସ୍ତି କହିବା ସହ ସିନ୍ଦେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି।
ସେପଟେ ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତଙ୍କ କହିବା କଥା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଯଦି ଉଦ୍ଧବ ଗୋଷ୍ଠୀ ନେତା ସୁନୀଲ ପ୍ରଭୁ ମୁଖ୍ୟ ସଚେତକ ରହିବେ ତାହେଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ୧୬ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ ହେବା ଆବଶ୍ୟକ।
ସେପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ଉଦ୍ଧବ ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିଶ ଉଦ୍ଧବ ଗୋଷ୍ଠୀକୁ ଜବାବ ଦେଇଛନ୍ତି।
ଏହା ବାଚସ୍ପତିଙ୍କ ଉପରେ ଚାପ ବୋଲି ସେ କହିଛନ୍ତି। ମୁକ୍ତ ଓ ସ୍ୱଚ୍ଛ ନିଷ୍ପତ୍ତି ନେବା ବିରୋଧରେ ଉଦ୍ଧବ ଗୋଷ୍ଠୀ ଏହି ଚାପ ପକାଉଥିବା ସେ କହିଛନ୍ତି। ସୁପ୍ରିମକୋର୍ଟ ବିଧାୟକଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଅଧିକାର ଦେବା ସହ ସମୟ ବି ଦେଇଛନ୍ତି।
ତେଣୁ ବାଚସ୍ପତିଙ୍କ ଉପରେ ଚାପ ପକାଇବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ଏପରିକି ସିନ୍ଦେଙ୍କ ଇସ୍ତଫା ଦାବି ପ୍ରସଙ୍ଗକୁ ନେଇ ଏନସିପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ସିନ୍ଦେଙ୍କୁ କଟାକ୍ଷ କରିଛନ୍ତି।
ତାଙ୍କ ସ୍ୱପ୍ନରେ ବି ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି ପାୱାର। ସୁପ୍ରିମ ରାୟ ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ସେପଟେ ବାଚସ୍ପତି ଏ ପ୍ରସଙ୍ଗରେ କଣ ନିଷ୍ପତ୍ତି ନେଉଛନ୍ତି ଓ ଆଗକୁ ଉଦ୍ଧବଙ୍କ ଆଭିମୁଖ୍ୟ କଣ ରହୁଛି ତା ଉପରେ ନଜର।
Comments are closed.